ଆନ୍ଧ୍ର-ଓଡ଼ିଶା ପୁଣି ମୁହାଁମୁହିଁ

ପଟାଙ୍ଗି : କୋଟିଆରେ ଛକାପଞ୍ଝା ଲାଗି ରହିଥିବା ବେଳେ ମଙ୍ଗଳବାର ପୁଣିଥରେ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ର ପୁଲିସ୍‌ ଜଣେ ଶିକ୍ଷକଙ୍କୁ ସ୍କୁଲ୍‌ ଖୋଲିବାରେ ବାଧକ ସାଜିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ପୃକ୍ତ ଶିକ୍ଷକ ବାଧ୍ୟହୋଇ ଫେରି ଆସିଥିବା ବେଳେ ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି।

ସୂଚନା ଅନୁସାରେ, ଓଡ଼ିଶା ପକ୍ଷରୁ ମଙ୍ଗଳବାର ଦିନ ନେରେଡିବାଲସା ସ୍ଥିତ ଓଡ଼ିଆ ବିଦ୍ୟାଳୟ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିଯୁକ୍ତି ପାଇଥିବା ଶିକ୍ଷକ ଜଣକ ନିର୍ଦ୍ଧାରିତ ସମୟରେ ସ୍କୁଲ୍‌ରେ ବି ପହଞ୍ଚି ଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ଆନ୍ଧ୍ର ପୁଲିସ୍‌ ସ୍କୁଲ୍‌ ନିକଟକୁ ଆସିଥିଲା। ସେହିପରି ଏଜେଣ୍ଟଙ୍କ କଥାରେ ପ୍ରଭାବିତ ହୋଇ କିଛି ଅଭିଭାବକ ମଧ୍ୟ ସେଠାରେ ପହଞ୍ଚିଥିଲେ। କୌଣସି ପରିସ୍ଥିତିରେ ବି ସ୍କୁଲ୍‌ ଖୋଲିବାକୁ ଦିଆଯିବ ନାହିଁ ବୋଲି ଜିଦ୍‌ ଧରିଥିଲେ। ଯାହାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଶେଷରେ ଶିକ୍ଷକ ଜଣକ ଫେରିଆସି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପଟାଙ୍ଗି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀକାନ୍ତ ବଡ଼ନାୟକ ପଟାଙ୍ଗି ଥାନାରେ ଏତଲା ଦେଇଛନ୍ତି। ସରକାରୀ କାର୍ଯ୍ୟରେ ବାଧା ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି।

ତେବେ ଏହି ଘଟଣାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଧ୍ରର ବିସ୍ତାରବାଦୀ ଚିନ୍ତାଧାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ବୋଲି ଚର୍ଚ୍ଚା ହେଉଛି। ଏବେ ଦେଖିବାକୁ ବାକି ରହିଲା ଏହି ଘଟଣାରେ ଆଗକୁ ଓଡ଼ିଶା ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ କେଉଁଭଳି ପଦକ୍ଷେପ ନେଉଛନ୍ତି।

ଅନ୍ୟପକ୍ଷରେ, କୋଟିଆରେ ନିଯୁକ୍ତ ଏଜେଣ୍ଟଙ୍କୁ ‘ଯୋଦ୍ଧା’ର ମାନ୍ୟତା ଦେଇଛି ଆନ୍ଧ୍ର ପ୍ରଶାସନ। ଏବେ କୋଟିଆରେ ଅନୁପ୍ରବେଶ କରିବାରେ ବାରମ୍ବାର ବିଫଳ ହେଉଥିବା ଆନ୍ଧ୍ର ପ୍ରଶାସନ ଏଜେଣ୍ଟମାନଙ୍କ ମନୋବଳ ବୃଦ୍ଧି ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ର ଦ୍ବାରା ପଞ୍ଚାୟତ ମାନ୍ୟତା ପାଇଥିବା ଫଗୁଣସିନେରି, ଫାଟୁସିନେରି ଓ ତଳଗଞ୍ଜେଇପଦର ଗାଁର କିଛି ଦଲାଲ, ଆନ୍ଧ୍ର ଦ୍ବାରା ନିର୍ବାଚିତ ସରପଞ୍ଚ ଏବଂ ଅନ୍ୟ କିଛି ଲୋକ ପାର୍ବତୀପୁରମ ପିଓ ଆଇଟିଡିଏ କୁର୍ମନାଥଙ୍କୁ ଭେଟିଥିଲେ। ପିଓ ଆଇଟିଡିଏ ସମସ୍ତଙ୍କୁ ନେଇ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ। କିନ୍ତୁ, ଭଙ୍ଗା ମନୋବଳ ନେଇ ଯାଇଥିବା ଏଜେଣ୍ଟ ଏବଂ ତଥାକଥିତ ଲୋକପ୍ରତିନିଧିଙ୍କୁ ଉତ୍ସାହିତ କରିବାକୁ ଜିଲ୍ଲା ପ୍ରଶାସନ ବି ବିରାଟ ଆୟୋଜନ କରିଥିଲା। ‘କୋଟିଆ ଯୋଦ୍ଧା’ ଭାବେ ମାନ୍ୟତା ଦେଇ ସମସ୍ତଙ୍କୁ ଭବ୍ୟ ସ୍ବାଗତ କରିଥିଲା। ବେକରେ ଫୁଲମାଳ ପକାଇ ବାଜା ବଜାଇ ସମସ୍ତଙ୍କୁ ପ୍ରଶାସନିକ ଅଧିକାରୀ ପାଛୋଟି ନେଇଥିଲେ। ଓଡ଼ିଶା ପ୍ରତିବନ୍ଧକ ସାଜିଲେ ମଧ୍ୟ ଆନ୍ଧ୍ର ପ୍ରଶାସନ ସେମାନଙ୍କ ସହ ରହିଛି ବୋଲି ସିଧାସଳଖ ସଂକେତ ଦିଆଯାଇଥିଲା।

ହସ୍ତଗତ ହୋଇଥିବା ଅନ୍ୟ ଏକ ସୂଚନା ଅନୁସାରେ, ବିଜୟନଗର ଜିଲ୍ଲା ପ୍ରଶାସନ ଭାଷା ଭିତ୍ତିରେ କୋଟିଆରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଯୋଜନା କରୁଛି। ତେଣୁ ଆଗକୁ କୋଟିଆରେ ଅଶାନ୍ତି ସୃଷ୍ଟି ହେବା ସହ ବିଷମ ପରିସ୍ଥିତି ହୋଇପାରେ ବୋଲି ଅନୁମାନ କରାଯାଉଛି। ଆନ୍ଧ୍ର ଅଧିକାରୀ ପଛରେ ରହି ଲୋକଙ୍କ ଦ୍ବାରା ଅଞ୍ଚଳକୁ ବିଭାଜନ କରିବାକୁ ଷଡ଼୍‌ଯନ୍ତ୍ର କରୁଥିବା ଜଣାପଡ଼ିଛି। ତେବେ, କୋଟିଆରେ ବାହାର ରାଜ୍ୟ ଦ୍ବାରା କୌଣସି କାର୍ଯ୍ୟକ୍ରମ କରିବାକୁ ଦିଆଯିବ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ୍‌ ଅଖତର।

ସମ୍ବନ୍ଧିତ ଖବର