ଜଙ୍ଗଲପାଡ଼ୁରେ ପଶି ଆଡ଼ିବନ୍ଧ ନିର୍ମାଣ କଲା ଆନ୍ଧ୍ର

ତହସିଲଦାରଙ୍କ ଅନୁଧ୍ୟାନ, ପ୍ରଶାସନର ଅବହେଳାକୁ ଦୋଷ ଦେଲେ ଗ୍ରାମବାସୀ
କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଲେ, ପ୍ରତିଶ୍ରୁତି ଦେଇ ମୁକୁଳିଲେ

ଗୋଷାଣୀ : ସୀମାନ୍ତ ଗ୍ରାମରେ ଓଡ଼ିଶା ସରକାରଙ୍କ ପ୍ରାଶାସନିକ ଅବହେଳାର ଫାଇଦା ନେଉଛି ଆନ୍ଧ୍ର। ଯାହାର ସଦ୍ୟ ଉଦାହରଣ ଗତକାଲି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ବଡ଼ଗୋଷାଣୀ ପଞ୍ଚାୟତ ସୀମାନ୍ତ ଜଙ୍ଗଲପାଡ଼ୁ ଗ୍ରାମରେ। ଆନ୍ଧ୍ର ଜଳସମ୍ପଦ ବିଭାଗ ଅଧୀନରେ ଆନ୍ଧ୍ର ଚାଷୀ ଓ ଶ୍ରମିକ ଓଡ଼ିଶା ସୀମାରେ ପଶି ଆଡ଼ିବନ୍ଧ ନିର୍ମାଣ ଓ ମରାମତି କରିଛନ୍ତି। ୨୦ ବର୍ଷ ତଳେ ଆନ୍ଧ୍ର ସରକାର ଓଡ଼ିଶା ସୀମାରେ ଥିବା କୃଷ୍ଣସାଗର ଡାହାଣ ପାର୍ଶ୍ବର ଚେକ୍‌ ଡ୍ୟାମ୍‌ରେ ଆଡ଼ିବନ୍ଧ ନିର୍ମାଣ କରିଥିବା ବେଳେ ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣ ନହୋଇ ଭାଙ୍ଗରୁଜି ପଡ଼ି କାମରେ ଲାଗୁନଥିବା ଆଡ଼ିବନ୍ଧକୁ ଗତକାଲି ପୁଣି ଥରେ ଆନ୍ଧ୍ୟ ଚାଷୀ ମରାମତି କରିଛନ୍ତି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ଚେତିଥିବା ବେଳେ ଆଜି ସନ୍ଧ୍ୟାରେ ଘଟଣାସ୍ଥଳରେ ତହସିଲଦାର ଅଚ୍ୟୁତାନନ୍ଦ ଜାନି ପହଞ୍ଚି ଏହାର ଅନୁଧ୍ୟାନ କରିଛନ୍ତି।

ଗ୍ରାମବାସୀଙ୍କ କହିବା ପ୍ରକାରେ, ଓଡ଼ିଶା ସୀମାରେ ଆନ୍ଧ୍ର ଚାଷୀ ଚେକ୍ ଡ୍ୟାମକୁ ମରାମତି କରୁଥିବା ଦେଖି ଜଙ୍ଗଲପାଡ଼ୁ ଗ୍ରାମବାସୀ ତୁରନ୍ତ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ବୀରେନ୍ଦ୍ର ସାହୁଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ କନିଷ୍ଠଯନ୍ତ୍ରୀ ପହଞ୍ଚି ଥିଲେ ବି ଆନ୍ଧ୍ର ଚାଷୀ ଓ ଶ୍ରମିକ ଏହାକୁ ଭ୍ରୁକ୍ଷେପ ନକରି ମରାମତି କାମ ଜାରି ରଖିଥିଲେ। ସୀମାନ୍ତ ଅଞ୍ଚଳରେ ପ୍ରଶାସନର ସ୍ଥାଣୁତା ଯୋଗୁଁ ଏପରି ସମସ୍ୟା ବାରମ୍ବାର ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରି ଗ୍ରାମବାସୀ କନିଷ୍ଠଯନ୍ତ୍ରୀଙ୍କୁ ଘେରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିବା ପରେ ଘଟଣାସ୍ଥଳରେ ଏସ୍‌ଡିଓ ଆଶିଷ ମଲ୍ଲିକ ପହଞ୍ଚି କୃଷକନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ଉପସ୍ଥିତିରେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ମୁକୁଳିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ହେଲା ସବୁ ସମୟରେ ପ୍ରଶାସନର ଅବହେଳା କରୁଥିବାରୁ ଆନ୍ଧ୍ର ସରକାର ନିଜ ଫାଇଦା ପାଇଁ ଗ୍ରାମରେ ପଶି ଉନ୍ନୟନ କାମ କରୁଛନ୍ତି।

ସମ୍ବନ୍ଧିତ ଖବର