ଆନ୍ଧ୍ର କବଜାରେ ଜୁମଡାଙ୍ଗ: ପହଞ୍ଚିଲେ ଶିକ୍ଷା ବିଭାଗର ଅଧିକାରୀ, ପିଲାଙ୍କୁ ପାଠ ପଢାଇବା ନେଇ ପ୍ରତିଶ୍ରୁତି ଦେଲେ

ମାଲକାନଗିରି: ସୀମାନ୍ତ ଗ୍ରାମ ଜୁମଡାଙ୍ଗକୁ ଆନ୍ଧ୍ର ସରକାର ନିଜ କବଜାକୁ ନେଇଥିବା ବେଳେ ଏହି ଗ୍ରାମକୁ ନିଜ ମାନଚିତ୍ରରେ ମିଶାଇବାକୁ ସମସ୍ତ ଯୋଜନା କରିସାରିଲେଣି। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଜୁମଡାଙ୍ଗ ଗ୍ରାମରେ ପହଞ୍ଚି ରାସ୍ତା ନିର୍ମାଣ ସହ ସମସ୍ତ ସୁବିଧା କରିବା ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ଲୋକଙ୍କୁ ଜବ୍ କାର୍ଡ ପ୍ରଦାନ କରିଛି। ଜୁମଡାଙ୍ଗ ଗ୍ରାମର ଲୋକଙ୍କର ଓଡିଶାରେ ଭୋଟ ପରିଚୟ ପତ୍ର ରହିଥିବା ବେଳେ ଆନ୍ଧ୍ରର ଆଧାର କାର୍ଡ ରହିଛି। ଏଠାରେ ଓଡିଶା ସରକାରଙ୍କର କୌଣସି ଯୋଜନା ପହଞ୍ଚିପାରୁନଥିବାରୁ ଆନ୍ଧ୍ର ସରକାର ଏହି ଗ୍ରାମକୁ ବିଜୁଳି, ପାନୀୟ ଜଳ, ରାସ୍ତା ସମେତ ସ୍କୁଲ ଇତ୍ୟାଦି ମୌଳିକ ସୁବିଧା ପହଞ୍ଚାଇଛି।

ସବୁଠାରୁ ବଳିଯାଇଛି ଭାଷା। ଏଠାରେ ଲୋକେ ଓଡିଶା ଭାଷାରେ କଥାବାର୍ତ୍ତା କରନ୍ତି ନାହିଁ। କୌଣସି ବାହର ଲୋକ ଯଦି ଏହି ଗ୍ରାମକୁ ଯାନ୍ତି ତେବେ ତେଲୁଗୁ ଭାଷାରେ କଥାବାର୍ତ୍ତା ହେବା ସହ ଅଳ୍ପ କିଛି ଓଡିଆରେ କହି ବୁଝାଇ ଦିଅନ୍ତି। ତେବେ ଏହି ଗ୍ରାମର ପିଲାମାନେ କିନ୍ତୁ ଓଡିଆ କଥା ହୋଇପାରନ୍ତି ନାହିଁ।

ଏହି ଖବର ପ୍ରଚାର ହେବା ପରେ ଚିତ୍ରକୋଣ୍ଡା ବିଇଓ ଗାୟତ୍ରୀ ଦେବୀ, ବିଆରସିସି ଅଞ୍ଜନ ଚୌଧୁରୀ ସମେତ ଅନ୍ୟ କର୍ମଚାରୀମାନେ ଜୁମଡାଙ୍ଗ ଗ୍ରାମକୁ ଗସ୍ତ କରିଥିଲେ। ତେବେ ତିନି କିଲୋମିଟର ପାହାଡ ଚଢି ଚାଲି ଚାଲି ଏହି ଗ୍ରାମରେ ପହଞ୍ଚିବା ପରେ ଏହାର ଅସଲ ଚିତ୍ର ଦେଖି ହତବାକ ହୋଇଯାଇଥିଲେ। ଆନ୍ଧ୍ର ସବୁ ସୁବିଧା କରାଇଥିବା ସ୍ବୀକାର କରିବା ସହ ଆଗାମୀ ଦିନରେ ଓଡିଶା ସରକାରଙ୍କ ତରଫରୁ ମଧ୍ୟ ସମସ୍ତ ଯୋଜନା ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଗ୍ରାମର ପିଲାମାନଙ୍କୁ ପାଠ ପଢାଇବା ପାଇଁ ହୋଷ୍ଟେଲରେ ରଖାଯିବା ନେଇ ଅଭିଭାବକମାନଙ୍କ ସହ ବିଇଓ ଗାୟତ୍ରୀ ଦେବୀ ଆଲୋଚନା କରିଥିଲେ।ଚିତ୍ରକୋଣ୍ଡା ବ୍ଲକର ବଡପଡା ଠାରେ ରହିଥିବା ହୋଷ୍ଟେଲରେ ଏହି ଗ୍ରାମର ସମସ୍ତ ପିଲାଙ୍କୁ ରଖାଯାଇ ପାଠ ପଢାଇବାର ସମସ୍ତ ସୁବିଧା କରାଯିବ ବୋଲି କୁହାଯାଇଛି।

ତେବେ ସବୁଠାରୁ ବଡ ସମସ୍ୟା ହେଲା ପିଲାଙ୍କ ବୟସ ଜାଣିବା। ପିଲାଙ୍କ ନିକଟରେ ନା ଆଧାର କାର୍ଡ ରହିଛି, ନା କୌଣସି ସ୍କୁଲ ସାର୍ଟିଫିକେଟ ରହିଛି। ପ୍ରାୟତଃ ପିଲାଙ୍କର ବୟସ ୮ କିମ୍ବା ୯ ବର୍ଷ ହୋଇଥିବା ବୋଲି କୁହାଯାଇଛି। ପ୍ରକାଶ ଥାଉକି ଏଠାରେ ଆନ୍ଧ୍ର ସରକାରଙ୍କ ତରଫରୁ ଏକ ଗୀର୍ଜାରେ ସ୍କୁଲ କାର୍ଯ୍ୟ ଚାଲିଛି। ଆନ୍ଧ୍ର ପଟରୁ ଜଣେ ବ୍ୟକ୍ତି ଆସି ଏଠାରେ ପିଲାଙ୍କୁ ପାଠ ପଢାଉଛନ୍ତି।କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଥିବା ଗ୍ରାମବାସୀ କହିଥିଲେ। ପିଲାଙ୍କୁ କେବଳ ପାଠ ପଢାଇଲେ ହେବ ନାହିଁ ଏଠାରେ କିପରି ଏକ ସ୍କୁଲ, ଅଂଗନବାଡି କେନ୍ଦ୍ର ଖୋଲାଯିବ ସେନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଶିକ୍ଷା ବିଭାଗର ଅଧିକାରୀମାନଙ୍କ ଗସ୍ତ ସେମାନଙ୍କୁ ସବୁଦିନ ପାଇଁ ମନେ ରହିବ। କାରଣ ଏତେ ଦୁର୍ଗମ ଅଂଚଳ ଭିତରେ ରହିଥିବା ଜୁମଡାଙ୍ଗକୁ ଆଉ ଥରେ ଯଦି ଯିବାକୁ କୁହାଯାଏ ତେବେ ଏହି ସରକାରୀ କର୍ମଚାରୀମାନଙ୍କୁ ଦଶ ଥର ଚିନ୍ତା କରିବାକୁ ପଡିବ। ତେବେ ବିଡିଓଙ୍କ ସହ ଯୋଗାଯୋଗ କରି କିପରି ପିଲାମାନଙ୍କର ଆଧାର କାର୍ଡ ହୋଇପାରିବ ସେନେଇ ଆଲୋଚନା କରିବେ ବୋଲି ବିଇଓ ଗାୟତ୍ରୀ ଦେବୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର