ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ବର : କୋଟିଆ ବିଭାଜନ ଓ ଅକ୍ତିଆର ପାଇଁ ଆନ୍ଧ୍ର ସରକାରଙ୍କ ଷଡ଼ଯନ୍ତ୍ରକୁ ବିରୋଧ କରି ଆଜି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ କହିଥିଲେ ଯେ କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବା ପାଇଁ ଦୀର୍ଘ ବର୍ଷ ଧରି ଷଡ଼ଯନ୍ତ୍ର ଚଳାଇଛନ୍ତି। କୋଟିଆ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଆନ୍ଧ୍ର ସରକାର ନିଜର ଏକଚାଟିଆ ଅଧିକାର ଜାହିର କରିବାରେ ବ୍ୟସ୍ତ। ଜୋରଜବରଦସ୍ତ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ଲୋକଙ୍କୁ ପ୍ରଲୋଭିତ କରି ଅରାଜକତା ସ୍ଥିତି ସୃଷ୍ଟି କରୁଛନ୍ତି। ଅପରପକ୍ଷେ କୋଟିଆ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକର ଆବଶ୍ୟକତା ରହିଛି। ରାଜସ୍ବ ବିଭାଗ କୋଟିଆ ପାଇଁ କ’ଣ ଯୋଜନା କରୁଛନ୍ତି, ତାହା ସମସ୍ତେ ଜାଣିବା ଆବଶ୍ୟକ। ଯଦି ବିଭାଗୀୟ ମନ୍ତ୍ରୀ ଓ ସଚିବ ବିଭିନ୍ନ ସମୟରେ କୋଟିଆ ଅଞ୍ଚଳ ଗସ୍ତ କରିଥା’ନ୍ତେ, ଉନ୍ନତି ପରିଲକ୍ଷିତ ହୋଇଥା’ନ୍ତା। ଆଜିର ଏହି ବିକ୍ଷୋଭରେ ସଂଗଠନର ଉପସଭାପତି ହେମନ୍ତ କୁମାର ହାତୀ ଓ ସଂପାଦକ ମନ୍ମଥ ରାଉତ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର