ଓଡ଼ିଶାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ନବୀନଙ୍କ ସହ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ମୋହନ ରେଡ୍ଡି ଦିନିକିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ୱର ଆସିଛନ୍ତି। ସେ ତାଙ୍କର ସମକକ୍ଷ ନବୀନ ପଟ୍ଟନାୟକଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଲୋକସେବା ଭବନରେ ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ସହିତ ଆନ୍ଧ୍ରର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସିଛନ୍ତି। ଲୋକସେବା ଭବନ କନ୍ଭେନ୍‌ସନ୍‌ ସେଣ୍ଟରରେ ସନ୍ଧ୍ୟା ୫ଟା ୫୦ରୁ ବୈଠକ ଆରମ୍ଭ ‌ହୋଇଯାଇଛି। ଏହା ୭ଟା ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଶ୍ରୀ ରେଡ୍ଡିଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି ଅପରାହ୍ନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେଇ ଲୋକସେବା ଭବନରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ଶ୍ରୀ ରେଡ୍ଡି ସୀମା ବିବାଦ, ଜଳପ୍ରକଳ୍ପ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ବୈଠକ ସରିଲା ପରେ ସେ ସିଧା ବିମାନବନ୍ଦର ଯାଇ ଆନ୍ଧ୍ର ଫେରିଯିବେ। ଶ୍ରୀ ରେଡ୍ଡିଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

Republic World

ଆଜିର ବୈଠକ ପାଇଁ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବେଶ୍‌ ଉତ୍ସୁକତା ପ୍ରକାଶ ପାଇଛି। ଏହି ବୈଠକରେ ର୍ନିଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ। ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ୍‌ ନିର୍ମାଣ ପ୍ରସଙ୍ଗ ଉପରେ ଆଲୋଚନା ଆନ୍ଧ୍ରପ୍ରଦେଶର ଫୋକସ୍‌ରେ ରହିଛି। ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଛନ୍ତି। ନେରେଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ନେବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ଦ୍ଵାରା ରାୟଗଡ଼ା ଓ ଗଜପତିରେ ବହୁ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ରାୟ ଉପରେ କିଛିଟା ସ୍ପଷ୍ଟୀକରଣ ମାଗିଛନ୍ତି। ଫଳରେ ଟ୍ରିବ୍ୟୁନାଲଙ୍କ ରାୟ ଏ ଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ଏହି ବିବାଦର ସମାଧାନ ସହ ଓଡ଼ିଶା ସରକାରଙ୍କୁ ମନାଇବା ପାଇଁ ଶ୍ରୀ ରେଡ୍ଡି ନିର୍ଦ୍ଦିିଷ୍ଟ ପ୍ରସ୍ତାବ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର