ବ˚ଶଧାରା ବାଲି ଚାଲାଣ ପାଇଁ ଆନ୍ଧ୍ରର ଷଡ଼୍‌ଯନ୍ତ୍ର : ନଦୀ ମଧ୍ୟକୁ ଅସ୍ଥାୟୀ ରାସ୍ତା ନିର୍ମାଣ ଅନୁମତି

ପାରଳାଖେମୁଣ୍ତି : ବ˚ଶଧାରା ନଦୀରୁ ବାଲି ଉଠାଇବା ପାଇଁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ରାସ୍ତା ନିର୍ମାଣ ସକାଶେ ବାଲି ବ୍ୟବସାୟୀ ଅନୁରୋଧ କରିଥିଲେ। ଶ୍ରୀକାକୁଲମ୍‌ ଜଳସେଚନ ଏବ˚ ଜଳ ସ˚ରକ୍ଷଣ ଯନ୍ତ୍ରୀ ଡି.ଶ୍ରୀନିବାସୁଲୁ ସେମାନଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ବେଆଇନ ଭାବେ ବାମିନି ମଣ୍ତଳରୁ ବ˚ଶଧାରା ନଦୀ ପର୍ଯ୍ୟନ୍ତ ଅସ୍ଥାୟୀ ରାସ୍ତା ନିର୍ମାଣ ସକାଶେ ଅନୁମତି ଦେଇଛନ୍ତି। କିନ୍ତୁ ବ˚ଶଧାରା ନଦୀ ତଟରେ ବାସ କରୁଥିବା ଇଦୁଡି, ପୁରୁଟିଗୁଡ଼ା, ବଥବା, ବାନା, କିତିଙ୍ଗୀ, ବୁଦୁରା, ଗୋରୀବନ୍ଧା ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ଗଜପତି ଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇଥିଲେ। ଫଳ‌ରେ, ଜିଲ୍ଲାପାଳ ଅନୁପମ ଶାହା କାଶୀନଗର ତହସିଲଦାରଙ୍କୁ ସେଇ ରାସ୍ତା ନିର୍ମାଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ବାମିନି ମଣ୍ତଳରୁ ବ˚ଶଧାରା ନଦୀ ପର୍ଯ୍ୟନ୍ତ ରାସ୍ତା କାମ ବନ୍ଦ ହୋଇଯାଇଛି।

ସୂଚନା ଅଧିକାରୀ ଆଇନ ବଳରେ ଆନ୍ଧ୍ର ସରକାରଙ୍କ ଜଳ ବିଭାଜିକା ବିଭାଗ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ବ˚ଶଧାରା ନଦୀର ପୁରୁଟିଗୁଡା ରିଡ୍‌ଜର ମାଲିକାନା ପାଇଥିବା ଏସ୍‌.ବାବୁଲା ସାହୁକାର ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଥିଲେ। ଏହାକୁ ଭିତ୍ତିକରି ବାମିନି ମଣ୍ତଳର ବିଲାମାଡୁ ଗ୍ରାମରୁ ବ˚ଶଧାରା ନଦୀ ମଧ୍ୟକୁ ରାସ୍ତା ନିର୍ମାଣ ପାଇଁ ଗତ ନଭେମ୍ବର ମାସରେ ଅନୁମତି ମିଳିଥିଲା। ତେବେ, ବାବୁଲା ଶ୍ରୀକାକୁଲମ୍‌ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ବ˚ଶଧାରା ନଦୀର ପୁରୁଟିଗୁଡା ରି଼ଡ୍‌ଜରୁ ବାଲି ଉଠାଇବା ପାଇଁ ଅନୁମତି ଥିବାବେଳେ ଏହାକୁ ନେବା ପାଇଁ ଓଡ଼ିଶା ପାର୍ଶ୍ବରେ ରାସ୍ତା ନଥିବା ଯୋଗୁଁ ଆନ୍ଧ୍ର ପାର୍ଶ୍ବରେ ରାସ୍ତା ନିର୍ମାଣ କରାଯାଉ।

ସବୁଠାରୁ ବିସ୍ମୟର କଥା, ଲିଜ୍‌ଧାରୀ ବାବୁଲା ଶ୍ରୀକାକୁଲମ୍‌ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଥିବା ବେଳେ ବ˚ଶଧାରା ନଦୀର ବାମ ପାର୍ଶ୍ବରେ ଅର୍ଥାତ୍‌ ଓଡ଼ିଶା ପଟେ ରାସ୍ତା ନାହିଁ ବୋଲି ତହସିଲଦାରଙ୍କର କୌଣସି ରିପୋର୍ଟ ଦେଇନାହାନ୍ତି। ଫଳରେ, ବର୍ତ୍ତମାନ ପରିସ୍ଥିତିରେ ବାଲି ଲିଜ୍‌ଧାରୀମାନେ ଓଡ଼ିଶା ବାହାରେ ବାଲି ବିକ୍ରୟ କରିବା ପାଇଁ ଅଧିକ ଉତ୍ସାହିତ।

ସମ୍ବନ୍ଧିତ ଖବର