ପଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅନେକ ବର୍ଷ ଧରି ତିକ୍ତତା ଲାଗି ରହିଛି। ଦିନକୁଦିନ ବିବାଦ ଚରମସୀମାରେ ପହଁଚି ଥିବାବେଳେ ଗତ ରବିବାର ଦିନ ସାଲୁର ବିଧାୟକ ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି ରାଜନ ଦୋରା ସୀମାନ୍ତ ଗାଁ ନେରେଡିବାଳସା ଗ୍ରାମରେ ପହଁଚିବା ପରେ ଆହୁରି ବିବାଦ ବଢିଯାଇଛି। ଯଦିଓ ସେ ଓଡ଼ିଶା ସରକାରଙ୍କ ବିରୋଧରେ ସିଧାସଳଖ କିଛି କହିନାହାନ୍ତି, କିନ୍ତୁ ଆନ୍ଧ୍ର ସରକାରଙ୍କ ଗୁଣ ଗାଇ ପରୋକ୍ଷରେ ଓଡ଼ିଶା ସରକାରଙ୍କୁ କଟାକ୍ଷ କରିଛନ୍ତି। ୱାଇଏସ୍ଆର ବୀମା ଯୋଜନା କିଭଳି ଲୋକଙ୍କୁ ଉପକୃତ କରୁଛି ବାରମ୍ବାର କହି ସୀମାନ୍ତବାସୀଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିଛନ୍ତି। ପାର୍ବତୀପୁରମ ନିକଟରେ ମାନ୍ୟମ ଜିଲ୍ଲା ହେବା ପରେ କୋଟିଆକୁ ନିଜର କରିବାପାଇଁ ଆନ୍ଧ୍ର ଚେଷ୍ଟା ଜାରି ରଖିଛି।
ସାଲୁର ବିଧାୟକ ପି. ରାଜନ ଦୋରା ଉପମୁଖ୍ୟମନ୍ତ୍ରୀ ହେବାସହ ନୂଆ ଜିଲ୍ଲା ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଗଠନ ପରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ିଛି। ବିରୋଧ କଲେ ଚାଲି ଯାଉଛନ୍ତି। ଯଦି କେହି ବିରୋଧ କରୁନାହାନ୍ତି ତେବେ ଖୋଲାଖୋଲି ଆନ୍ଧ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ ତଥା ପ୍ରଚାର କରୁଛନ୍ତି। ଏହିକ୍ରମରେ ଗତ ରବିବାର ଦିନ ଚୁପଚାପ୍ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବିବାଦୀୟ କୋଟିଆ ପଞ୍ଚାୟତର ନେରେଡିବାଲସା ଏବଂ ତାଡ଼ିବାଲସା ଗାଁକୁ ଯାଇ ବହୁ ସମୟ ଧରି ଗ୍ରାମବାସୀଙ୍କ ସହ ବିତାଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସରକାର ୱାଇଏସ୍ଆର ଯୋଜନା ଏବଂ ନବରତ୍ନ ଯୋଜନା କରିଥିବା କହିଥିଲେ। ଏହାଦ୍ବାରା ଲୋକେ କିଭଳି ଲାଭବାନ ହେଉଛନ୍ତି ଉଦାହରଣ ଦେଇଥିଲେ। ତେଣୁ ଉଭୟ ଯୋଜନାର ଫାଇଦା ନେବାକୁ ପ୍ରଲୋଭିତ କରିଥିଲେ। ଏତିକିରେ ଅଟକି ନଥିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। ଝିପ୍ଝିପ୍ ବର୍ଷା ସତ୍ତ୍ବେ ଘର ଘର ବୁଲି ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ଶୁଣିଥିଲେ। ତୁରନ୍ତ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ରେଡିବାଲସାରେ ଆନ୍ଧ୍ର ସରକାରଙ୍କ ଦ୍ବାରା ହେଉଥିବା ହାଟ ପିଣ୍ଡିର ବିଲ୍ ପାଇ ନଥିବା ଏଠାକାର ଜଣେ ଠିକାଦାର ଜଣାଇଥିଲେ। ବିଲ୍ କିଭଳି ଯଥାଶୀଘ୍ର ହୋଇଯିବ ସେ ନେଇ ଭରସା ଦେଇଥିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। ସେହିପରି ତଳଗଞ୍ଜେଇ ପଦରରେ ୱାଇଏସ୍ଆର ବୀମା ଯୋଜନାରେ ସାମିଲ କରିବାକୁ କାଗଜପତ୍ର ସଂଗ୍ରହ କରିଥିଲେ। ଏହି ଯୋଜନାରେ କୋଟିଆ ପଞ୍ଚାୟତର କେତେ ଜଣ ସାମିଲ ହୋଇଛନ୍ତି ଏବଂ କିଭଳି ସୁବିଧା ପାଇଛନ୍ତି ପଚାରି ବୁଝିଥିଲେ। ଏହି ବୀମାଭୁକ୍ତ ହିତାଧିକାରୀ ମୃତ୍ୟୁବରଣ କଲେ ୫ଲକ୍ଷ ଟଙ୍କାର ସହାୟତା ମିଳୁଥିବା କହିଥିଲେ।
ପୂର୍ବରୁ ଆନ୍ଧ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାକୁ ଆନ୍ଧ୍ରରୁ ଏଜେଣ୍ଟ କୋଟିଆ ଆସୁଥିଲେ। ସେମାନଙ୍କୁ ଲୋକେ ବିଶ୍ବାସ କରୁ ନଥିବା ବେଳେ ଓଡ଼ିଶା ପ୍ରଶାସନ ବି ପ୍ରତିବାଦ କରି ତଡ଼ି ଦେବାର ଅନେକ ନଜିର ରହିଛି। ତେଣୁ ଆନ୍ଧ୍ରରୁ ଲୋକ ପଠାଇବା ବଦଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ଆରମ୍ଭ ହୋଇଛି। କୋଟିଆ ପଞ୍ଚାୟତର ୨୧ଗାଁ ପାଇଁ ସ୍ଥାନୀୟ ଅଞ୍ଚଳର ୧୬ଜଣ ଶିକ୍ଷିତ ଯୁବକଙ୍କୁ ୫ହଜାର ଟଙ୍କା ମାସିକ ଦେଇ ଏହି କାମରେ ନିୟୋଜିତ କରାଯାଇଛି। ଏ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସେମାନେ ବାରମ୍ବାର ଅନୁପ୍ରବେଶ କଲେ କୌଣସି ଫରକ ପଡ଼ିବନାହିଁ। ପଞ୍ଚାୟତ ନିର୍ବାଚନ ତାହାର ପ୍ରମାଣ। ସେମାନଙ୍କୁ କେହି ଭଲ ପାଉନାହାନ୍ତି ତେଣୁ ଅଶାନ୍ତି ସୃଷ୍ଟି କରି ଚାଲି ଯାଉଛନ୍ତି। ତଥାପି ଏଭଳି ଅନୁପ୍ରବେଶକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସେହିପରି ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ମଧ୍ୟ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଅନୁପ୍ରବେଶକୁ ନିନ୍ଦା କରିଛନ୍ତି। ସୁପ୍ରିମକୋର୍ଟ ସ୍ଥାତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କୋଟିଆ ଓଡ଼ିଆରେ ଅଛି ଏବଂ ଆଗକୁ ବି ରହିବ। ଯାହା ବି ଉନ୍ନୟନ କାମ ହେଉଛି ଓଡ଼ିଶା ପକ୍ଷରୁ ହେଉଛି। ପଡ଼ୋଶୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ଯିବାକୁ ହେଲେ ପ୍ରଟୋକଲ ରହିଛି। କିନ୍ତୁ ତାହାକୁ ଉଲ୍ଲଂଘନ କରାଯାଇଥିବାରୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ଉପମୁଖ୍ୟମନ୍ତ୍ରୀ ପଶିଲେ ଆମେ କୋଟିଆରେ ପଶିବାକୁ ଦେବୁ ନାହିଁ।