କୋଟିଆରେ ଆନ୍ଧ୍ରର ଦାଦାଗିରି : ପଞ୍ଚାୟତ ନିର୍ବାଚନ କରାଇବାକୁ ଷଡ଼ଯନ୍ତ୍ର, ତାରିଖ ଘୋଷଣା

ଜିଲ୍ଲା ପ୍ରଶାସନ ନିରବ କାହିଁକି?

ପଟାଙ୍ଗି : କୋଟିଆକୁ ଅକ୍ତିଆର ପାଇଁ ଆନ୍ଧ୍ର ସରକାରଙ୍କ ନୂଆ ଷଡ଼ଯନ୍ତ୍ର। ଏହି ବିବାଦୀୟ ଅଞ୍ଚଳରେ ନିର୍ବାଚନ ପାଇଁ ନିଷ୍ପତ୍ତି ନେଇ ‌ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଯାହାକୁ ନେଇ ପୁଣି ନୂଆ ବିବାଦ ମୁଣ୍ଡ ଟେକିଥିବା ବେଳେ ଆଗକୁ ବିସ୍ଫୋରକ ରୂପ ନେବ ବୋଲି କୁହାଗଲାଣି।

କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ସହ ଦୀର୍ଘ ବର୍ଷ ହେଲା ଆନ୍ଧ୍ରର ବିବାଦ ଲାଗି ରହିଥିବା ବେଳେ ଅନେକ ଥର ଅନୁପ୍ରବେଶ କରି ସାରିଲାଣି ଆନ୍ଧ୍ର। କେବେ ରାଜନେତା ଓ କେବେ ପ୍ରଶାସନିକ ଅଧିକାରୀ ପଶି ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି। ଏପରିକି କୋଟିଆବାସୀଙ୍କୁ ଉସୁକାଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଗତ ଦୁଇ ବର୍ଷ ହେଲା ଏହି ଅନୁପ୍ରବେଶ ବଢ଼ିଥିବା ବେଳେ ଆଜି କୋଟିଆକୁ ନେଇ ଆନ୍ଧ୍ର ବଡ଼ ଘୋଷଣା କରିଛି। ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଏବଂ ଫଗୁଣସିନେରିରେ ଚଳିତ ମାସରେ ପଞ୍ଚାୟତ ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ଆନ୍ଧ୍ର ସରକାର। କାଳେ ଓଡ଼ିଶା ପକ୍ଷରୁ ଏହାର ବିରୋଧ କରାଯିବ ବୋଲି ଅନୁମାନ କରି ବଡ଼ ଷଡ଼ଯନ୍ତ୍ରର ଅଂଶ ପୂର୍ବକ ଉପରୋକ୍ତ ଗାଁ ଗୁଡ଼ିକୁ ପଞ୍ଚାୟତର ମାନ୍ୟତା ଦେଇ ନାମକୁ ପରିବର୍ତ୍ତନ କରି ଦେଇଥିବା ସୂଚନା ମିଳିଛି। ପରିବର୍ତ୍ତିତ ଗାଁ ନାମରେ ଚଳିତ ମାସ ୧୩ ଏବଂ ୧୭ତାରିଖ ଦିନ ନିର୍ବାଚନ କରିବାକୁ ଚୂଡ଼ାନ୍ତ କରିଛନ୍ତି ଆନ୍ଧ୍ର ସରକାର।

ପୂର୍ବରୁ ବି ଏହି ଗାଁକୁ ଆନ୍ଧ୍ର ସରକାର ପଞ୍ଚାୟତ ଭାବେ ମାନ୍ୟତା ଦେଇ ସରପଞ୍ଚ, ନାଏବ ସରପଞ୍ଚଙ୍କୁ ମନୋନୀତ କରାଯାଉଥିଲା। ଏଥିପାଇଁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ଲୋକଙ୍କ ନାମର ତାଲିକା ପ୍ରସ୍ତୁତ କରିଥିଲେ। ତାହାକୁ ସରକାର ଅନୁମୋଦନ କଲେ ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କୁ ଦାୟିତ୍ବ ଦିଆଯାଉଥିଲା। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧିଙ୍କୁ ନିର୍ବାଚିତ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର