ସୀମାନ୍ତ ଗାଁ ଉପରେ ଆନ୍ଧ୍ରର ଆଖି : ଘର ଓଡ଼ିଶା, ଭାଷା ତେଲଗୁ

କୋରାପୁଟ/ପଟାଙ୍ଗୀ : ଘର ଓଡ଼ିଶାରେ। କିନ୍ତୁ ଲୋକେ ଓଡ଼ିଆ ବୁଝନ୍ତିନି। କିଛି କାମ ପାଇଁ ବି ଓଡ଼ିଶା ଉପରେ ଆଶ୍ରା କରନ୍ତି ନାହିଁ। ସବୁ କାମ ପାଇଁ ଆନ୍ଧ୍ର ଭରସା। ଏମିତି ଏକ ଗାଁ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ତଳଗୋଲୁରୁ ପଞ୍ଚାୟତ ଅନ୍ତର୍ଗତ ବାଙ୍ଗାରିଗୁଡି। ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ଏହି ଗାଁକୁ ଅକ୍ତିଆର କରିବାକୁ ଏବେ ଆନ୍ଧ୍ର ଯୋଜନା ଚଳାଇଛି। ସ୍କୁଲ, ଅଙ୍ଗନବାଡି କେନ୍ଦ୍ର କରି ଲୋକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ ଆରମ୍ଭ କରିଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିଲା ବେଳେ ଆଉ କିଛି ସୀମାନ୍ତ ଗାଁକୁ ଅକ୍ତିଆର କରିବା ଆନ୍ଧ୍ର ଯୋଜନା କରୁଛି। ଓଡ଼ିଶାର ଉଦାସୀନତା ମଧ୍ୟ ଆନ୍ଧ୍ରକୁ ବେଶ ସୁହାଉଛି। ପଟାଙ୍ଗୀ ବ୍ଲକର ସୁଙ୍କି, ରାଲେଗଡା, ତଳଗୋଲୁରୁ ଆଦି ଅଂଚଳରେ ଏହି ସମସ୍ୟା ସାଂଘାତିିକ। ମାଓବାଦୀଙ୍କ ଭୟ ଆଳରେ ଓଡ଼ିଶା ଏହି ଅଂଚଳ ଗୁଡିକରେ ଉନ୍ନୟନ ମୂଳକ କାମ କରିବାରେ ବିଫଳ ହେଉଛି। ଓଡ଼ିଶା ଅଧିକାରୀମାନେ ଏହି ଗାଁ ଗୁଡିକୁ ଯାଉ ନ ଥିବାରୁ କବ୍‌ଜା କରିବାକୁ ବିଭିନ୍ନ ବାଟରେ ଉଦ୍ୟମ କରୁଛି। ତଳଗୋଲୁରୁ ପଞ୍ଚାୟତ ଅଧୀନରେ ଥିବା ବାଙ୍ଗାରିଗୁଡି ଗ୍ରାମ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ହୋଇଥିଲା ବେଳେ ଏହି ଗାଁରେ ଏବେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କରିଛି ଆନ୍ଧ୍ର ସରକାର। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସରକାରୀ ସହାୟତା ମଧ୍ୟ ଏହି ଗ୍ରାମବାସୀଙ୍କୁ ପ୍ରଦାନ କରାଯାଉଛି। କାଗଜପତ୍ରରେ ଓଡ଼ିଶାର ଗାଁ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ପୂରା ଓଲଟା।

ଏହି ଗାଁର ୯୦ପ୍ରତିଶତ ଲୋକ ଓଡ଼ିଶା ବୁଝି ପାରନ୍ତି ନାହିଁ କି କହି ପାରନ୍ତି ନାହିଁ। ନିୟମିତ ଜୀବନରେ ତେଲଗୁ ଭାଷା ହିଁ ବ୍ୟବହାର କରିଥାନ୍ତି। ଗାଁ ନିକଟରୁ ଆନ୍ଧ୍ରର ସାଲୁର ପାଖ ହେଉଥିବାରୁ ଲୋକମାନେ ସେହି ସହର ଉପରେ ନିର୍ଭର କରନ୍ତି। ଅପରପକ୍ଷରେ ତଳଗୋଲୁରୁ ପଞ୍ଚାୟତ ମହକୁମା ଠାରୁ ବାଙ୍ଗାରିଗୁଡିକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ। ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପାଇଁ ଲୋକମାନେ ପାହାଡ ଚଢି ୧୦କିଲୋମିଟର ଚାଲି ଚାଲି ଆସିବାକୁ ପଡେ। ତେଣୁ ଗାଁକୁ ସରକାରୀ ବାବୁଙ୍କ ପାଦ ପଡେନି। ଏଥିରେ ଲୋକେ ବୀତସ୍ଫୃହ ହୋଇ ଆନ୍ଧ୍ର ଆଡକୁ ମୁହାଁଇଛନ୍ତି। ଆନ୍ଧ୍ର ମଧ୍ୟ ଏହାର ଫାଇଦା ନେଇ ଲୋକଙ୍କ ସୁବିଧା ପାଇଁ ସ୍କୁଲ ଖୋଲିଛି। ଏଠାରେ ତେଲଗୁ ଭାଷାରେ ପାଠ ପଢା ଯାଉଥିଲା ବେଳେ ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ବିପିଏଲ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ଗ୍ରାମର କିଛି ଲୋକଙ୍କ ପାଖରେ ଓଡ଼ିଶାର ରାସନ କାର୍ଡ ଥିଲେ ମଧ୍ୟ ଏମାନେ ଆନ୍ଧ୍ରରୁ ଅଧିକ ଫାଇଦା ନେଉଛନ୍ତି। ଗ୍ରାମବାସୀଙ୍କ କହିବାନୁଯାୟୀ, ଗ୍ରାମକୁ ଓଡ଼ିଶାର ଅଧିକାରୀମାନେ କେବେ ଆସନ୍ତିନି। ଲୋକଙ୍କ ଦୁଃଖ ସୁଖ ବୁଝନ୍ତିନି। ଏପରିକି ଏହା ଓଡ଼ିଶାର ଏକ ଗାଁ ବୋଲି ସେମାନେ ଭୁଲି ଯାଇଛନ୍ତି। ଅପରପକ୍ଷରେ ଆନ୍ଧ୍ର ସରକାର ଏହି ଗାଁକୁ ସୁବିଧା ସୁଯୋଗ ଯୋଗାଇ ଦେଇ ସରକାରୀ ସହାୟତା ଦେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି।

ଓଡ଼ିଶା ଭିତରେ ଏହି ଗାଁ ଥିଲେ ମଧ୍ୟ ମାଓବାଦୀଙ୍କ ଭୟରେ ଏହି ଗାଁରେ ପୁଲିସ ବାବୁଙ୍କ ପାଦ ପଡେନି। ପୁଣି ଥାନାର ଦୂରତା ପାଖାପାଖି ୯୦କିଲୋମିଟର ହେଉଥିବାରୁ ଏହି ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଲୋକେ ଆନ୍ଧ୍ରର ପାଚିପେଣ୍ଟା ଥାନା ଉପରେ ନିର୍ଭର କରିଥାନ୍ତି। ଆଗକୁ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ଗାଁରେ ଏବେ ଆନ୍ଧ୍ର ସରକାର ଭୋଟର କାର୍ଡ ବାଣ୍ଟିବା ସହ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଛନ୍ତି। ତେଣୁ କେବଳ ନାଁକୁ ଓଡ଼ିଶାର ହୋଇ ରହିଛି ବାଙ୍ଗାରିଗୁଡି। ଆନ୍ଧ୍ର ସରକାରଙ୍କ ଲୋଭନୀୟ ଯୋଜନା ଏହି ଗ୍ରାମର ଲୋକଙ୍କୁ ଆନ୍ଧ୍ର ବାସିନ୍ଦା କରି ସାରିଲାଣି। କେବଳ ଏହି ଗୋଟିଏ ଗାଁ ନୁହେଁ, ଆଖପାଖ ତୁମ୍ବିଗୁଡା, ଉଲାପାରୁ, ଖାରିବେଡା, ପାଣ୍ଡିରିଚିନ୍ତା ପରି ଅନେକ ସୀମାନ୍ତ ଗାଁକୁ ଓଡ଼ିଶା ସରକାର ଅବହେଳା କରୁଥିବାରୁ ସେମାନେ ଆନ୍ଧ୍ର ମୁହାଁ ହେଲେଣି। ପୁଣି ଆନ୍ଧ୍ର ବିଭାଜନ ପରେ ନିଜ କାୟା ବଢାଇବା ପାଇଁ ଆନ୍ଧ୍ର ଜୋରଦାର ଉଦ୍ୟମ କରୁଥିବାରୁ ସୀମାନ୍ତ ଗାଁ ଗୁଡିକ ଉପରେ ନଜର ପକାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ଏବେଠାରୁ ସଚେତନ ନ ହେଲେ ଅନେକ ସୀମାନ୍ତ ଗାଁ ହାତରୁ ଚାଲି ଯିବାର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର