କଟକ: ସରଳା ଦେବୀ ଥିଲେ ଯଥାର୍ଥରେ ଅଗ୍ନିକନ୍ୟା। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦେଶସେବା ଓ ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ଭାରତୀୟ ମୁକ୍ତି ସଂଗ୍ରାମକୁ ସରଳା ଦେବୀଙ୍କ ଅବଦାନ ଅବିସ୍ମରଣୀୟ। କଟକସ୍ଥିତ ଶତାବ୍ଦୀ ଭବନଠାରେ ସରଳା ଦେବୀ ସ୍ମୃତି ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସୁଲେଖିକା ସରଳା ଦେବୀଙ୍କ ସ୍ମୃତିରେ ଆୟୋଜିତ ସାରସ୍ବତ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।
ଏହି ସମାରୋହରେ ଯଶସ୍ବିନୀ କବି ଡକ୍ଟର ରଞ୍ଜିତା ନାୟକଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସରଳା ଦେବୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି। ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହକୁ ଉଦ୍ଘାଟନ କରିଥିଲେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ଯତୀନ କୁମାର ନାୟକ, ସମ୍ମାନିତ ବକ୍ତା ଭାବେ ଲେଖିକା ବନଜ ଦେବୀ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ପ୍ରଫେସର ନାୟକ, ସରଳା ଦେବୀଙ୍କୁ ଓଡ଼ିଶାର ପ୍ରଥମ ମହିଳା ବିଧାୟକ ଭାବେ ବର୍ଣ୍ଣନା କରିଥିଲେ। ସମ୍ମାନିତ ବକ୍ତା ବନଜ ଦେବୀ ସରଳା ଦେବୀଙ୍କୁ କ୍ରାନ୍ତିକାରୀ ସାରସ୍ବତ ସାଧିକା ଓ ବିପ୍ଲବିନୀ ନାରୀନେତ୍ରୀ ଭାବେ ଅଭିହିତ କରିଥିଲେ। ସମ୍ମାନିତ ପ୍ରତିଭା କବି ଡକ୍ଟର ନାୟକ ସରଳା ଦେବୀଙ୍କ ସ୍ମୃତିରେ ସମ୍ମାନ ପାଇଥିବାରୁ ସ୍ମୃତି ସଂସଦକୁ ସାଧୁବାଦ ଅର୍ପଣ କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ରୁମଝୁମ୍ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଲକ୍ଷ୍ମୀପ୍ରକାଶ ମହାପାତ୍ର ବିବରଣୀ ପାଠ କରିଥିଲେ। ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ଆଇନଜୀବୀ ନିରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିଲେ।