କରୋନା ମୁକାବିଲା ପାଇଁ ଏକ ମାସର ଦରମା ଦାନ କଲେ ଆନ୍ଧ୍ର ରାଜ୍ୟପାଳ

ଆନ୍ଧ୍ରରେ ଫସିଥିବା ଓଡ଼ିଆଙ୍କୁ ଥଇଥାନ ଓ ଖାଦ୍ୟ ବ୍ୟବସ୍ଥା

ଓଡ଼ିଶା କୃଷି ଶିଳ୍ପ ନିଗମ ଦେଲା ୧୦ ଲକ୍ଷ ଟଙ୍କାର ସହାୟତା
ସଚିବାଳୟ ବ୍ୟକ୍ତିଗତ ସଚିବ ଓ ସହାୟକ ସଂଘ ପ୍ରଦାନ କଲା ୧ ଲକ୍ଷ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ‘ପି ଏମ୍ କେୟାର୍‌ସ୍‌ ଫଣ୍ଡ୍‌’କୁ ତାଙ୍କର ଏକ ମାସର ଦରମା ଦାନ କରିଛନ୍ତି। ଏହା ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଭୟଙ୍କର ବେମାରୀକୁ ରୋକିବାକୁ ହେଲେ ରାଜ୍ୟର ସାଧାରଣ ଜନତା ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବା ଓ ଏହାର ପ୍ରତ୍ୟେକ ଗାଇଡ୍‌ଲାଇନ୍‌କୁ ମାନିବା ପାଇଁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି।

ଏହା ସହ ଶ୍ରୀ ହରିଚନ୍ଦନ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଯାଇ ଫସିଥିବା କିଛି ତୀର୍ଥଯାତ୍ରୀ ଓ ଶ୍ରମିକଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ତିରୁପତି ଦର୍ଶନ ପାଇଁ ଯାଇଥିବା ୧୫ ଜଣ ତୀର୍ଥଯାତ୍ରୀ ଲକ୍‌ଡାଉନ୍ ପାଇଁ ଆନ୍ଧ୍ରପ୍ରଦେଶରୁ ଆଉ ଓଡ଼ିଶା ଫେରି ପାରି ନ ଥିଲେ। ସେମାନେ ରହିବା ଓ ଖାଇବାରେ ସମସ୍ୟାର ସାମ୍ନା କରିଥିଲେ। ସେହିପରି ଗୁଣ୍ଟୁର ଜିଲ୍ଲାର ମଙ୍ଗଳାଗିରି ଠାରେ ୩୦ ଜଣ ଶ୍ରମିକ, ଦୁବାଡ଼ାରେ ୨୦ ଜଣ, ବିଜୟୱାଡ଼ାରେ ୨୦ ଜଣ ଓ ବିଶାଖାପାଟଣାରେ ୨୩ ଜଣ ଶ୍ରମିକ ଏହି ଲକ୍‌ଡାଉନ୍‌ର ଶୀକାର ହୋଇ ନାହିଁ ନ ଥିବା‌ ଅବସ୍ଥା ଭୋଗିଥିଲେ। ସେମାନଙ୍କ ସମ୍ପର୍କୀୟମାନେ ଏ ସମ୍ପର୍କରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସେମାନଙ୍କ ଥଇଥାନ ଓ ଖାଦ୍ୟ ବ୍ୟବସ୍ଥା କରିବାକୁ ରାଜ୍ୟପାଳ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ‌େଦଇଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କ ସମସ୍ତ ବନ୍ଦୋବସ୍ତ କରାଯାଇଛି ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଓଡ଼ିଶା କୃଷି ଶିଳ୍ପ ନିଗମ ଦେଲା ୧୦ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ବର : ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ମଧ୍ୟ ନିଜ ଦରମାରୁ ୫୦ ହଜାର ଟଙ୍କା ମୟୂରଭଂଜ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି। କରୋନା କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଏ ବିପତ୍ତି ସମୟରେ ସରକାରଙ୍କ ସହ ହାତ ମିଳାଇ ଚାଲିବାର କର୍ତବ୍ୟ ନିଭାଇଛୁ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି।

ସଚିବାଳୟ ବ୍ୟକ୍ତିଗତ ସଚିବ ଓ ସହାୟକ ସଂଘ ପ୍ରଦାନ କଲା ୧ ଲକ୍ଷ
ଭୁବନେଶ୍ବର : କରୋନା ସହାୟତା ପାଣ୍ଠି ବାବଦରେ ସଚିବାଳୟ ବ୍ୟକ୍ତିଗତ ସଚିବ ଓ ସହାୟକ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏ ନେଇ ସଂଘ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜରିଆରେ ସାଧାରଣ ସମ୍ପାଦକ ବିଘ୍ନରାଜ ପ୍ରଧାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର