ବରୁଣେଇଠାରେ ପାଇକ ବିଦ୍ରୋହର ସ୍ମାରକୀ ପାଇଁ  ଜମି ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ବର :  ଆନ୍ଧ୍ରପ୍ରଦେଶର ରାଜ୍ୟପାଳ  ବିଶ୍ୱଭୂଷଣ ହରିଚନ୍ଦନ ପ୍ରେରଣା ଇଣ୍ଟରନାସନାଲ ଗ୍ରୀନ୍ ଆର୍ମି ତରଫରୁ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଭୁବନେଶ୍ୱରସ୍ଥ ଗୀତଗୋବିନ୍ଦ ସଦନଠାରେ ଅୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ସଭାରେ ରାଜ୍ୟପାଳ ପାଇକ ବିଦ୍ରୋହର ଏକ ମହାନ ସ୍ମାରକୀ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ୨୦୧୭ ଠାରୁ ଘୋଷଣା କରିଛନ୍ତି ଓ ଅର୍ଥର ବ୍ୟବସ୍ଥା ମଧ୍ୟ କରିସାରିଛନ୍ତି ଏବଂ ରାଜ୍ୟ ସରକାର ଜମି ଯୋଗାଇଦେଲେ ତାହା ଫଳପ୍ରସୁ ହୋଇପାରିବ ବୋଲି ମତ ରଖିଥିଲେ। ଏଥିସହ ସେ ସମୁଦ୍ର ତଟବର୍ତ୍ତୀ ସ୍ଥାନ ମାନଙ୍କରେ ବିଶାଳ ହେନ୍ତାଳ ବଣ ସୃଷ୍ଟି କରି ପାରିଲେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ଆମେ ରକ୍ଷା ପାଇପାରିବା ବୋଲି ବକ୍ତବ୍ୟ ରଖିଥିଲେ।

ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜମାନଙ୍କ ବିରୋଧରେ ହୋଇଥିବା ପାଇକ ବିଦ୍ରୋହକୁ ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ସେ ଅଭିହିତ କରିଥିଲେ । ପାଇକମାନଙ୍କର ବୀରତ୍ୱ ଓ ରଣକୌଶଳ କିଭଳି ଭାବରେ ଇଂରେଜମାନଙ୍କୁ ପରାଜିତ କରାଇଥିଲା ତାହା ବର୍ଣ୍ଣନା କରି ଓଡ଼ିଆମାନଙ୍କର ବୀରତ୍ୱକୁ ବଖାଣିଥିଲେ । ପାଇକ ବିଦ୍ରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଅନ୍ୟତମ ସ୍ୱାଧୀନତା ସଂଗ୍ରାମ ଭାବରେ ମାନ୍ୟତା ଦେଇସାରିଛନ୍ତି । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଆମର ଦାବି ଓ ଯୁକ୍ତି ଜାରି ରହିଲେ ଏହା ଯେ ଦିନେ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଲାଭ କରିବ ବୋଲି କହିଥିଲେ । ବରୁଣେଇ ଠାରେ ପାଇକ ବିଦ୍ରୋହର ଏକ ମହାନ ସ୍ମାରକୀ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ୨୦୧୭ ଠାରୁ ଘୋଷଣା କରିଛନ୍ତି ଓ ଅର୍ଥର ବ୍ୟବସ୍ଥା ମଧ୍ୟ କରିସାରିଛନ୍ତି । ସେଥିପାଇଁ ରାଜ୍ୟ ସରକାର ଜମି ଯୋଗାଇଦେଲେ ତାହା ଫଳପ୍ରସୁ ହୋଇପାରିବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । ଓଡ଼ିଶାର ସାମରିକ ଇତିହାସର ସ୍ମାରକୀ ଏବଂ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି, ସ୍ମୃତିସ୍ତମ୍ଭ ଓ ଅନ୍ୟାନ୍ୟ ବୀରପୁରୁଷମାନଙ୍କ ପ୍ରତିମୂର୍ତ୍ତି ବରୁଣେଇ ପାହାଡ଼ର ଶୀର୍ଷ ଦେଶରେ କିମ୍ବା ମଧ୍ୟ ଭାଗରେ ନିର୍ମାଣ କଲେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ବରୁଣେଇ ଠାରେ ଭିଡ଼ ଜମେଇବେ ଓ ଓଡ଼ିଶା ବୀରମାନଙ୍କର ବୀରତ୍ୱ ଦେଶବିଦେଶରେ ପ୍ରଚାରିତ ହୋଇପାରିବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ।

ଏହି ସ୍ମାରକୀ ପ୍ରତିଷ୍ଠା ହେଲେ ସମଗ୍ର ଓଡ଼ିଶାବାସୀଙ୍କର ଗର୍ବ ଓ ଗୌରବର ପ୍ରତୀକ ଭାବେ ଏହା ଠିଆ ହେବ । ଏହା ଏକ ମହାନ ଇତିହାସର ବିରାଟ ସ୍ମାରକୀର ସ୍ମୃତି ସ୍ତମ୍ଭ ହେବ ଓ ଓଡ଼ିଶା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ । ବର୍ତ୍ତମାନ ଏକ ସୁଯୋଗ ଆମ ହାତରେ ଅଛି ଯାହାକୁ ପ୍ରଗତିର ପଥେ ଆଗେଇନେବା ଅତ୍ୟନ୍ତ ଜରୁରୀ ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ । ଏହି ସୁଯୋଗ ବାରମ୍ବାର ଆମକୁ ଆସିବ ନାହିଁ, ଏହା ରାଜ୍ୟସରକାର ହାତଛଡ଼ା କରିବା ଉଚିତ୍ ନୁହେଁ ବୋଲି ରାଜ୍ୟପାଳ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ । ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ ଏହା ଏକ ସୁଯୋଗ ଦେବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ।

ଗ୍ରୀନ୍ ପ୍ରେରଣା ଇଣ୍ଟରନ୍ୟାସନାଲ୍ ଆର୍ମିର ପୁରୋଧା ଦିଲ୍ଲୀପ ଶ୍ରୀଚନ୍ଦନ ପରିବେଶକୁ ସବୁଜସୁନ୍ଦର ଭାବେ ଗଢ଼ି ତୋଳିବାର କାର୍ଯ୍ୟ କରିବା ସଂଗେ ସଂଗେ ଜାତିର ଇତିହାସକୁ ମନେପକାଇବା ପାଇଁ  ଉପସ୍ଥିତ ସଭିଁଙ୍କୁ ଆହ୍ବାନ ଜଣାଇଥିଲେ । ଉକ୍ତ ଉତ୍ସବରେ ପଦ୍ମବିଭୂଷଣ ରମାକାନ୍ତ ରଥ, ବୀର ଓଡ଼ିଆ ସଂଗଠନର ସଦସ୍ୟ ପ୍ରକାଶ ଶ୍ରୀଚନ୍ଦନଙ୍କ ସମେତ ଅନ୍ୟାନ୍ୟ ବକ୍ତାମାନେ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର