ଶ୍ରୀମନ୍ଦିରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ

ପୁରୀ : ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀ ହରିଚନ୍ଦନ ପୁରୀ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି। ପରେ ସଂଧ୍ୟାରେ ଗୋବର୍ଦ୍ଧନ ମଠକୁ ଯାଇ ସେ ଜଗତ୍‌ଗୁରୁ ଶଙ୍କରଚାର୍ଯ୍ୟଙ୍କୁ ଭେଟିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ଜଗତ୍‌ଗୁରୁଙ୍କର ପରାମର୍ଶ ନେଇଥିଲେ। ଶ୍ରୀ ହରିଚନ୍ଦନ ଆଜି ଅପରାହ୍ନ ୪ଟାରେ ପୁରୀ ସର୍କିଟ୍ ହାଉସ୍‌ଠାରେ ପହଞ୍ଚିଥିଲେ। ସେଠାରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସର୍କିଟ୍ ହାଉସ୍‌ଠାରେ କିଛି ସମୟ ରହିବା ପରେ ୫ଟାରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଅଧଘଣ୍ଟାରୁ ଅଧିକ ସମୟ ସେ ଶ୍ରୀମନ୍ଦିରରେ ବିତାଇବା ପରେ ଜଗତ୍‌ଗୁରୁ ଶଙ୍କରଚାର୍ଯ୍ୟଙ୍କୁ ଭେଟିବାକୁ ଗୋବର୍ଦ୍ଧନ ମଠକୁ ଯାଇଥିଲେ। ସେଠାରେ ପ୍ରାୟ ଘଣ୍ଟାଏ ଧରି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ଭୁବନେଶ୍ବର ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର