ଆନ୍ଧ୍ରର ପୁଣି ଦାଦାଗିରି: ଓଡ଼ିଶା‌ରେ ପଶି ବନ୍ଦକଲେ ‘ବସୁଧା’ ଯୋଜନା କାମ

ଠିକାଦାରଙ୍କ ବିରୋଧରେ ଆନ୍ଧ୍ର ଥାନାରେ ଏତଲା

ପଟାଙ୍ଗି : ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦଖଲ ପାଇଁ ଏବେ ନାଲିଆଖି ଦେଖାଇବା ଆରମ୍ଭ କରିଛି ଆନ୍ଧ୍ର। ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଗୁଣ୍ଡାଙ୍କ ଭଳି ଆଚରଣ କରି ଧମକ ଦେବାକୁ ପଛାଇନାହିଁ। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଶାରେ ରାଜ୍ୟ ସରକାର କରୁଥିବା ପ୍ରକଳ୍ପକୁ ଚାପ ପ୍ରୟୋଗ କରି ବନ୍ଦ କରିଦେଇଛନ୍ତି।

ସୂଚନା ଅନୁଯାୟୀ, ବିବାଦୀୟ କୋଟିଆର ନେରେଡିବାଲାସା ଗାଁରେ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଗାଁରେ ପାଇପ ବିଛାଇବା ପାଇଁ ରାସ୍ତାରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଅନୁପ୍ରବେଶ କରିଥିଲେ। ସାଲୁର ମଣ୍ଡଳର ଅଧିକାରୀ ଏଠାରେ କାମ କରିବାକୁ କିଏ ଅନୁମତି ଦେଲା ବୋଲି କାମରେ ନିୟୋଜିତ ଶ୍ରମିକଙ୍କୁ ପ୍ରଶ୍ନ କରିଥିଲେ। ଏହି ରାସ୍ତା ଆନ୍ଧ୍ର ସରକାର କରିଥିବାରୁ କୌଣସି ପରିସ୍ଥିତିରେ ବି ଖନନ ହୋଇପାରିବ ନାହିଁ ବୋଲି ପାଟିତୁଣ୍ଡ କରିଥିଲେ। ଏପରିକି ଏହି ଅଞ୍ଚଳ ଆନ୍ଧ୍ରର ବୋଲି ଏକତରଫା ବୟାନ ଦେଇ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି କାମ କରିବ, ତେବେ ପରିଣତି ଭୋଗିବ ବୋଲି ଚେତାବନୀ ଦେଇଥିଲେ। ଯାହାଫଳରେ ଠିକାଦାର କାମ ବନ୍ଦ କରିଦେଇଥିବା ସୂଚନା ମିଳିଛି।

ଓଡ଼ିଶାରେ ଏମିତି ଦାଦାଗିରି କରି କାମ ବନ୍ଦ କରିବା ପରେ ବି ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ମନ ବୁଝି ନଥିଲା। ସଂପୃକ୍ତ ଠିକାଦାରଙ୍କ ବିରୋଧରେ ସାଲୁର ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ପରୋକ୍ଷରେ ଓଡ଼ିଶା ପକ୍ଷରୁ କୋଟିଆରେ କାମ କରୁଥିବା ସମସ୍ତ ଠିକାଦାରଙ୍କୁ ଏହା ଚେତାବନୀ ବୋଲି କୁହାଯାଉଛି। କାରଣ ଆଗକୁ ଯଦି କାମ ହୁଏ ତେବେ ଆନ୍ଧ୍ର ପୁଲିସ ଏଥିରେ ହସ୍ତକ୍ଷେପ କରିବା ସହ ଠିକାଦାରଙ୍କୁ ବି ଗିରଫ କରିପାରେ। ଗିରଫଦାରୀ ଭୟରେ ହୁଏତ କାମ କରିବାକୁ ଠିକାଦାର ସଂକୋଚ କରିବେ। ସେହି ଉଦ୍ଦେଶ୍ୟରେ ଥାନାରେ ଏତଲା ଦିଆଯାଇଥିବା ଅନୁମାନ କରାଯାଉଛି। ଆନ୍ଧ୍ରର ଅନୁପ୍ରବେଶ ଏବଂ ଚେତାବନୀ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ କିମ୍ବା ପଟାଙ୍ଗି ବ୍ଲକ୍‌ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତଥାପି ଆନ୍ଧ୍ରର ଏଭଳି ମନମାନିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପଟାଙ୍ଗି ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ମଧ୍ୟ ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ତେବେ ଓଡ଼ିଶାର ରଣନୀତିକୁ ପ୍ରତିହତ କରିବାକୁ ଆଗକୁ ଆନ୍ଧ୍ର ବଳ ପ୍ରୟୋଗ କରିବ ବୋଲି ଆଶଙ୍କା କରାଯାଉଛି। ଏଭଳି ପ୍ରୟାସର ମୁକାବିଲା ପାଇଁ ଓଡ଼ିଶା ପକ୍ଷରୁ ଆଗକୁ କ’ଣ ପଦକ୍ଷେପ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର