ଓଡ଼ିଶାରେ ପୁଣି ଆନ୍ଧ୍ରର ଅନୁପ୍ରବେଶ: କୋଟିଆରୁ ବୋହିନେଇ ଟିକା ଦେଲେ

କୋରାପୁଟ : କିଛି ଦିନର ନିରବତା ପରେ ପୁଣି ବିବାଦୀୟ କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରିଛି ଆନ୍ଧ୍ର। ଟିକା ଦେବା ଆଳରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ କିଛି ଲୋକପ୍ରତିନିଧି ଏହି ବିବାଦୀୟ ଅଞ୍ଚଳରେ ପଶିଥିବା ସୂଚନା ମିଳିଛି। ଏଠାରେ ଟିକା ଦେଲେ ବିବାଦ ହେବାର ଆଶଙ୍କା କରି ଲୋକଙ୍କୁ ଆନ୍ଧ୍ରକୁ ଉଠାଇ ନେଉଥିବା ଜଣାପଡ଼ିଛି। ଟିକା ଦେବା ପରେ ପୁଣି ଲୋକଙ୍କୁ ନିଜ ନିଜ ଘରେ ଆଣି ଛାଡ଼ୁଥିବା ଖବର ମିଳିଛି। ଯାହାକୁ ନେଇ ପୁଣି ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସମସ୍ତ ୨୨ଗାଁରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକା ଦେବାକୁ ହିତାଧିକାରୀ ପୂର୍ବରୁ ଚିହ୍ନଟ କରାଯାଇଥିଲା। ୧୮ବର୍ଷରୁ ଊର୍ଦ୍ଧ୍ବ ୪୩୭୯ଜଣ ହିତାଧିକାରୀଙ୍କୁ ଟିକାକରଣରେ ସାମିଲ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ମାର୍ଚ୍ଚ ପହିଲାରୁ ଏହି ଅଞ୍ଚଳରେ ଟିକାକରଣ ପ୍ରକ୍ରିୟା ଓଡ଼ିଶା ପକ୍ଷରୁ ଆରମ୍ଭ ହୋଇଛି। ଚଳିତ ମାସ ସୁଦ୍ଧା ୧୫୨୯ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୯୫୦ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦେଇ ସାରିଲାଣି ଓଡ଼ିଶା। ଆହୁରି ୧୯ଶହ ଟିକା ନେଇପାରି ନଥିବା ସୂଚନା ମିଳିଛି। ଆଉ ଏହି ଟିକା ନେଇ ନଥିବା ଲୋକଙ୍କୁ ଚିହ୍ନଟ କରି ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ ଟିକା ଦେଉଥିବା ଜଣାପଡ଼ିଛି। ଫାଟୁସ‌େନେରୀ, ଫଗୁଣସେନେରୀ ଓ ନାରେଡିବାଲସାରୁ ଲୋକଙ୍କୁ ଉଠାଇ ନେଇ ଟିକାକରଣରେ ସାମିଲ କରୁଛି। ଏଥିପାଇଁ ଥୋନମ୍‌ ପିଏଚ୍‌ସିରେ ଟିକାକରଣ ଅଭିଯାନ ଜାରି ରହିଛି।ଏ ନେଇ ଶ୍ରୀକାକୁଲମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେବା ସଂଯୋଜକ ସୂର୍ଯ୍ୟ ରାଓ କହିଛନ୍ତି ଯେ, ଥୋନମ୍‌ ସିଏଚ୍‌ସିରେ ଆନ୍ଧ୍ରର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କୁ ଆଣି ଟିକା ଦିଆଯାଉଛି। ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ପଟାଙ୍ଗି ବ୍ଲକ୍‌ ପ୍ରଶାସନର କହିବା ହେଲା ଏହାରି ମଧ୍ୟରେ ୨୭ଥର ସ୍କ୍ରିନିଂ କରାଯାଇ ହିତାଧିକାରୀ ଚିହ୍ନଟ କରାଯାଇଛି। ଟିକାକରଣ ଚାଲିଥିବା ବେଳେ ପାଖାପାଖି ୧୯ଶହ ଜଣ ଟିକା ନେବାକୁ ବାକି ରହିଛନ୍ତି। ସେମାନଙ୍କୁ ଏହି ଅଭିଯାନରେ ସାମିଲ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର