କଳାହାଣ୍ଡିର ନଦୀଜଳରେ ୭ ବ୍ଲକ୍‌ରେ ଜଳସେଚନ ସୁବିଧା
ଓଡ଼ିଶା ପକ୍ଷରୁ ବ୍ୟାରେଜ୍‌ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇନି

Advertisment

ଭବାନୀପାଟଣା : କେବଳ ନାଗାବଳୀରେ ନୁହେଁ, ବଂଶଧାରାରେ ବି ବ୍ୟାରେଜ୍‌ ନିର୍ମାଣ କରୁଛି ଆନ୍ଧ୍ରପ୍ରଦେଶ। କଳାହାଣ୍ଡି ଜିଲ୍ଲାରୁ ବାହାରିଥିବା ଏହି ନଦୀରେ ବ୍ୟାରେଜ୍‌ ନିର୍ମାଣ କରି ସେଠାକାର ଜମିକୁ ଜଳସେଚନ କରୁଛି। ହେଲେ, ଓଡ଼ିଶା ସରକାର ବଂଶଧାରା ନଦୀ ଉପରେ ଏପର୍ଯ୍ୟନ୍ତ କୌଣସି ବ୍ୟାରେଜ ନିର୍ମାଣ ନକରିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡ଼ ଅଞ୍ଚଳର ଲାଞ୍ଜିଗଡ଼ ନିକଟରୁ ବଂଶଧାରା ନଦୀର ଉତ୍ପତ୍ତି। ଏହି ନଦୀ ୨୫୪ କି.ମି. ଅତିକ୍ରମ କରିବା ପରେ କଳିଙ୍ଗ ପଟ୍ଟନମଠାରେ ବଙ୍ଗୋପସାଗରରେ ମିଶିଛି। ବଂଶଧାରା ନଦୀର କ୍ୟାଚମେଣ୍ଟ ଏରିଆ (ଜଳଗ୍ରହଣ କ୍ଷେତ୍ର) ୧୦ ହଜାର ୮୩୦ ବର୍ଗକିମି ରହିଛି। ସେଥିମଧ୍ୟରୁ ଓଡ଼ିଶାରେ ୮୦୧୫ ବର୍ଗକିମି ଥିବାବେଳେ ଆନ୍ଧ୍ରପ୍ରଦେଶରେ ୨୮୧୫ ବର୍ଗକିମି ରହିଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଗୋଟା ଓ କାଟ୍ରାଗଡ଼ାଠାରେ ବ୍ୟାରେଜ ନିର୍ମାଣ କରାଯାଇଛି। ବୋଡ଼େପାଲି ରାଜଗୋପାଲ ରାଓ ପ୍ରକଳ୍ପ ନିର୍ମାଣ କରି ବଂଶଧାରା ନଦୀର ପାଣିକୁ ଜଳସେଚନ ପାଇଁ ବ୍ୟବହାର କରାଯାଉଛି। ଏହାର ବାମମୁଖ୍ୟ‌ କେନାଲରେ ୧ ଲକ୍ଷ ୪୮ ହଜାର ଏକର ଜମିରେ ଜଳସେଚନ କରି ଚାଷ କରାଯାଇ ପାରୁଛି। ସେହିଭଳି ଦକ୍ଷିଣ ମୁଖ୍ୟ କେନାଲ ଦ୍ବାରା ୬୨ ହଜାର ୨୮୦ ଏକର ଜମି ଜଳସେଚିତ ହେଉଛି। ଏଥିନିମନ୍ତେ ୧୬୬ଟି ଗାଁରେ ଜଳସେଚନ ସୁବିଧା କରାଯାଇଛି। ଆନ୍ଧ୍ରପ୍ରଦେଶର ଏଲ୍‌ଏନ୍‌ ପେଟାଡ଼, ହୀରାମଣ୍ଡଳ, ବୁର୍ଜା, ଆମାଡ଼ାଲେ ଭାଲାସା, ଗୋରା, ସାରୁବୁଜିଲି, ଶ୍ରୀକାକୁଲମ ବ୍ଲକ୍‌ ଅଞ୍ଚଳ ବଂଶଧାରା ନଦୀବନ୍ଧ ଯୋଗୁ ଜଳସେଚନର ସୁବିଧା ପାଇପାରୁଛି।

publive-image Sambad English

ଅପରପକ୍ଷେ, ଆନ୍ଧ୍ରପ୍ରଦେଶ ପକ୍ଷରୁ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ଆନ୍ତଃରାଜ୍ୟ ଜଳବିବାଦ କମିସନ ନିକଟରେ ଗତ ୨୦୦୬ ଫେବ୍ରୁଆରି ମାସରେ ନିଜର ପକ୍ଷ ରଖିଥିଲା। କମିସନ ମଧ୍ୟ ଉଭୟ ରାଜ୍ୟ ୫୦ ପ୍ରତିଶତ ଲେଖାଏଁ ଜଳ ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କାଟ୍ରାଗଡ଼ା ଓ ଗୋଟା ବ୍ୟାରେଜ ନିର୍ମାଣକୁ ତ୍ବରାନ୍ବିତ କରାଯାଇଥିଲା। ଅନ୍ୟପକ୍ଷରେ ଓଡ଼ିଶା ପକ୍ଷରୁ ଏପର୍ଯ୍ୟନ୍ତ ବଂଶଧାରା ନଦୀ ଉପରେ କୌଣସି ବ୍ୟାରେଜ ନିର୍ମାଣ କରାଯାଇନାହିଁ। କଳାହାଣ୍ଡିର ନଦୀ ଜଳକୁ ନେଇ ଆନ୍ଧ୍ରପ୍ରଦେଶ ବ୍ୟାରେଜ ନିର୍ମାଣ କରି ଶସ୍ୟଶ୍ୟାମଳା ହେଉଥିବା ବେଳେ ଓଡ଼ିଶାପଟ ଦୂରଦୃଷ୍ଟି ଅଭାବରୁ ଏପର୍ଯ୍ୟନ୍ତ ବ୍ୟାରେଜ ନିର୍ମାଣ ତ ଦୂରର କଥା ଏନେଇ କୌଣସି ଉଦ୍ୟମ ମଧ୍ୟ ଆରମ୍ଭ ହୋଇନଥିବା ସାଧାରଣରେ ମତ ପ୍ରକାଶ ପାଇଛି। କଳାହାଣ୍ଡିରୁ ଉତ୍ପତ୍ତି ହୋଇଥିବା ନାଗାବଳୀ ଓ ବଂଶଧାରା ନଦୀ ଉପରେ ରାଜ୍ୟ ସରକାର କେବେ ବ୍ୟାରେଜ ନିର୍ମାଣ କରିବେ, ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ବୋଲି ସେମାନେ କହିଛନ୍ତି।