ରାୟଗଡ଼ାରେ ସେତୁ ନିର୍ମାଣ କରୁଛି ଆନ୍ଧ୍ର

ରାୟଗଡ଼ା : ଚାରିପଟେ ଓଡ଼ିଶା। ମଝିରେ ରହିଛି ଆନ୍ଧ୍ରପ୍ରଦେଶର ଲାଡ୍ଡା ଗ୍ରାମ। ଗ୍ରାମରେ ବାସ କରୁଛନ୍ତି ୨୦ରୁ ୨୫ ପରିବାର। ଯାତାୟାତ ପାଇଁ ଲାଡ୍ଡାବାସୀ ଓଡ଼ିଶା ରାସ୍ତା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଯେଉଁଥିପାଇଁ ଓଡ଼ିଶା ଗାଁ ସାନଲୁକୁଟି ନାଳ ଉପରେ ପୋଲ ନିର୍ମାଣ ଜାରି ରଖିଛି ଆନ୍ଧ୍ର। ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ମତଦାନ ପୂର୍ବରୁ ଭୋଟ ହାତେଇବାକୁ ଯୋଜନା କରି ଆନ୍ଧ୍ର ଏହି ପୋଲ ନିର୍ମାଣ କରିଥିବା ଜଣାପଡ଼ିଛି।

ରାୟଗଡ଼ା ବ୍ଲକ୍ ବୈରାଗୀହାଲୁଆ ପଞ୍ଚାୟତର ସାନଲୁକୁଟି ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଛି। ଏହି ଗାଁରୁ ୨କିମି ଦୂରରେ ରହିଛି ଆନ୍ଧ୍ରର ଲାଡ୍ଡା ଗ୍ରାମ। ଲାଡ୍ଡାକୁ ଯିବାପାଇଁ ଓଡ଼ିଶା ରାସ୍ତା ହିଁ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଲାଡ୍ଡା ଗ୍ରାମବାସୀଙ୍କ ଯାତାୟାତରେ ବାଧକ ସାଜିଛି ସାନଲୁକୁଟି ଓ ଲାଡ୍ଡା ମଧ୍ୟରେ ଥିବା ଚି‌ରସ୍ରୋତା ନାଳ। ନାଳରେ ବର୍ଷର ୧୨ମାସ ପାଣି ରହୁଥିବାରୁ ଲାଡ୍ଡାବାସୀଙ୍କ ଅନୁରୋଧକ୍ରମେ ଆନ୍ଧ୍ର ସରକାର ଉକ୍ତ ନାଳ ଉପରେ ନିର୍ମାଣ କରୁଛନ୍ତି ପୋଲ। ପୋଲର ଲମ୍ବ ୩୦ରୁ ୪୦ ମିଟର। ଯାହାର ନିର୍ମାଣ କାମ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି। ନିର୍ମାଣାଧୀନ ପୋଲର ଗୋଟିଏ ପିଲର୍ ଆନ୍ଧ୍ର ଅଞ୍ଚଳରେ ଏବଂ ଦୁଇଟି ପିଲର୍ ଓଡ଼ିଶା ସୀମାରେ ରହିଛି। ଉକ୍ତ ପିଲର ନଦୀଗର୍ଭରୁ ବର୍ତ୍ତମାନ ୧ଫୁଟ ଉଚ୍ଚ ଲେଖାଏଁ ଉଠି ସାରିଲାଣି। ପଞ୍ଚାୟତ ନିର୍ବାଚନ ପାଇଁ ନିର୍ମାଣ କାମ ଏବେ ବନ୍ଦ ରହିଛି।

ଓଡ଼ିଶା ସୀମାରେ ଉନ୍ନୟନ ମୂଳକ କାମ କରିବା ପୂର୍ବରୁ ଆନ୍ଧ୍ର ସରକାର ଅନୁମତି ନେବାର ନିୟମ ରହିଛି। କିନ୍ତୁ ପୋଲ ନିର୍ମାଣ ପାଇଁ ଓଡ଼ିଶା ସରକାର କିମ୍ବା ରାୟଗଡ଼ା ଜିଲ୍ଲା ପ୍ରଶାସନ ନିକଟରୁ କୌଣସି ଅନୁମତି ନେଇନି ଆନ୍ଧ୍ର। ବିବାଦୀୟ ପୋଲ ନିର୍ମାଣ ସଂପର୍କରେ ଓଡ଼ିଶା ସରକାର ଅବଗତ ହେବା ପରେ ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ବିଡିଓ ରାଜେନ୍ଦ୍ର ମାଝି ବିବାଦୀୟ ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି। ପୋଲ ନିର୍ମାଣ ବନ୍ଦ ରଖିବାକୁ ଆନ୍ଧ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ପରେ ପୂର୍ବରୁ ଆନ୍ଧ୍ର ଲଗାଇଥିବା ସୂଚନା ଫଳକ ଉଠାଇନେଇଛି। ଖୁବ୍‌ଶୀଘ୍ର ଓଡ଼ିଶା ସୀମାରେ ନିର୍ମାଣ ହୋଇଥିବା ଦୁଇ ପିଲରକୁ ମଧ୍ୟ ଭାଙ୍ଗିବାକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଧ୍ର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ଲାଡ୍ଡାରେ ୨୦ରୁ ୨୫ ପରିବାର ବସବାସ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ଆନ୍ଧ୍ର ପୋଲ ନିର୍ମାଣ କରିବାକୁ ପଛାଇ ନାହିଁ। କେବଳ ଏତିକି ନୁହେଁ, ଓଡ଼ିଶାର ସାନଲୁକୁଟି ଗାଁରେ ସ୍କୁଲ୍ ଓ ମୋବାଇଲ୍ ଟାୱାରର ନାଁ ଗନ୍ଧ ନ ଥିବାବେଳେ ଲାଡ୍ଡା ଗ୍ରାମରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସ୍କୁଲ୍ ଓ ମୋବାଇଲ୍ ଟାୱାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସୀମା ଭିତରେ ଥିବା ଛୋଟିଆ ଗାଁ ଲାଡ୍ଡାକୁ ନେଇ ଆନ୍ଧ୍ର ସରକାର ତତ୍ପର ଥିବାବେଳେ ଓଡ଼ିଶା ସରକାରଙ୍କ ଅବହେଳା କାରଣରୁ ସୀମାନ୍ତ ଗ୍ରାମବାସୀ ଆନ୍ଧ୍ରର ବିକାଶମୂଳକ କାମକୁ ଦେଖି ପ୍ରଭାବିତ ହେବାରେ ଲାଗିଛନ୍ତି। ଯାହା ସାନଲୁକୁଟି ଗାଁ ନିକଟରେ ଚାଲିଥିବା ପୋଲ ନିର୍ମାଣରୁ ସ୍ପଷ୍ଟ। ଏହି ‌ପୋଲ ଦ୍ବାରା କେବଳ ଯେ, ଆନ୍ଧ୍ରବାସୀ ଉପକୃତ ହେବେ ତାହା ନୁହେଁ, ଆଗାମୀ ଦିନରେ ଅନ୍ୟ ବିକାଶମୂଳକ କାମକୁ ଆନ୍ଧ୍ର ହାତକୁ ନେଇ ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରଭାବିତ କରିବା ସମ୍ଭାବନା ଏଡ଼ାଇ ଦିଆଯାଇ ନ ପାରେ।

ସମ୍ବନ୍ଧିତ ଖବର