କୋଟିଆ ପରେ ଦେଓମାଳି ଓ ଗାଲିଗବଦ୍ଦର ଉପରେ ଆନ୍ଧ୍ରର ନଜର

କୋଟିଆ ଏଜେଣ୍ଟଙ୍କ ଉପସ୍ଥିତିରେ ପିକ୍‌ନିକ୍‌ କଲା ବିଜୟନଗରମ ପ୍ରଶାସନ

କୋରାପୁଟ/ପଟାଙ୍ଗୀ : ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ ଗ୍ରାମଗୁଡିକୁ ନେଇ ବିବାଦ ଲାଗି ରହିଛି। ଏନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ସରିବାର କିଛି ଦିନ ପରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ରବିବାର ପୁଣି ପଶିଛି ଆନ୍ଧ୍ରର ବିଜୟନଗରମ୍ ପ୍ରଶାସନ। ଏଯାଏ ସଚିବସ୍ତରୀୟ ବୈଠକ ହୋଇପାରି ନ ଥିବାବେଳେ ରବିବାର ଓଡ଼ିଶାର ଉଚ୍ଚତମ ଶୃଙ୍ଖ ଦେଓମାଳିରେ ପ୍ରବେଶ କରିଥିଲେ ବିଜୟନଗରମ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ୬ ଆଇଏଏସ। ତାଙ୍କ ସହ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ। କୋଟିଆରେ ଥିବା ଆନ୍ଧ୍ର ଏଜେଣ୍ଟଙ୍କ ଉପସ୍ଥିତିରେ ଦେଓମାଳିରେ ଭୋଜିଭାତ କରି ଗାଲିଗବଦ୍ଦର ପିକ୍‌ନିକ୍‌ ସ୍ପଟ୍‌ ବୁଲିଥିଲେ। ତେବେ ସେମାନଙ୍କ ଭିତରେ କ’ଣ ଆଲୋଚନା ହୋଇଛି ଜଣାପଡିନଥିଲେ ବି କୋଟିଆରେ ଆନ୍ଧ୍ର ଯେଉଁ ବିବାଦର ମଞ୍ଜି ବୁଣିଛି ସେଠାରେ ମଧ୍ୟ ଏହି ଥୋପ ଛାଡ଼ିବାକୁ ନଜର ପକାଇଥିବା ଆଶଙ୍କା କରାଯାଉଛି। ତେବେ ଏହି ଅଧିକାରୀମାନେ ଆସିବାଠାରୁ ଯିବା ଯାଏଁ ଆନ୍ଧ୍ର ଓ ଓଡ଼ିଶା ପୁଲିସ ଭିତରେ ଛକାପଞ୍ଝା ଲାଗି ରହିଥିଲେ ବି କୌଣସି ତଥ୍ୟ ଜଣାପଡ଼ିନାହିଁ।

ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳର ଦୃଶ୍ୟ। ବିଜୟନଗରମ ଜିଲ୍ଲାପାଳ ଏ.ସୂର୍ଯ୍ୟକୁମାରୀ, ଜଏଣ୍ଟ କଲେକ୍ଟର ମୟୂର  ଅଗ୍ରୱାଲ, ପିଓ ଆଇଟିଡିଏ ଆର.କୁର୍ମାନାଥ, ଜଏଣ୍ଟ କଲେକ୍ଟର ମହେଶ କୁମାର, ଜେ.ସି କିଶୋର କୁମାର ଓ ବିଜୟନଗରମ ଜଏଣ୍ଟ କଲେକ୍ଟର ଏମ.ଭାବନା ପଟାଙ୍ଗୀର କୁନ୍ଦୁଲିଠାରେ ପହଞ୍ଚିଥିଲେ। ସେମାନଙ୍କ ସହିତ ଥିଲେ ୨୨ ଲାଇନ ଡିପାର୍ଟମେଣ୍ଟର ୫୭ କର୍ମଚାରୀ। ଏହା ପୂର୍ବରୁ ଆନ୍ଧ୍ରର ସାଦା ପୋଷାକଧାରୀ ପୁଲିସ ଅଞ୍ଚଳ ପରିଦର୍ଶନ କଲା ପରେ ସେମାନେ ପହଞ୍ଚିଥିଲେ। କିନ୍ତୁ ଅଧିକାରୀମାନେ ପହଞ୍ଚିବା ପରେ ସାଦା ପୋଷାକଧାରୀ ପୁଲିସ ପ୍ରତି ଛକରେ ଜଗି ରହିଥିଲେ। କୋଟିଆରେ ଥିବା ଆନ୍ଧ୍ର ଏଜେଣ୍ଟଙ୍କ ଜରିଆରେ ସେମାନେ ଦେଓମାଳୀରେ ପହଞ୍ଚିଥିଲେ। କାହିଁକି ଓଡ଼ିଶା ମଧ୍ୟରେ ଆନ୍ଧ୍ର ପ୍ରଦେଶର ବିଜୟଗନରମ୍ ଜିଲ୍ଲା ପ୍ରଶାସନ ପୁରା ଷ୍ଟାଫ ସହ ପ୍ରବେଶ କଲେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଏନେଇ କୋରାପୁଟ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ସୂଚନା ପାଇବା ପରେ  ଓଡ଼ିଶା ପୁଲିସ ଓ ପ୍ରଶାସନ ହଠାତ ଚେଇଁ ଉଠିଥିଲା । ସେମାନେ ପରିବାର ସହ ଦେଓମାଳି ଓ ଗାଲିଗବଦ୍ଦରକୁ ଆସିଥିବାବେଳେ କାହିଁକି ଓ କେଉଁ ପରିସ୍ଥିତିରେ ସରକାରୀ ଗାଡି ଚଢି ଆସିଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି ।

ସେଠାରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି । ସେଠରେ ଉପସ୍ଥିତ ଥିବା ଆନ୍ଧ୍ର ପୁଲିସ ପ୍ରଥମେ ଭିତରକୁ ଛାଡି ନ ଥିବାବେଳେ ପରେ ଓଡ଼ିଶାର କୋରାପୁଟ ଏଡିଏମ ରାମେଶ୍ୱର ପ୍ରଧାନ, ପଟାଙ୍ଗୀ ବିଡିଓ, ସେମିଳିଗୁଡା ବିଡିଓ  ଓ କୋରାପୁଟ ତହସିଲଦାର ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସହ ପୁଲିସକୁ ଦେଖିବା ପରେ ସେମାନେ ଉଭାନ ହୋଇଯାଇଥିଲେ। ଦେଓମାଳିରେ ବିଜୟନଗରମ ପ୍ରଶାସନିକ ଅଧିକାରୀମାନେ  ପହଞ୍ଚିବା ପରେ ୪ ଘଣ୍ଟା କାଳ ଭୋଜିଭାତରେ ମସଗୁଲ ‌ଥିଲେ। ପରେ ସେଠାରୁ ଗାଲିଗବଦ୍ଦର ପିକ୍‌ନିକ୍ ସ୍ପଟକୁ ଯାଇଥିଲେ। ସେଠାରେ ୨ ଘଣ୍ଟା କାଳ ବୁଲାବୁଲି କରି ଫେରି ଯାଇଥିଲେ। ହେଲେ ଦିନ ତମାମ ଆନ୍ଧ୍ର ଓ ଓଡ଼ିଶା ପୁଲିସ ଭିତରେ ଛକାପଞ୍ଝା ଲାଗି ରହିଥିଲା। ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ସେମାନେ ପିକ୍‌ନିକ୍‌ ଉଦ୍ଦେଶ୍ୟରେ ଆସିଥାନ୍ତେ ତେବେ ସେମାନଙ୍କ ନିଜ ଗାଡି ଆଣିଥାନ୍ତେ। ତାହା ନ କରି ସେମାନେ ସରକାରୀ ଗାଡିରେ ଆସିଥିଲେ। ସରକାରୀ ଗାଡ଼ିରେ ସେମାନେ ଆସିଥିବା ଓ କୋଟିଆରେ ଥିବା ଆନ୍ଧ୍ର ଏଜେଣ୍ଟଙ୍କ ମନମୁଖୀ ଯୋଗୁ କୌଣସି ଫିସ୍‌ ଦେଇନଥିବା ଯୋଗୁ ସେଠାରେ ହୋହଲ୍ଲା ପରିସ୍ଥିତି ଉପୁଜିଥିଲା। ପରେ ସେମାନେ ତରବରିଆ ଭାବେ ନମ୍ବର ପ୍ଲେଟକୁ ଘୋଡାଇ ଦେଇଥିଲେ। ତେବେ କିପରି ଓ କେଉଁ ପରିସ୍ଥିତିରେ କୋଟିଆରେ କାର୍ଯ୍ୟ କରୁଥିବା ଆନ୍ଧ୍ରର ଏଜେଣ୍ଟ ସେଠାକୁ ଆସିଥିଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି । ସେମାନଙ୍କୁ ସେଠାକୁ କାହିଁକି ଡକାଯାଇଥିଲା ତାହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। କୋଟିଆ ଗ୍ରାମପୁଞ୍ଜ ପରେ ଏବେ ଦେଓମାଳି ଓ ଗାଲିଗଦ୍ଦର ଉପରେ ଆନ୍ଧ୍ରର ନଜର ପଡିଥିବା ଆଶଙ୍କା କରାଯାଉଛି। ତେବେ ଏଠାରେ ମଧ୍ୟ ବିବାଦର ମଞ୍ଜି ବୁଣିବାକୁ ବିଜୟନଗରମ ପ୍ରଶାସନ ପ୍ରଥମ କରି ପିକ୍‌ନିକ୍‌ ଉଦ୍ଦେଶ୍ୟରେ ଆସିଥିବା କୁହାଯାଉଛି। କିନ୍ତୁ ଏଯାଏଁ କୋରାପୁଟ ଜିଲ୍ଲା ପ୍ରଶାନ କିମ୍ବା ପୁଲିସ କେହି ମୁହଁ ଖୋଲିନାହାନ୍ତି।

ସମ୍ବନ୍ଧିତ ଖବର