ହଳଦୀ ଓ ତେନ୍ତୁଳି ଉପରେ ଏବେ ଆନ୍ଧ୍ରର ନଜର

କୋଟିଆ ପଞ୍ଚାୟତରେ ବୁଲୁଛନ୍ତି ମାଳମାଳ ଅଧିକାରୀ

କୋରାପୁଟ:ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ପ୍ରତିବନ୍ଧକ ସୃଷ୍ଟି କରିବାର ଯୋଜନା କରି  ବିଫଳ ହୋଇଛି ଆନ୍ଧ୍ର। ହେଲେ ନିର୍ବାଚନ ସରିବାର ଦୁଇଦିନ ନସରୁଣୁ ପୁଣି କୋଟିଆ ପଞ୍ଚାୟତରେ ଅନଧିକାର ପ୍ରବେଶ କରିଛି। ଏବେ କିନ୍ତୁ କୋଟିଆ ଆଦିବାସୀଙ୍କ ତେନ୍ତୁଳି ଓ ହଳଦୀ ଉପରେ ନଜର ପକାଇଛି। ପୁରା ପଞ୍ଚାୟତରେ ମାଳମାଳ ଆନ୍ଧ୍ର ଅଧିକାରୀ ଘୁରି ବୁଲୁଛନ୍ତି। ମଙ୍ଗଳବାର ଦଳେ ଅଧିକାରୀ ଫାଟୁସିନେରି ଓ ନେରେଡିବାଲାସା ଗସ୍ତ କରିଥିବା ଦେଖିବାକୁ ମିଳିଛି।

ଆଦିବାସୀଙ୍କ ଦ୍ବାରା ବଣ ଜଙ୍ଗଲରୁ ସଂଗୃହିତ ଓ ନିଜ ବାଡ଼ି ବଗିଚାରେ ଉତ୍ପାଦିତ ସମସ୍ତ ସାମଗ୍ରୀକୁ କିଣିନେବା ପାଇଁ ଆନ୍ଧ୍ର ସରକାରଙ୍କ ଦ୍ଵାରା କୋଟିଆ  ପଞ୍ଚାୟତର ଫାଟୁସିନେରି ଓ ନେରେଡିବାଲାସା ରେ ଏକକ କ୍ରୟ କେନ୍ଦ୍ର ଖୋଲା ଯାଇଛି । ଆଜି ଆନ୍ଧ୍ରପ୍ରଦେଶ ଆଇଟିଡିଏର ଅତିରିକ୍ତ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବିଭାଗୀୟ ଅଧିକାରୀଙ୍କ ଦଳ  ଫାଟୁସିନେରି ଗସ୍ତ କରି ଆଦିବାସୀଙ୍କଠାରୁ ହଳଦୀ ଓ ତେନ୍ତୁଳି କିଣିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ଆଦିବାସୀମାନେ ଯେପରି ଏହି କେନ୍ଦ୍ରଗୁଡିକର ସଦୁପଯୋଗ କରି ନିଜ ଉତ୍ପାଦର ଉଚିତ୍ ମୂଲ୍ୟ ପାଇପାରିବେ ସେ ନେଇ ଏହି ସରକାରୀ ଦଳ ସଚେତନତା ସୃଷ୍ଟି କରିଥିଲେ ।

ସମ୍ବନ୍ଧିତ ଖବର