ଓଡ଼ିଶା ଲୋକଙ୍କ ଜମି ଅକ୍ତିଆର କରୁଛି ଆନ୍ଧ୍ର, ସିମେଣ୍ଟ ଖୁଣ୍ଟ ଉପାଡ଼ିଲେ ଗ୍ରାମବାସୀ

ରାୟଗଡ଼ା : ସାନଲୁକୁଟି ପରେ ଏବେ ପାଲମତୁଳସୀରେ ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ନିଜ ରାଜ୍ୟର ୩ଟି ଗାଁକୁ ରାସ୍ତା ସଂଯୋଗୀକରଣ ପାଇଁ ଓଡ଼ିଶା ଲୋକଙ୍କ ଚାଷ ଜମିକୁ ଅକ୍ତିଆର କରି ରାସ୍ତା ତିଆରି ପାଇଁ ଯୋଜନା କରିଛନ୍ତି ଆନ୍ଧ୍ର ସରକାର। ପ୍ରାଥମିକ ପର୍ଯ୍ୟାୟରେ ଜମି ଚିହ୍ନଟକରଣ ପ୍ରକ୍ରିୟା ସହ ରାସ୍ତାର ଉଭୟ ପାର୍ଶ୍ବରେ ସିମେଣ୍ଟ୍ ଖୁଣ୍ଟ୍ ପୋତିଛି ଆନ୍ଧ୍ର। ଆନ୍ଧ୍ରର ଏପରି ଦାଦାଗିରିକୁ ପାଲମତୁଳସୀବାସୀ ବିରୋଧ କରିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ପୋତା ଯାଇଥିବା ସିମେଣ୍ଟ୍ ଖୁଣ୍ଟକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି।

ରାୟଗଡ଼ା ବ୍ଲକ୍ ଦୁର୍ଗାପାଡ଼ୁ ପଞ୍ଚାୟତର ପାଲମତୁଳସୀ ଗାଁ ଆନ୍ଧ୍ର ସୀମାକୁ ଲାଗିଛି। ନିଜ ସ୍ବାର୍ଥ ପୂରଣ ପାଇଁ ଆନ୍ଧ୍ର ସରକାର ଏବେ ପାଲମତୁଳସୀ ଗାଁ ଉପରେ ନଜର ପକାଇଛନ୍ତି। ପାଲମତୁଳସୀ ଗାଁ ପରେ ଆନ୍ଧ୍ରର ଜୁଲେଙ୍କା, କିତିଲାମ୍ବା, ୱାର୍ଡଜଙ୍ଗ ଗାଁ ରହିଛି। କିନ୍ତୁ ଉକ୍ତ ୩ ଗାଁକୁ ଯାତାୟାତ ପାଇଁ ଆଜି ସୁଦ୍ଧା ଆନ୍ଧ୍ର ସରକାର ରାସ୍ତା ଖଣ୍ଡିଏ ନିର୍ମାଣ କରିବାରେ ସକ୍ଷମ ହୋଇନାହାନ୍ତି। ଏହି ୩ ଗାଁକୁ ଓଡ଼ିଶାର ଭୌଗୋଳିକ ସୀମା ଚାରିପଟୁ ଆବଦ୍ଧ କରି ରହିଥିବାରୁ ଗାଁକୁ ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର ସରକାରଙ୍କ ନିକଟରେ ସରକାରୀ ଜମି ନାହିଁ। ଅନ୍ୟପକ୍ଷରେ ଆନ୍ଧ୍ରକୁ ରାସ୍ତା ନିର୍ମାଣ ପାଇଁ ଜାଗା ଛାଡ଼ିବାକୁ ଓଡ଼ିଶା ସରକାରଙ୍କ ପାଖରେ ମଧ୍ୟ ସରକାରୀ ଜମି ନାହିଁ। ଫଳରେ ଆନ୍ଧ୍ର ସରକାର ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବେସରକାରୀ ଜମି ହଡ଼ପ କରିବାକୁ ମସୁଧା କରିଛନ୍ତି।

ରାସ୍ତା ନଥିବାରୁ ଆନ୍ଧ୍ରର ୩ ଗ୍ରାମବାସୀ ସରକାରଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଥିବାରୁ ଆନ୍ଧ୍ରର ଗାଇପକା ପଞ୍ଚାୟତ ସରପଞ୍ଚ ଭୀମା ରାଓ ପାଲମତୁଳସୀବାସୀଙ୍କୁ ଜମି ପ୍ରଦାନ ଲାଗି ଅନୁରୋଧ କରିଥିଲେ। ଗ୍ରାମର ଅଧିକାଂଶ ଜମି ଜଙ୍ଗଲ ଜମି କିସମର ହୋଇଥିବା ଦର୍ଶାଇ ଗାଇପକା ସରପଞ୍ଚ ପାଲମତୁଳସୀବାସୀଙ୍କୁ ପ୍ରଲୋଭନ ଦେଖାଇ ମନାଇଥିଲେ। ଫଳରେ ପାଲମତୁଳସୀ ଗାଁର ମିନା ପୁଆଲା, ଜାଇତା ପୁଆଲା, ଦିଅଁ ପୁଆଲା, ନିରୁନ ପୁଆଲା, ମୋହନ ପୁଆଲା ସମସ୍ତେ ନିଜ ମାଲିକାନାରେ ଥିବା ଜାଗା ଖଣ୍ଡେ ଲେଖାଏଁ ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ରକୁ ପ୍ରଦାନ କରିଥିଲେ। ଜମି ହାତେଇବା ପରେ ଓଡ଼ିଶା ସରକାର ଓ ରାୟଗଡ଼ା ଜିଲ୍ଲା ପ୍ରଶାସନର ଅଜାଣତରେ ରାଚ୍ଚାପାଡ଼ୁ ଛକରୁ ଏହି ୩ ଗାଁକୁ ରାସ୍ତା ନିର୍ମାଣ କାମ ଆନ୍ଧ୍ର ଆରମ୍ଭ କରିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ସିମେଣ୍ଟ୍ ଖୁଣ୍ଟ୍ ପୋତିଥିଲା।

ହେଲେ ଆନ୍ଧ୍ର କ୍ଷତିପୂରଣ ଦେବାକୁ ମନା କରିବା ପରେ ଗ୍ରାମବାସୀ ରାସ୍ତା ନିର୍ମାଣକୁ ବିରୋଧ କରିବା ସହ ସିମେଣ୍ଟ୍ ଖୁଣ୍ଟକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର