ନାଗାବଳୀର ଓଡ଼ିଶା ପଟ ମୁକୁଳା; ଫାଇଦା ନେଉଛି ଆନ୍ଧ୍ର, ୨ଟି ବ୍ୟାରେଜ କରି ପାଣି ମଡ଼ାଉଛି

୧୮ ବର୍ଷ ହେଲା ଶିଳାନ୍ୟାସରେ ଅଟକିଛି ମିନାଝୋଲା ବ୍ୟାରେଜ

ଭବାନୀପାଟଣା,(ଦେବେନ୍ଦ୍ର କୁମାର ବିଶି) : ନାଗାବଳୀର ଓଡ଼ିଶା ପଟ ମୁକୁଳା ଥିବାରୁ ଫାଇଦା ନେଉଛି ଆନ୍ଧ୍ର। ୨ଟି ବ୍ୟାରେଜ୍‌ ନିର୍ମାଣ କରି ନିଜର କ୍ଷେତ ପାଇଁ ଜ‌ଳଚେସନ ବ୍ୟବସ୍ଥା କରିଛି। ଓଡ଼ିଶା ପକ୍ଷରୁ ବ୍ୟାରେଜ୍‌ ନିର୍ମାଣ ନହେବା ଫଳରେ ଏହି ପଡ଼ୋଶୀ ରାଜ୍ୟ ଫାଇଦା ହାତେଇବାରେ ଲାଗିଛି। ୧୮ ବର୍ଷ ତଳେ ରାୟଗଡ଼ା ଜିଲ୍ଲା ମିନାଝୋଲାଠାରେ ବ୍ୟାରେଜ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଲା। ମାତ୍ର, ତାହା ଆଉ ଆଗକୁ ବଢ଼ି ପାରିନାହିଁ।

ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଗୁଣପୁର ପଞ୍ଚାୟତର ବାଲିସରା ଲାଖବାହାଲ ଗ୍ରାମ ନିକଟରୁ ନାଗାବଳୀ ନଦୀ ଉତ୍ପତ୍ତି ହୋଇଛି। ଏଠାରୁ ବାହାରି କଳାହାଣ୍ଡି ଜିଲ୍ଲାର ନାକରୁଣ୍ଡି, କେରପାଇ, ରାୟଗଡ଼ା ଜିଲ୍ଲାର କଲ୍ୟାଣୀସିଂହପୁର, ରାୟଗଡ଼ା, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଦେଇ କଳିଙ୍ଗପଟନମଠାରେ ବଙ୍ଗୋପସାଗରରେ ମିଶିଛି। ନାଗାବଳୀ ନଦୀ ଲାଖବାହାଲଠାରୁ କଳିଙ୍ଗପଟନମ ପର୍ଯ୍ୟନ୍ତ ପ୍ରାୟ ୨୫୬.୫ କିମି ନିଜର ଗତିପଥ ବିସ୍ତାର କରିଛି। ଓଡ଼ିଶାରେ ୮ହଜାର ବର୍ଗ କିମି ଥିବାବେଳେ ଆନ୍ଧ୍ରପ୍ରଦେଶରେ ୨୮୦୦ ବର୍ଗ କିମି ରହିଛି। ଓଡ଼ିଶାରେ ୧୬୦ କିମି ଯାଇଥିବା ବେଳେ ଅବଶିଷ୍ଟ ଆନ୍ଧ୍ରପ୍ରଦେଶରେ ରହିଛି। ଓଡ଼ିଶାରୁ ଏହି ନଦୀ ବାହାରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ୍‌ ବ୍ୟାରେଜ ନିର୍ମାଣ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ୨୦୦୪ ମସିହାରେ ରାଜ୍ୟ ସରକାର ପକ୍ଷରୁ ରାୟଗଡ଼ା ଜିଲ୍ଲାର ମିନାଝୋଲାଠାରେ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କାରାଯାଇଥିଲା। ଏହାପରେ ୧୮ବର୍ଷ ବିତି ଯାଇଥିଲେ ମଧ୍ୟ ବ୍ୟାରେଜ ନିର୍ମାଣ ହୋଇପାରି ନାହିଁ।

ମିନାଝୋଲା ଜଳବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ନହେବା ଯୋଗୁ ସରକାରୀ ନାଲିଫିତା ତଳେ ଏହାର ଭବିଷ୍ୟତ ପଡ଼ିରହିଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ୨ଟି ବ୍ୟାରେଜ ନିର୍ମାଣ ହୋଇସାରିଛି। ଏହାକୁ ନେଇ ୧୯୬୨ ମସିହା ସେପ୍ଟେମ୍ବର ୩୦ ତାରିଖରେ ଆନ୍ତଃରାଜ୍ୟ ଜଳ କମିସନଙ୍କ ପାଖରେ ଫେରାଦ ହୋଇଥିଲା। ତତ୍କାଳୀନ ଅଧ୍ୟକ୍ଷ ଜଷ୍ଟିସ ମୁକୁନ୍ଦମ ଶର୍ମା ଏହି ବିବାଦର ଶୁଣାଣି କରି ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ୫୦% ଲେଖାଏଁ ପାଣି ବ୍ୟବହାର କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ମୁନ୍ଦାଏ ପାଣି ମଧ୍ୟ ଜଳସେଚନ ନିମନ୍ତେ ବ୍ୟବହାର କରିପାରି ନାହିଁ। ଏପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ପକ୍ଷରୁ ବିଜୟନଗରମ ଜିଲ୍ଲାରେ ଗୋଟା ବ୍ୟାରେଜ ଓ ନାରେଡ଼ି ବ୍ୟାରେଜ ନିର୍ମାଣ କରିସାରିଛି। ନାରେଡ଼ି ବ୍ୟାରେଜ ଦ୍ବାରା ଏହାର ବାମ ମୁଖ୍ୟ କେନାଲରେ ୧ଲକ୍ଷ ୪୮ ହଜାର ଏକର ଓ ଦକ୍ଷିଣ ମୁଖ୍ୟ କେନାଲରେ ୬୨ହଜାର ୭ଶହ ଏକର ଜମି ଜଳସେଚିତ ହେଉଛି। ସେହିଭଳି ଉଭୟ ଗୋଟା ଓ ନାରେଡ଼ି ବ୍ୟାରେଜ ଦ୍ବାରା ୧୧୫ ହଜାର ମିଲିୟନ କ୍ୟୁବିକଫିଟ୍‌ ଜଳ ନିଷ୍କାସିତ ହେଉଛି। ଓଡ଼ିଶାରେ ନାଗାବଳୀ ଅଞ୍ଚଳରେ ବାର୍ଷିକ ବୃଷ୍ଟିପାତ ୧୪ଶହ ମିମି ଥିବାବେଳେ ଆନ୍ଧ୍ରପ୍ରଦେଶରେ ବାର୍ଷିକ ୨୫୦ରୁ ୩୦୦ ମିମି ବୃଷ୍ଟିପାତ ହୋଇଥାଏ। ଓଡ଼ିଶାର ଏହି ବୃଷ୍ଟିପାତରୁ ନାଗାବଳୀ ନଦୀ ଜରିଆରେ ଆଜି ଆନ୍ଧ୍ରପ୍ରଦେଶ ଶସ୍ୟ ଶ୍ୟାମଳା ହେଉଛି।

ଅନ୍ୟପକ୍ଷରେ, ନାଗାବଳୀକୁ ନେଇ ଆନ୍ଧ୍ରପ୍ରଦେଶ ଫାଇଦା ଉଠାଉଥିବା ବେଳେ ଓଡ଼ିଶା ଜଳକା ହୋଇ ରହିଛି। ୧୮ ବର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ମିନାଝୋଲାଠାରେ ବ୍ୟାରେଜ ନିର୍ମାଣ ମରୀଚିକା ପାଲଟିଛି। ଓଡ଼ିଶାର ରାଜନେତାମାନେ ଏଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଯୋଗୁ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଆନ୍ଧ୍ରପ୍ରଦେଶ ନାଗାବଳୀ ଯୋଗୁ ଜଳସେଚନ ବ୍ୟବସ୍ଥା କରି ଚାଷୀଙ୍କ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। ଅନ୍ୟପକ୍ଷରେ ସବୁଥାଇ ଇଚ୍ଛାଶକ୍ତିର ଅଭାବ ଯୋଗୁ ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡ଼ିଛି।

ସମ୍ବନ୍ଧିତ ଖବର