ପାରଳାଖେମୁଣ୍ତି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ସାବା ଗ୍ରାମ ଗୁଡ଼ିକ ପୁନର୍ବାର ଚର୍ଚ୍ଚା ପରିଧିକୁ ଆସିଛି। କିଛିଦିନ ହେଲା ପଞ୍ଚାୟତକୁ ଲାଗି ଥିବା ଆନ୍ଧ୍ରପ୍ରଦେଶର ମଞ୍ଜୁଷା ମଣ୍ତଳରୁ କିଛି ରାଜନେତା ବର୍ତ୍ତମାନ ଗଙ୍ଗାବାଡ଼ରେ ପଞ୍ଚାୟତ ନିର୍ବାଚନ ଭଣ୍ତୁର କରିବା ପ୍ରୟାସ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ କିଛି ତେଲୁଗୁ ଖବରକାଗଜରେ ପ୍ରକାଶ ପାଇଥିବା ଖବର ଅନୁସାରେ, ମାଣିକପାଟଣା ଏବଂ ଓଡ଼ିଶାର ଅନ୍ୟ ସୀମାନ୍ତ ଗ୍ରାମଗୁଡ଼ିକରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବନ୍ଦ କରାଯାଉ ବୋଲି ପଲାସା ବିଧାୟକ ତଥା ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ସିନ୍ଧିରି ଆପ୍ପାଲାରାଜୁଙ୍କୁ ଲିଖିତ ଭାବେ ନିବେଦନ କରିଥିବା ପ୍ରକାଶ ପାଇବା ପରେ ଏହା ଘନୀଭୂତ ହୋଇଛି।

Advertisment

ଓ୍ୱାଇଏସ୍‌ଆର କ˚ଗ୍ରେସର କିଛି ମଞ୍ଜୁଷା ମଣ୍ତଳ ନେତା ମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ ଓଡ଼ିଶା ପୁଲିସ ଓ ଗଜପତି ଜିଲ୍ଲା ପ୍ରଶାସନ ଯେଉଁ ନିର୍ବାଚନ ପ୍ରକ୍ରିୟା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ତାକୁ ତୁରନ୍ତ ବନ୍ଦ କରାଯାଉ। ବିବାଦ ନ ତୁଟିବା ପର୍ଯ୍ୟନ୍ତ ଗଙ୍ଗାବାଡ଼ ପଞ୍ଚାୟତର କୌଣସି ସୀମାନ୍ତ ଗ୍ରାମରେ ଭୋଟ କେନ୍ଦ୍ର ଖୋଲା ନ ଯାଉ ବୋଲି ସେମାନେ କହିଛନ୍ତି। ସେହିଭଳି, ସାବାକୋଟା ପଞ୍ଚାୟତର ସରପଞ୍ଚ ମାଦିଲା ରାମା ରାଓ ନିଜ ସମର୍ଥକଙ୍କ ସହ ଆନ୍ଧ୍ର ମନ୍ତ୍ରୀ ଏସ.ଆପ୍ପାଲାରାଜୁଙ୍କୁ ସାକ୍ଷାତ କରି କୌଣସି ମତେ ନିର୍ବାଚନ ବନ୍ଦ କରିବା ପାଇଁ ଦାବି ଉପସ୍ଥାପନ କରିଥିବା ଜଣାଯାଇଛି।