ଆନ୍ଧ୍ର ମାଫିଆଙ୍କ ଆଦିବାସୀ ଜମି ଜବରଦଖଲ ଘଟଣା: ବାହାରିଲା ୧୧ ଏକରରୁ ଅଧିକ ସରକାରୀ ଜମି

ରାଜସ୍ୱ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବୋରିଂପଦର ଗାଁରେ ଆଦିବାସୀଙ୍କ ଜମିକୁ ଜଣେ ଆନ୍ଧ୍ର ଚାଷୀ କବ୍‌ଜା କରିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ନିର୍ଦ୍ଦେଶକ୍ରମେ ଆଜି ନଙ୍ଗଳବେଡ଼ା ରାଜସ୍ୱ ନିରୀକ୍ଷକ ସରୋଜ ସାହୁ ବୋରିଂପଦରରେ ପହଞ୍ଚି ଘଟଣା ବିଷୟରେ ଆଲୋଚନା କରିଥିଲେ। ପରେ ଆନ୍ଧ୍ର ଜମି ମାଫିଆଙ୍କ ରେକର୍ଡଭୁକ୍ତ ଜମି, ସେ ଜବରଦଖଲ କରିଥିବା ଆଦିବାସୀଙ୍କ ଜମି ଓ ସରକାରୀ ତଥା ଗୋଚର ଜମି ଚିହ୍ନଟ କରିଥିଲେ। ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଜମିକୁ ମାପିବା ପରେ ଆନ୍ଧ୍ର ଚାଷୀଙ୍କ ୩୦ ଏକର ୯ ଡିସ୍‌ମିଲ୍‌ ରହିଥିବା ବେଳେ ସେ ଜବର ଦଖଲ କରିଥିବା ୧୧ ଏକରୁ ଉର୍ଦ୍ଧ୍ବ ଜମିକୁ ରାଜସ୍ୱ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି।

ଏହି ୧୧ ଏକର ମଧ୍ୟରେ ଗ୍ରାମ୍ୟ ଜଙ୍ଗଲ ଓ ବସ୍ତି ଯୋଗ୍ୟ ଜମି ବୋଲି ଚିହ୍ନଟ କରାଯାଇଛି। ଅଭିଯୋଗ କରିଥିବା ବୋରିଂପଦର ଗାଁର ୪ ଜଣ ଆଦିବାସୀଙ୍କ ଗ୍ରାମ୍ୟ ଜଙ୍ଗଲ ଛାଡ଼ି ଅନ୍ୟ ଏକ ପ୍ଲଟରେ ୫୦ ଡିସ୍‌ମିଲ୍ ଲେଖାଏଁ ଜମି ରହିଥିବା ଜଣାପଡ଼ିଛି। ଏଣୁ ରାଜସ୍ୱ ବିଭାଗ ତରଫରୁ ପାଖାପାଖି ୧୧ ଏକର ଜମି ଆନ୍ଧ୍ର ଚାଷୀର ଦଖଲରେ ରଖିଥିବା ଚିହ୍ନଟ ପରେ ଅତିଶୀଘ୍ର ଜମି ଛାଡ଼ିବାକୁ ନୋଟିସ୍‌ ଦିଆଯିବ ବୋଲି ନଙ୍ଗଳବେଡ଼ା ଆର୍‌ଆଇ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଆଜି ଜମି ମାପିବା ସମୟରେ ବାତେଲିମା ସରପଞ୍ଚ କରୁଣା ମାଝୀ, ସମିତିସଭ୍ୟ ଗୋବିନ୍ଦ ନାଏକଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର