ଓଡ଼ିଶା ଭିତରେ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି, ୨୨ ଗାଡ଼ିରେ ୨୦୦ ସମର୍ଥକ ଆସିଲେ, ଅଙ୍ଗନବାଡ଼ି କେନ୍ଦ୍ର ତାଲା ଭାଙ୍ଗିଲେ

ଓଡ଼ିଶା ଅଧିକାରୀଙ୍କୁ ଧମକାଇଲେ-ମାଣିକପାଟଣା ଦଖଲ କରିବୁ, ବାଧା ଦେଲେ କାର୍ଯ୍ୟାନୁଷ୍ଠାନ
ଅଧିକାରୀ, ପୁଲିସ ନିରବଦ୍ରଷ୍ଟା

ପାରଳାଖେମୁଣ୍ଡି : ମାଣିକପାଟଣା ଆମର, ଓଡ଼ିଶାର ଦାବି ଭିତ୍ତିହୀନ। ମାଣିକପାଟଣା ଆମଠୁ ଛଡ଼ାଇ ନେବାକୁ ଉଦ୍ୟମ ହେଉଛି, ଏହାକୁ ଦଖଲ କରିବୁ। ଓଡ଼ିଶା ଅଧିକାରୀମାନେ ଏଥିରେ ପ୍ରତିବନ୍ଧକ ସୃଷ୍ଟି କଲେ କଡ଼ା ଜବାବ ଦେବ ଆନ୍ଧ୍ର, କାର୍ଯ୍ୟାନୁଷ୍ଠାନ ନେବୁ। କୌଣସି ପରିସ୍ଥିତିରେ ମାଣିକପାଟଣା ଛାଡ଼ିବୁ ନାହିଁ। ଏହା ଆନ୍ଧ୍ରର ମଞ୍ଜୁଷା ମଣ୍ଡଳର। ୩୦ ବର୍ଷ ହେଲା ଏହା ଆନ୍ଧ୍ରରେ ରହିଛି। ଏମିତି ଭାଷାରେ ଗୁରୁବାର ଦିନ ଗଣମାଧ୍ୟମ ଆଗରେ ଓଡ଼ିଶା ସରକାରଙ୍କୁ ଚାଲେଞ୍ଜ୍‌ ଦେଇଛନ୍ତି ଆନ୍ଧ୍ରପ୍ରଦେଶର ଯୁବମନ୍ତ୍ରୀ ତଥା ପଲାସା ବିଧାୟକ ଡ.ଏସ୍‌.ଆପ୍ପାଲାରାଜୁ।

ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣାରେ ଗୁରୁବାର ଦିନନ ମନ୍ତ୍ରୀ ଆପ୍ପାଲାରାଜୁଙ୍କୁ ଏସ୍‌କର୍ଟ କରି ଆଣିବାକୁ ବ୍ୟାପକ ପୁଲିସ ନିୟୋଜିତ ହୋଇଥିଲେ। ଗଙ୍ଗାବାଡ଼, ମାଣିକପାଟଣାକୁ ଆନ୍ଧ୍ର ପୁଲିସ ଛାଉଣି କରି ଦେଇଥିଲା। ୨୨ଟି ଗାଡ଼ିରେ ପ୍ରାୟ ୨ଶହ ଅଫିସର, କର୍ମୀ, ସମର୍ଥକଙ୍କୁ ଧରି ପଟୁଆରରେ ମନ୍ତ୍ରୀ ମାଣିକପାଟଣାରେ ପଶି ଦାଗାଗିରି ଦେଖାଇଲେ। ତାଙ୍କ ସମର୍ଥକ ପୂରା ଗାଁ କବ୍‌ଜା କଲେ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗାଁରେ ନିର୍ମିତ ହୋଇଥିବା ଓ ଦୁଇ ଦିନ ତଳେ ଗଜପତି ଜିଲ୍ଲା ପ୍ରଶାସନ ବନ୍ଦ କରିଥିବା ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରକୁ ମନ୍ତ୍ରୀ ଆପ୍ପାଲାରାଜୁ ସମର୍ଥକଙ୍କ ଗହଣରେ ତାଲା ଭାଙ୍ଗିଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମଞ୍ଜୁଷା ମଣ୍ଡଳ ଅଧିକାରୀମାନେ ଜବରଦସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିଲେ। ଏଠାରେ ମନ୍ତ୍ରୀ ଆପ୍ପାଲାରାଜୁ କିଛି ପିଲାଙ୍କୁ ଅଣ୍ଡା ଓ ଛତୁଆ ମଧ୍ୟ ବଣ୍ଟନ କଲେ।

ତେବେ ଏ ସମୟରେ ମାଣିକପାଟଣାରେ ସ୍ଥିତି ଉପରେ ନଜର ରଖିବାକୁ ଯାଇଥିବା ଗଜପତି ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ ବିଡିଓ ଏବଂ ଗାରାବନ୍ଧ ଥାନା ଅଧିକାରୀଙ୍କ ସହ କିଛି ହୋମଗାର୍ଡ଼ ଆନ୍ଧ୍ର ମନ୍ତ୍ରୀ ଓ ତାଙ୍କ ସମର୍ଥକଙ୍କ ଏଭଳି ଦାଦାଗିରି ଦେଖି କେବଳ ନିରବଦ୍ରଷ୍ଟା ସାଜି ରହିଗଲେ। ଏପରିକି ଉପସ୍ଥିତ ଥିବା ଗଜପତି ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ଆନ୍ଧ୍ର ମନ୍ତ୍ରୀଙ୍କ ସମର୍ଥକ ଦୁର୍ବ୍ୟବହାର କରିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା ଏହି ଘଟଣାର ଦୃଢ଼ ନିନ୍ଦା କରିବା ସହ ମାଣିକପାଟଣା ଗ୍ରାମଟି ଓଡ଼ିଶାର ଏବଂ ଦାଦାଗିରି କରି କେହି ଏହାକୁ ଜବରଦଖଲ କରିପାରିବେ ନାହିଁ ବୋଲି କହିଛନ୍ତି। ପଡ଼ୋଶୀ ରାଜ୍ୟର ମନ୍ତ୍ରୀ କେବଳ ରାଜନୀତି ପାଇଁ ଏଭଳି ନାଟକବାଜି କରୁଛନ୍ତି। ଆଇନ ପରିସର ଭିତରେ ଶାନ୍ତିଶୃଙ୍ଖଳା ସହ ସୀମା ବିବାଦ ତୁଟାଇବା ପାଇଁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।

ଉଲ୍ଳେଖର ବିଷୟ ଯେ ଓଡ଼ିଶା ସୀମାନ୍ତ ମାଣିକପାଟଣା ଗ୍ରାମରେ ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ବେ ଆନ୍ଧ୍ରପ୍ରଦେଶ ମଞ୍ଜୁଷା ମଣ୍ଡଳ ପକ୍ଷରୁ ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରା ଯାଇଥିଲା। ଏହା ଜାଣିବା ପରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୭ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ୍‌ କରା ଯାଇଥିଲା। ସେତେବେଳେ ଗଜପତି ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା, ଗଜପତି ପିଡି ଡିଆରଡିଏ ଅନାମ ଚରଣ ପାତ୍ର, ଉପଜିଲ୍ଲାପାଳ ଦିଲ୍ଲୀପ ମହାରଣା ପ୍ରମୁଖ ଉପସ୍ଥିତ ରହି ଅଙ୍ଗନବାଡ଼ି କେନ୍ଦ୍ର ତାଲା ପକାଇଥିଲେ। ଓଡ଼ିଶାର ଜମିରେ ଆନ୍ଧ୍ର ସରକାରୀ ଅନୁଷ୍ଠାନ ନିର୍ମାଣ କରିପାରିବେ ନାହିଁ ବୋଲି ଘୋଷଣା କରିଥିଲେ। ତେବେ ଏହାର ଜବାବ୍‌ ଦେବାକୁ ଆଜି ଆନ୍ଧ୍ର ମନ୍ତ୍ରୀ ନିଜ ସମର୍ଥକଙ୍କ ସହ ଆସି ଶକ୍ତି ପ୍ରଦର୍ଶନ କରିବା ସହ ଦାଦାଗିରି ଦେଖାଇ ମାଣିକପାଟଣା ଗ୍ରାମକୁ ଆନ୍ଧ୍ରପ୍ରଦେଶ ସରକାର ନିଜ ଦଖଲ ନେବବୋଲି ଧମକ ଦେଇ ଯାଇଥିଲେ।

ସମ୍ବନ୍ଧିତ ଖବର