ବିଶାଖାପାଟଣାରେ ଆନ୍ଧ୍ର-ଓଡ଼ିଶା ଡିଜିଙ୍କ ଗୁପ୍ତ ବୈଠକ : ଏଣିକି ମାଓଗଡ଼ରେ ହେବ ପ୍ରଚଣ୍ଡ ଆକ୍ରମଣ

ଭୁବନେଶ୍ୱର : ମାତ୍ର ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ଦୁଇଟି ଅପରେସନ୍‌ରେ ୭ ମାଓବାଦୀଙ୍କୁ ନିପାତ କରିବା ଘଟଣା ପୁଲିସର ମନୋବଳ ବଢାଇ ଦେଇଛି। ଆଜି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ମାଓବାଦୀଙ୍କୁ ନିପାତ କରିବା ଲାଗି ଅପରେସନ୍‌ ଜୋରଦାର କରାଯିବ। ଏଣିକି ମାଓଗଡ଼ରେ ସିଧାସଳଖ ପୁଲିସ ପଶି ଆକ୍ରମଣ କରିବ।

ସେପଟେ ମାଓ ଦମନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ସନ୍ଧ୍ୟାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସିଂହ ଟେଲିଫୋନ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହିତ ମାଓ ନିୟନ୍ତ୍ରଣ ସଂପର୍କରେ ଆଲୋଚନା କରିଥିଲେ। ଗତକାଲି ବଲାଙ୍ଗୀର ଓ କନ୍ଧମାଳରେ ଓଡ଼ିଶା ପୁଲିସ ଯେଭଳି ସମନ୍ଵୟ ରକ୍ଷା କରି ମାଓ ଦମନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଲେ, ସେ ନେଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ପୁଲିସକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପୁଲିସ ଡିଜିଙ୍କୁ ଫୋନ୍‌ ଯୋଗେ ଅଭିନନ୍ଦନ ଜଣାଇଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା କାଳରେ ମାଓ ଦମନ କ୍ଷେତ୍ରରେ ଓଡ଼ିଶାର ଯେଉଁ ପ୍ରସ୍ତାବ କେନ୍ଦ୍ର ନିକଟରେ ବିଚାରାଧୀନ ରହିଛି, ସେ ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ସକାରାତ୍ମକ ମନୋଭାବ ପ୍ରକଟ କରିଛନ୍ତି।

ଆଜି ପୁଲିସ ଡିଜି ଶ୍ରୀ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଣିକି ଗୁଇନ୍ଦା ସୂଚନା ଆଧାରରେ ମାଓବାଦୀମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯିବ। ଓଡ଼ିଶା ପୁଲିସ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଛତିଶଗଡ଼ ପୁଲିସର ସହଯୋଗ ନେବ। ମାଓଗଡ଼କୁ ଚାରିପଟୁ ଘେରାଯିବ। କେବଳ ବଲାଙ୍ଗୀର କିମ୍ବା କନ୍ଧମାଳ ନୁହେଁ, ମାଓ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ମାଲାକାନଗିରି, ନୂଆପଡ଼ା ଜିଲ୍ଲାରେ ଅପରେସନ୍‌ ଜୋରଦାର କରାଯିବ।

ଡିଜି କହିଛନ୍ତି, ମାଓ କ୍ୟାମ୍ପରୁ ଯେଉଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ସେ ନେଇ ପୁଲିସ ଅନୁଧ୍ୟାନ କରୁଛି। କେଉଁ ସୂତ୍ରରୁ ମାଓବାଦୀ ଏକେ-୪୭ ଏବଂ ଏସ୍‌ଏଲ୍‌ଆର୍‌ ଭଳି ଅତ୍ୟାଧୁନିକ ମାରଣାସ୍ତ୍ର ହାସଲ କଲେ, ବିଦେଶୀ ଲିଙ୍କ୍‌ ନେଇ ମଧ୍ୟ ପୁଲିସ ଖୋଳତାଡ଼ କରୁଛି।

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ବିଳମ୍ବିତ ସନ୍ଧ୍ୟାରେ ବିଶାଖାପାଟଣାରେ ଓଡ଼ିଶା ଡିଜି ଡାକ୍ତର ଶର୍ମା, ରାଜ୍ୟ ଗୁଇନ୍ଦା ନିର୍ଦେଶକ ଓ ବରିଷ୍ଠ ଅଧିକାରୀ ପ୍ରମୁଖଙ୍କ ସହିତ ଆନ୍ଧ୍ର ପୁଲିସ ଡିଜି ଓ ସେଠାକାର ବଛା ବଛା ଅଫିସରଙ୍କର ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି। ସୀମାନ୍ତ ଜିଲ୍ଲାରେ ମିଳିତ ଅପରେସନ୍‌ ପାଇଁ ଉଭୟ ସହମତ ହୋଇଛନ୍ତି ଏବଂ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି। ବିଶେଷକରି ବିଚ୍ଛିନ୍ନାଞ୍ଚଳକୁ ଆନ୍ଧ୍ର ପଟୁ ମାଓବାଦୀମାନେ ପ୍ରବେଶ କରୁଥିବା ପରିପ୍ରେକ୍ଷୀରେ ସେଠାରେ ମିଳିତ ଅପରେସନ୍‌ ପାଇଁ ଉଭୟ ଡିଜିଙ୍କ ମଧ୍ୟରେ ଏକ ଆକ୍ସନ ପ୍ଲାନକୁ ଚୂଡାନ୍ତ ରୂପ ଦିଆଯାଇଛି।

ଉଲ୍ଲେଖଥାଉକି, ଗତକାଲି ଓଡ଼ିଶା ପୁଲିସର ଅପରେସନ୍‌ରେ ତିନି ତିନି ଜଣ କ୍ୟାଡର ନେତାଙ୍କ ମୃତ୍ୟୁ ୪ଟି ରାଜ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଖାସ୍‌ ସେହି କାରଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ସାଧୁବାଦ ଜଣାଇଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ଧରି ବଲାଙ୍ଗୀର-ବରଗଡ-ମହାସମୁଦ (ବିବିଏମ୍‌)ଡିଭିଜନରେ ମାଓ ଗତିବିଧି ବେଶ୍‌ ସକ୍ରିୟ ହୋଇପଡିଥିଲା। ମୃତ ମାଓବାଦୀ ସଂଜୀବ ଏହି ଡିଭିଜନର ନେତୃତ୍ୱ ନେଉଥିଲା ଓ ଏହାର ଏକ ଶାଖା କାରବାର ବୁଝୁୁଥିଲା ରାକେଶ। ଯେହେତୁ ସଂଜୀବ ମାଓ କ୍ୟା଼ଡ଼ରର ଜଣେ ଟାଣୁଆ ନେତା, ତେଣୁ ତାକୁ ଏକେ-୪୭ ଦିଆଯାଇଥିଲା। ଗତକାଲି ଅପରେସନ୍‌ରେ ଉଭୟଙ୍କ ମୃତ୍ୟୁ ପରେ ଏହି ଡିଭିଜନ ଏବେ ନେତୃତ୍ୱ ଶୂନ୍ୟ ହୋଇପଡିଛି।

ସେହିଭଳି କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ ( କେକେବିଏନ୍‌) ଡିଭିଜନ ପାଇଁ ବାଦଲ ଓରଫ୍‌ ଶଙ୍କର ମାଝୀର ମୃତ୍ୟୁ ଆନ୍ଧ୍ର, ଝାଡଖଣ୍ଡ, ଓଡ଼ିଶା ଓ ଛତିଶଗଡ ମାଓ ସଂଗଠନ ପାଇଁ ଏକ ବଡ଼ ଧକ୍‌କା। କାରଣ, ଶଙ୍କର ଜଣେ ଓଡ଼ିଆ ଓ ତାର ଘର ଦେବଗଡ-ସମ୍ବଲପୁର ସୀମାନ୍ତରେ। ସେ ଗତ ୧୩ ବର୍ଷ ଧରି ମାଓ ସଂଗଠନ ସହିତ ରହିଥିଲା। ପୂର୍ବରୁ ସେ ଝାଡଖଣ୍ଡ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶରେ କାମ କରିଛି। ତାର ଅଭିଜ୍ଞତାକୁ ଆଧାର କରି କେକେବିଏନ୍‌ ନୂଆ ଡିଭିଜନ ଗଠନ ପରେ ତାକୁ ସେଣ୍ଟ୍ରାଲ କମିଟି ଓଡ଼ିଶାରେ ସଂଗଠନ ବୃଦ୍ଧି ସହିତ ଉତ୍ତର-ଦକ୍ଷିଣ କରିଡରର ସମ୍ପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ।

ପୁଲିସକୁ ମିଳିଥିବା ଖବର ଅନୁସାରେ, ବାଦଲ ଓଡିଆ ହୋଇଥିବାରୁ ଲୋକଙ୍କୁ ବୁଝାସୁଝା କରି ସଂଗଠନ ଆଡକୁ ଟାଣିନେବାରେ ସକ୍ଷମ ହେଉଥିଲା। କେବଳ ସେତିକି ନୁହେଁ, ଝାଡ଼ଖଣ୍ଡର ସିଂହଭୂମରୁ ରାଉରକେଲା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ (ମହାନଦୀ ଡେଇଁ) ନୟାଗଡ ଦେଇ ସେ କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି ଯାଏ ସମୁଦାୟ କରିଡରରେ ମାଓ ଗତିବିଧିରେ ଯେଭଳି କୌଣସି ବାଧା ସୃଷ୍ଟି ନ ହେବ, ସେ କଥା ଦେଖୁଥିଲା। ନିକଟରେ ବାଦଲ ନେତୃତ୍ୱରେ ମାଓବାଦୀମାନେ କଳାହାଣ୍ଡି ଦେଇ ନୂଆପଡା ଓ ସେଠାରୁ ଛତିଶଗଡ ଗରିଆବନ୍ଧ ପର୍ଯ୍ୟନ୍ତ ନୂଆ କରିଡର ନିର୍ମାଣ କରିଥିଲେ। ଏହା ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା ଓ ଟପ୍‌ ମାଓ ନେତାମାନେ ଏହି ରାସ୍ତା ଦେଇ ଗତାଗତ ଆରମ୍ଭ କରିବା ସହିତ ସେମାନଙ୍କ ଅସ୍ତ୍ରଶସ୍ତ୍ର, ଅନ୍ୟାନ୍ୟ ସାମଗ୍ରୀ ଆଦି ପରିବହନ କରୁଥିବା ସୂଚନା ମିଳିଥିଲା। ପୁଲିସ ଏ ନେଇ ବିସ୍ତତ ତଥ୍ୟ ପାଇବା ପରେ ଟ୍ରାକିଂ ଆରମ୍ଭ ହୋଇଥିଲା।

ହଠାତ୍‌ ଦେଖାଗଲା ଯେ ଏହି କରି଼ଡରରେ ପ୍ରଭାବ ରଖିଥିବା ଦୁର୍ଦାନ୍ତ ମାଓନେତା ଜିଙ୍ଗୁ ନରସିଂହା ରେଡ୍ଡି ସପତ୍ନୀକ (ଦୁଇମାସ ତଳେ) ଆତ୍ମ ସମର୍ପଣ କଲେ। ତାର କିଛି ଦିନ ପରେ ଅର୍ଥାତ୍‌ ଗତମାସରେ ବାଦଲର ଅନ୍ୟତମ ସହଯୋଗୀ ତଥା ସମ୍ବଲପୁର ଅଞ୍ଚଳର କୁନୁ ଦେହୁରୀ ମଧ୍ୟ ଆତ୍ମସମର୍ପଣ କରିଥିଲା। ଏହାସତ୍ତ୍ୱେ ବାଦଲ କିନ୍ତୁ ଦବି ନ ଯାଇ ଅପରେସନ୍‌ ଜୋରଦାର ଚଳାଇଥିଲା। ସମ୍ପୂର୍ଣ୍ଣ କରି଼ଡ଼ରକୁ କ୍ରିୟାଶୀଳ କରିବା ସହିତ ନିଜର ଦବ୍‌ଦବା ବଢାଇବା ଲାଗି ପ୍ରୟାସ ଜାରି ରଖିଥିଲା।

ଶେଷରେ ଏକ ନିର୍ଦିଷ୍ଟ ସୂତ୍ରରୁ ଖବର ପାଇଁ ପୁଲିସ ଅପରେସନ୍‌ ଗତକାଲି କନ୍ଧମାଳର ସୁଡ୍ରୁକୁମ୍ପା ନିକଟ ଜଙ୍ଗଲ ଗୋଲାଙ୍କି ଗାଁରେ ଅତର୍କିତ ଆକ୍ରମଣ କରିଥିଲା । ଏଥିରେ ବାଦଲ ଓ ଅନ୍ୟ ୪ଜଣ ମୃତ୍ୟୁବରଣ କରିଥିଲେ। ଏହା ମାଓବାଦୀଙ୍କ ପାଇଁ ଯେତିକି ବଡ଼ ଝଟ୍‌କା, ଓଡ଼ିଶା ପାଇଁ ସେତିକି ସଫଳତା ବୋଲି ପୁଲିସ ବିଚାର କରୁଛି।

ସମ୍ବନ୍ଧିତ ଖବର