ରାୟଗଡ଼ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରୁ ରାଜ୍ୟ ବିଜେପିର ଏକ ସ୍ବତନ୍ତ୍ର ଟିମ୍ ସ୍ଥାନୀୟ ରାୟଗଡ଼ା ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତର ଆନ୍ଧ୍ର ପ୍ରଶାସନ ଆଡ଼କୁ ଢଳୁଥିବା କେତେକ ଗ୍ରାମରେ ପହଞ୍ଚି ସ୍ଥିତି ପରଖିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ସମେତେ ଅନେକ ବରିଷ୍ଠ ନେତା ଓ କର୍ମୀ ଏଥିରେ ସାମିଲ ଥିଲେ। ତେବେ ବିଜେପି ପ୍ରତିନିଧି ଦଳ ପହଞ୍ଚିବା ବେଳକୁ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ସ୍ଥାନୀୟ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ଗ୍ରାମରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଟେକିଲି ଉପଜିଲ୍ଲାପାଳ ଧନଞ୍ଜୟ ସୌରଭ, ମଞ୍ଜୁଷା ତହସିଲଦାର, କାଶିବୁଗା ଓ ଉପଖଣ୍ଡ ପୁଲିସ ଡିଏସପି ଶିବରାମ ରେଡ୍ଡୀ ପ୍ରମୁଖ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବା ପାଇଁ ଲୋକଙ୍କୁ ବୁଝାଉଥିବା ଦେଖିଥିଲେ। ଯାହାକୁ ବିଜେପି ନେତାମାନେ କଡ଼ା ବିରୋଧ କରିଥିଲେ। ଏପରିକି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବିଜେପି ନେତାମାନେ ଆନ୍ଧ୍ର ପ୍ରତିନିଧିଙ୍କୁ ସୀମା କାଗଜପତ୍ର ମାଗିଥିଲେ। ଯାହାର କୌଣସି ଉତ୍ତର ଆନ୍ଧ୍ର ପ୍ରତିନିଧିଙ୍କ ମାନେ ଦେଇ ପାରି ନଥିଲେ।
ପରେ ବିଜେପି ନେତାମାନେ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ସମସ୍ତ ସମସ୍ୟା ୨ ମାସ ମଧ୍ୟରେ ସମାଧାନ କରିବା ପାଇଁ ଗଜପତି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ବିଜେପି ନେତାମାନେ ଦାବି କରିଥିଲେ। ଓଡ଼ିଶା ସରକାରଙ୍କ ଅପାରଗତା ପାଇଁ ଏଭଳି ସ୍ଥିତି ବୋଲି ବିରୋଧୀ ଦଳ ନେତା ପ୍ରକାଶ କରିଥିଲେ। ଏହା ସହ ଏହାର ଜବାବ୍ ବିଧାନସଭାରେ ମଗାଯିବ ବୋଲି କହିଥିଲେ। ସେହିପରି ଆନ୍ଧ୍ର ପ୍ରଶାସନ ଆଇନ ବ୍ୟବସ୍ଥାକୁ ଅବମାନନା କରୁଥିବା ବିଜେପି ସଭାପତି ସମୀର ମହାନ୍ତି କହିଥିଲେ। ସେହିପରି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଏ ସମସ୍ତ କାରଣ ପାଇଁ ଓଡ଼ିଶା ସରକାରଙ୍କୁ ନିନ୍ଦା କରିଥିଲେ।
ଅନ୍ୟପକ୍ଷରେ ଘଟଣା ସଂପର୍କରେ ପଚାରିବାରୁ ୨ ମାସ ମଧ୍ୟରେ ସମସ୍ତ ସମସ୍ୟା ଦୂର କରାଯିବ ବୋଲି ଉପଜିଲ୍ଲାପାଳ କହିଥିଲେ। ସେଠାରୁ ବିଜେପି ଟିମ୍ ସ୍ଥାନୀୟ ଗୁଡ଼ିଖୁଡ଼ି ଗ୍ରାମକୁ ଯାଇଥିଲା। ଯେଉଁଠାରେ କି ଆନ୍ଧ୍ର ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀମାନଙ୍କର ପୋଷ୍ଟର, ବ୍ୟାନର୍ ଓ ଆନ୍ଧ୍ର ସରକାର କରିଥିବା ବିଭିନ୍ନ ଉନ୍ନୟନମୂଳକ କାମ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ରାୟଗଡ଼ ବ୍ଲକ୍ ବିଜେପି ପକ୍ଷରୁ ଜିଲ୍ଲାପରିଷଦ ସଭ୍ୟ ଜଗନ୍ନାଥ ଭୂୟାଁ, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ନବକିଶୋର ଶବର, ମଣ୍ଡଳ ସଭାପତି ଜଗନ୍ନାଥ ଖଡ଼ଙ୍ଗାଲୁ, ଗଙ୍ଗାଧର ଗୌଡ଼, ନନ୍ଦିନୀ ସାମଲ, ଗଣେଶ ବିଷୋୟୀ, ମୋହନା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସେଲ୍ ଦୁର୍ଗା ପ୍ରସାଦ ସୁବୁଦ୍ଧି ଓ ଗଣେଶ ବିଷୋୟୀ ପ୍ରମୁଖ ଉପସ୍ଥିତି ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/rayagada-2.jpg)