ରାୟଗଡ଼ା ରେଳ ଡିଭିଜନ୍ ହାଇଜାକ୍ ଉଦ୍ୟମ: ଆନ୍ଧ୍ର ଚଳାଇଛି ଷଡ଼ଯନ୍ତ୍ର

ରାଜସ୍ବ ହରାଇବା ଚିନ୍ତା! ଘୋଷଣାର ଅଢ଼େଇ ବର୍ଷ ପରେ ବି ଡିଭିଜନ୍ ଅଗ୍ରଗତି ଶୂନ୍

ରାୟଗଡ଼ା: ବାର୍ଷିକ ରାଜସ୍ବ ହରାଇବା ଚିନ୍ତାରେ ରାୟଗଡ଼ା ନୂଆ ରେଳ ଡିଭିଜନକୁ କାର୍ଯ୍ୟକାରୀ କରାଇ ନ ଦେବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର। ରେଳ ବିଭାଗ ଓ ବୋର୍ଡ ଉପରେ ଚାପ ସୃଷ୍ଟି କରି କେବଳ ଘୋଷଣାରେ ସୀମିତ ରଖି ରାୟଗଡ଼ା ଡିଭିଜନକୁ ହାଇଜାକ୍ କରିବାକୁ ହୋଇଛି ବଡ଼ ଧରଣର ଷଡ଼ଯନ୍ତ୍ର। ୱାଲଟିୟର୍ ଡିଭିଜନ୍ ଅଧୀନରେ ହିଁ ରାୟଗଡ଼ା-କୋରାପୁଟ ରେଳପଥକୁ ରଖିବାକୁ ଆନ୍ଧ୍ର ମନ୍ତ୍ରୀ, ସାଂସଦ, ରାଜନେତା ଓ ପୁଞ୍ଜିପତି କେନ୍ଦ୍ର ନିକଟରେ ନିଜ ଲବିକୁ ଜୋରଦାର୍ କରିଛନ୍ତି। ଯାହା ରାୟଗଡ଼ା ରେଳ ଡିଭିଜନର ବିକାଶରେ ବାଧକ ସାଜିଛି।

ଇଷ୍ଟକୋଷ୍ଟ୍ ରେଲୱେର ବିଶାଖାପାଟଣାସ୍ଥିତ ୱାଲଟିୟର୍ ଡିଭିଜନକୁ ବାର୍ଷିକ ସିଂହଭାଗ ରାଜସ୍ବ ପ୍ରଦାନ କରି ଆସୁଛି କୋରାପୁଟ-ରାୟଗଡ଼ା, କୋରାପୁଟ-ବଇଲାଡିଲା-କିରୁଣ୍ଡୋଲ୍-ବାଚେଲି ରେଳପଥ। ଓଡ଼ିଶା-ଛତିଶଗଡ଼ରେ ଥିବା ଏହି ଅଞ୍ଚଳ ବକ୍ସାଇଟ୍ ସହ ବିଭିନ୍ନ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ସହ ଶିଳ୍ପ ସମୃଦ୍ଧ। କୋରାପୁଟ-ରାୟଗଡ଼ା, କୋରାପୁଟ-ବିଶାଖାପାଟଣା ରୁଟ୍ ଦେଇ ବିଶାଖାପାଟଣାକୁ ପ୍ରତିଦିନ ଶହେରୁ ଉର୍ଧ୍ବ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି। ଯାହା ବାବଦକୁ ୱାଲଟିୟର୍ ଡିଭିଜନ୍ ଶହ ଶହ କୋଟିର ରାଜସ୍ବ ପାଉଛି। ଅନ୍ୟପକ୍ଷରେ ବିଶାଖାପାଟଣା ରେଲୱେ ଡମ୍ପିଂୟାର୍ଡରୁ ବନ୍ଦରକୁ ମାଲ ସ୍ଥାନାନ୍ତର ପାଇଁ ଶହ ଶହ ଟ୍ରକ୍, ଟ୍ରିପର୍ ନିୟୋଜିତ ହୋଇଛି। ଲୋଡିଂ, ଅନଲୋଡିଂ କ୍ଷେତ୍ରଠୁ ଆରମ୍ଭ କରି ରେଳ ବିଭାଗର ବହୁ ଲାଭଜନକ କାର୍ଯ୍ୟକୁ ଆନ୍ଧ୍ର ଠିକାଦାର ହାତେଇଛନ୍ତି। ପୂର୍ବରୁ ଏହି ରେଳପଥ ୱାଲଟିୟର୍ ଡିଭିଜନ୍ ଅଧୀନରେ ଥିଲା।

ରାୟଗଡ଼ା ନୂଆ ଡିଭିଜନ୍ କାର୍ଯ୍ୟକାରୀ ହେଲେ ଏହି ରେଳପଥ ରାୟଗଡ଼ା ଅଧୀନରେ ରହିବ। ରାୟଗଡ଼ା ଡିଭିଜନ୍ କାର୍ଯ୍ୟକାରୀ ପରେ ରାୟଗଡ଼ା-ଗୋପାଳପୁର ରେଳପଥ କାମକୁ ତ୍ବରାନିତ କରି ବିଶାଖାପାଟଣା ବଦଳରେ ସିଧାସଳଖ ଗୋପାଳପୁର ବନ୍ଦରରୁ ଅନ୍ୟ ଦେଶ ଓ ରାଜ୍ୟକୁ ମାଲ ପରିବହନ ଯୋଜନା ହୋଇଛି। ଫଳରେ ବାର୍ଷିକ ଆନ୍ଧ୍ର ରେଳ ସହ ସଡ଼କ ଓ ପରିବହନ କ୍ଷେତ୍ରରେ ଶହ ଶହ କୋଟିର ରାଜସ୍ବ ହରାଇବ। ସବୁଠୁ ବଡ଼ କଥା ହେଲା ବିଭାଗର ବହୁ ଆଉଟସୋର୍ସିଂ କାର୍ଯ୍ୟକୁ ମଧ୍ୟ ଆନ୍ଧ୍ରର ବଡ଼ ବଡ଼ ଠିକାଦାର ହାତେଇଛନ୍ତି। ଏହି ସମସ୍ତ କାରଣରୁ ରାୟଗଡ଼ା ଡିଭିଜନକୁ କାର୍ଯ୍ୟକାରୀ ନ କରିବା ଲାଗି ଆନ୍ଧ୍ର ଷଡ଼ଯନ୍ତ୍ର ରଚିବା ସହ ୱାଲଟିୟର୍ ଡିଭିଜନରେ ଅଟକି ଥିବା ବିଭିନ୍ନ କାମକୁ ଅସମ୍ପୂର୍ଣ୍ଣ ରଖିଛି। ଏପଟେ ଘୋଷଣାର ଅଢ଼େଇ ବର୍ଷ ପରେ ମଧ୍ୟ ରାୟଗଡ଼ା ରେଳ ଡିଭିଜନର ଅଗ୍ରଗତି ଶୂନ୍ ରହିଛି। ୨୦୧୯ ଅଗଷ୍ଟ ୩୧ରେ ରେଲୱେ ବୋର୍ଡରେ ଡିପିଆର୍ ଦାଖଲ ସତ୍ତ୍ବେ ଏଯାବତ୍ ଡିପିଆରକୁ ଅନୁମୋଦନ ମିଳିନଥିବାରୁ ଲୋକଙ୍କ ମଧ୍ୟରେ ଡିଭିଜନ୍ କାର୍ଯ୍ୟକାରୀ ନେଇ ସନ୍ଦେହ ପ୍ରକାଶ ପାଇଛି।

୨୦୧୯ ଜୁଲାଇ ୧୭ ତାରିଖରେ ରାୟଗଡ଼ାାରେ ନୂଆ ରେଳ ଡିଭିଜନ୍ ପ୍ରତିଷ୍ଠା ନେଇ ଘୋଷଣା କରିଥିଲା ରେଳ ମନ୍ତ୍ରଣାଳୟ। ଦକ୍ଷିଣ-ପଶ୍ଚିମ ଓଡ଼ିଶାର ପଛୁଆ ଅଞ୍ଚଳକୁ ରେଳପଥ ସଂଯୋଗ, ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ନୂଆ ଡିଭିଜନ୍ କାର୍ଯ୍ୟକାରୀ ପାଇଁ ୧୮୬ କୋଟି ବ୍ୟୟ ଅଟ୍ଟକଳ ହୋଇଥିବା ବେଳେ ଦୁଇ ବଜେଟରେ ମିଳିଛି ମାତ୍ର ୩ କୋଟି ୪୦ ଲକ୍ଷ। ନୂଆ ଡିଭିଜନ୍ କାର୍ଯ୍ୟକାରୀ ହେଲେ ଓଡ଼ିଶା-ଆନ୍ଧ୍ର-ଛତିଶଗଡରେ ଥିବା ୮୪ଟି ଷ୍ଟେସନ ସହ ୫୮୫ କିମି ରେଳପଥ ୱାଲଟିୟର୍ ଡିଭିଜନରୁ ରାୟଗଡ଼ାକୁ ଆସିବ। ରେଟ୍ ଅଫ୍ ରିଟର୍ଣ୍ଣଂ ଦୃଷ୍ଟିରୁ ନୂଆ ଡିଭିଜନ୍ କାର୍ଯ୍ୟକାରୀ ପାଇଁ ନୂଆ ପ୍ରକଳ୍ପର ଆବଶ୍ୟକତା ରହିଛି। ରାୟଗଡ଼ା ଡିଭିଜନ୍ ଅଧୀନରେ ବର୍ତ୍ତମାନ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥ ନିର୍ମାଣଧୀନ ରହିଛି। ସେହିପରି ପ୍ରସ୍ତାବିତ ଏବଂ ସର୍ଭେ ଶେଷ ହୋଇଥିବା ମାଲକାନଗିରି-ଦାନ୍ତେୱାଡା, ଥେରୁବାଲି-ଗୁଣପୁର, ରାୟଗଡ଼ା-ଗୋପାଳପୁର, ଗୁଣପୁର-ଗୁମଡ଼ା (ପାର୍ବତୀପୁର), କଣ୍ଟାବାଞ୍ଜି-ରାଜଖରିଆର-ଆମପାଣି, ନବରଙ୍ଗପୁର-ଜୟପୁର, ଜୁନାଗଡା-ଜୟପୁର, ମାଲକାନଗିରି-ଭଦ୍ରାଞ୍ଚଳମ, ଜୁନାଗଡ-ଶିକରପାଇ ରେଳପଥ ଭଳି ବହୁ ନୂଆ ପ୍ରକଳ୍ପ ରହିଛି। ଯାହା ରାୟଗଡ଼ା ଡିଭିଜନର ଭାଗ୍ୟ ଉଦୟରେ ସହାୟକ ହେବ। ଗତ ଅଗଷ୍ଟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଆସିଥିବା ବେଳେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ନୂତନ ଡିଭିଜନ୍ କାର୍ଯ୍ୟକାରୀ ପାଇଁ ବିଭିନ୍ନ ସଂଗଠନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 

ସମ୍ବନ୍ଧିତ ଖବର