କୋଟିଆ ଲଢ଼େଇ ପାଇଁ ଆନ୍ଧ୍ରର ପ୍ରସ୍ତୁତି, ସୁପ୍ରିମ କୋର୍ଟରେ ଦାଖଲ କଲା ଦସ୍ତାବିଜ୍‌

କୋରାପୁଟ : କୋଟିଆ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ନିଷ୍ପତ୍ତି ନେଇଛି ଆନ୍ଧ୍ର। ଆଇନ ଲଢ଼େଇକୁ ଜୋରଦାର କରିବାକୁ ଯୋଗାଡ଼ କରିଛି କାଗଜପତ୍ର। ଯାହାକୁ ସୁପ୍ରିମ କୋର୍ଟରେ ଦଖଲ କରି ନିଜ ପକ୍ଷକୁ ମଜଭୁତ କରିବାକୁ ପୂରା ଜୋର ଲଗାଇ ଦେଇଛି। କୋର୍ଟରେ ଦାଖଲ ହୋଇଥିବା ୪୬ ଫର୍ଦ୍ଦର ସତ୍ୟପାଠରେ ଆନ୍ଧ୍ର ସରକାରଙ୍କ ଯୋଜନାର ସଫଳ ରୂପାୟନକୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିପରି ଯେଉଁ ଭିତ୍ତିଭୂମି ନିର୍ମାଣ ହୋଇଛି ସେଥିରୁ ଲୋକେ କିଭଳି ଉପକୃତ ହୋଇଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ଭାଷାକୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ ଯୋଡ଼ିଛି ଆନ୍ଧ୍ର।

ବିଜୟନଗରମ୍‌ ଜିଲ୍ଲାପାଳ ମେଡେ ହରି ଜବହାରଲାଲ ଏହି ସତ୍ୟପାଠ ସୁପ୍ରିମ କୋର୍ଟରେ ଦାଖଲ କରିଛନ୍ତି। କିଛି ପୁରୁଣା ଫଟୋ ମଧ୍ୟ ସତ୍ୟପାଠରେ ଗୁନ୍ଥିଥିବା ଦେଖିବାକୁ ମିଳିଛି। ୧୬ଟି ସଂଲଗ୍ନ (ଆନେକ୍ସଚର) ସତ୍ୟପାଠରେ ରହିଥିବା ବେଳେ କୋଟିଆ ଆନ୍ଧ୍ରରେ ହିଁ ଥିଲା ବୋଲି ଦର୍ଶାଯାଇଛି। ଏପରିକି କିଛି ଚକିତ କରିବା ଭଳି ତଥ୍ୟ ମଧ୍ୟ ରହିଥିବା ଜଣାପଡ଼ିଛି। ଯାହା ମାମଲାର ଶୁଣାଣି ସମୟରେ ନୂଆ ମୋଡ ନେଇ ରୋଚକ ସ୍ଥିତି ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ସତ୍ୟପାଠର ସଂଲଗ୍ନ-୧ରେ ୨୦୧୪ ନିର୍ବାଚନରେ ଭାଗ ନେଇଥିବା ଭୋଟରଙ୍କ ତାଲିକାର ପ୍ରଥମ ଅଂଶ, ସଂଲଗ୍ନ-୨ରେ ୨୦୧୪ ମସିହା ନିର୍ବାଚନରେ ଭାଗ ନେଇଥିବା ଭୋଟରଙ୍କ ତାଲିକାର ତୃତୀୟ ଭାଗ, ସଂଲଗ୍ନ-୩ରେ ୨୦୧୪ ନିର୍ବାଚନରେ ସଂସଦୀୟ କ୍ଷେତ୍ରରେ ହୋଇଥିବା ମତଦାନର ପ୍ରମାଣ, ସଂଲଗ୍ନ-୪ରେ ୨୦୧୪ ନିର୍ବାଚନରେ ବିଧାନସଭା କ୍ଷେତ୍ରରେ ହୋଇଥିବା ମତଦାନର ପ୍ରମାଣ ରହିଛି। ସଂଲଗ୍ନ ୫, ୬, ୭ ଏବଂ ୮ରେ ୨୦୧୯ ମସିହାର ବିଧାନସଭା ତଥା ଲୋକସଭା ମତଦାନ ଏବଂ ଭୋଟର ତାଲିକାର ପ୍ରମାଣ ରହିଛି। ସଂଲଗ୍ନ-୯ରେ ୨୦୧୩ ପଞ୍ଚାୟତ ନିର୍ବାଚନ ସଂପର୍କିତ ତଥ୍ୟ ଏବଂ ତାହାର ପ୍ରମାଣ ରହିଛି।

ସଂଲଗ୍ନ-୧୦ରେ ସାଲୁର ମଣ୍ଡଳ ଅଧୀନ ଗଞ୍ଜ‌େଇବାଦରା (ଗଞ୍ଜ‌େଇପଦର), ପାଗୁଲୁ ଚିନ୍ନୁରୁ (ଫଗୁଣସିନେରୀ) ଓ ପାଟ୍ଟୁଚିନ୍ନୁରୁ (ଫାଟୁ ସିନେରି)ରେ ୨୦୦୧ ମସିହାରେ ହୋଇଥିବା ଜନଗଣନା ତଥ୍ୟ, ସଂଲଗ୍ନ-୧୧ରେ ୨୦୧୧ ଜନଗଣନା ସଂପର୍କିତ ତଥ୍ୟ ସହ ପ୍ରମାଣ ରହିଛି। ସଂଲଗ୍ନ-୧୨ରେ ଉପରୋକ୍ତ ତିନି ଗାଁ ଆନ୍ଧ୍ର ପ୍ରଶାସନର ଦଖଲରେ ରହିଥିବା ପ୍ରମାଣ, ସଂଲଗ୍ନ-୧୩ରେ ଗ୍ରାମ୍ୟ ସଚିବଙ୍କ ଭିତ୍ତିଭୂମି ସଂକ୍ରାନ୍ତୀୟ ତଥ୍ୟ ପ୍ରମାଣ, ସଂଲଗ୍ନ-୧୪ରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ଏହା ସଂବନ୍ଧିତ ପ୍ରମାଣ, ସଂଲଗ୍ନ-୧୫ରେ ୨୦୦୬ ଓ ୨୦୦୧ପଞ୍ଚାୟତ ନିର୍ବାଚନା ଫଳାଫଳ ଓ ଏହି ସଂପର୍କିତ ଦସ୍ତାବିଜ୍‌ ରହିଛି। ସଂଲଗ୍ନ-୧୬ରେ ବିଜୟନଗରମ ଜିଲ୍ଲା (ଏବେ ପାର୍ବତୀପୁରମ ମାନ୍ୟମ ଜିଲ୍ଲା) ସାଲୁର ମଣ୍ଡଳ ଅଧୀନ ଗଞ୍ଜ‌େଇବାଦରା (ଗଞ୍ଜ‌େଇପଦର), ପାଗୁଲୁ ଚିନ୍ନୁରୁ (ଫଗୁଣସିନେରୀ) ଓ ପାଟ୍ଟୁଚିନ୍ନୁରୁ(ଫାଟୁ ସିନେରି)ରେ ଅଙ୍ଗନବାଡି କେନ୍ଦ୍ର ଏବଂ ଗଞ୍ଜ‌େଇବାଦରା (ଗଞ୍ଜ‌େଇ ପଦର)ରେ ବିଦ୍ୟାଳୟ କୋଠା ଆନ୍ଧ୍ର ପକ୍ଷରୁ ନିର୍ମାଣ ହୋଇଥିବା ଦର୍ଶାଯାଇଛି। କିଛି ଫଟୋ ମଧ୍ୟ ପ୍ରମାଣସ୍ବରୂପ ସୁପ୍ରିମ କୋର୍ଟରେ ଦିଆଯାଇଛି।

ଉପରୋକ୍ତ ପ୍ରମାଣ ଆଧାରରେ ହିଁ ଆନ୍ଧ୍ର ସରକାର ନିଜ ପକ୍ଷ ଶୁଣାଣି ସମୟରେ ରଖିବେ ବୋଲି ଜଣାପଡ଼ିଛି। ତେଣୁ ଓଡ଼ିଶା ସରକାର ଏହାର କିଭଳି ଜବାବ ଦେବେ ତାହା ଦେଖିବାକୁ ବାକି ରହିଲା। ଏ ନେଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ ଅବମାନନା ମାମଲାରେ ଆନ୍ଧ୍ର ବିରୋଧରେ ଓଡ଼ିଶା ସରକାରଙ୍କୁ ବଳିଷ୍ଠ ଯୁକ୍ତି ଦେବାକୁ ପଡ଼ିବ। ମାମଲା ଜିତିବାକୁ ହେଲେ ପୂର୍ବ ପ୍ରସ୍ତୁତି ସହ ଆନ୍ଧ୍ରର ପ୍ରମାଣକୁ ନାକଚ କରିବା ଭଳି ତଥ୍ୟ ଏବଂ ପ୍ରମାଣ ଦେବାକୁ ହେବ। ନଚେତ ମୁରାମୁଠା ପରି କୋଟିଆ ଗ୍ରାମପୁଞ୍ଜ ମଧ୍ୟ ହାତରୁ ଚାଲିଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର