ଓଡ଼ିଶାର ସହାୟତା ଲୋଡ଼ିଲେ ଆନ୍ଧ୍ର ବାସିନ୍ଦା

ନିଜ ଅଞ୍ଚଳର ବିକାଶ ଉପରେ ଧ୍ୟାନ ଦେଉନି ପଡ଼ୋଶୀ ରାଜ୍ୟ
ଓଡ଼ିଶା ପକ୍ଷରୁ ତିନୋଟି ଗାଁରେ ବିଦ୍ୟୁତ୍‌ ସଂଯୋଗ
ଗ୍ରାଉଣ୍ଡଜିରୋରୁ ପରିସ୍ଥିତି ଅନୁଧ୍ୟାନ କଲା ‘ସମ୍ବାଦ’

ମାଲକାନଗିରି : କୋଟିଆରେ ପଶି ଓଡ଼ିଶାର ଅଞ୍ଚଳକୁ କବ୍‌ଜା କରିବାକୁ ପୂରା ଜୋର୍‌ ଲଗାଇ ଦେଇଛି ଆନ୍ଧ୍ରପ୍ରଦେଶ। ଏଣେ ନିଜ ଅଞ୍ଚଳର ଲୋକମାନେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି। ସ୍ଥିତି ଏମିତି ହୋଇଛି ଯେ ପ୍ରତ୍ୟେକ କାମ ପାଇଁ ଆନ୍ଧ୍ରର ଏହିି ଗ୍ରାମବାସୀଙ୍କୁ ଓଡ଼ିଶା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏପରିକି ଓଡ଼ିଶା ପ୍ରଶାସନର ସହାୟତା ଲୋଡ଼ିବାକୁ ସେମାନେ ପଛାଇନାହାନ୍ତି।

ଓଡ଼ିଶାର ଧୂଳିପୁଟ ପଞ୍ଚାୟତ ସୀମାକୁ ଲାଗି ରହିଛି ଆନ୍ଧ୍ରର ଗାଡ଼ିବନ୍ଧ, ଡନ୍ତୁରାଇ, କାଣ୍ଡଳପଡ଼ୁ, ଶୋଉପଳା ଏବଂ ଗଜେଟ ଆଦି ଗାଁ ରହିଛି। ଏହି ଗାଁ ଗୁଡ଼ିକୁ ଯୋଗାଯୋଗ ପାଇଁ ଭଲ ରାସ୍ତା ରହିଛି ନା ମିଳୁଛି ମୌଳିକ ସୁବିଧା। ଗ୍ରାମବାସୀଙ୍କ ନିବେଦନ କ୍ରମେ ଓଡ଼ିଶା ପକ୍ଷରୁ ଉପରୋକ୍ତ ଦୁଇରୁ ତିନୋଟି ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଛି। ସେହିପରି ଅନ୍ୟାନ୍ୟ ସୁବିଧା ବି ଓଡ଼ିଶା ଦ୍ବାରା ପାଉଛନ୍ତି ଗ୍ରାମବାସୀ। ତେଣୁ କିଛିଦିନ ତଳେ ଓଡ଼ିଶାରେ ମିଶିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଥିଲେ। ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିଜ ଗାଁକୁ ନେଇ ସମସ୍ୟା ଦେଖାଇଛନ୍ତି। ପ୍ରଶାସନିକ ଅଧିକାରୀ ବି ଲୋକଙ୍କ ଅବସ୍ଥା ଦେଖିବା ପରେ ସମସ୍ୟା ଗୁଡିକ ସଂପର୍କରେ ଉପରିସ୍ଥ ଅଧିକାରୀକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମାଲକାନଗିରି ପ୍ରଶାସନ ଏହି ଗାଁ ଗୁଡିକୁ ଯୋଗାଯୋଗ ପାଇଁ କିଛି ଦୂର ପର୍ଯ୍ୟନ୍ତ ରାସ୍ତା ବ୍ୟବସ୍ଥା କରିଛି। ତଥାପି ଗ୍ରାମବାସୀଙ୍କୁ ନିଜ ପଞ୍ଚାୟତ ମହକୁମାରେ ପହଞ୍ଚିବାକୁ ହେଲେ ୨୦ରୁ ଊର୍ଦ୍ଧ୍ବ କିଲୋମିଟର ପାହାଡିଆ ରାସ୍ତା ହୋଇ ଯିବାକୁ ପଡୁଛି।

ଆନ୍ଧ୍ରର ବାସିନ୍ଦା ଓଡ଼ିଶାରେ ମିଶିବାକୁ ଚାହୁଁଥିବା ଖବର ପାଇ ‘ସମ୍ବାଦ’ ପ୍ରତିନିଧି ପାହାଡ଼ିଆ ରାସ୍ତାରେ ତଥା ଘୋଡ଼ାରେ ବସି ବହୁ କଷ୍ଟରେ ଗାଡ଼ିବନ୍ଧରେ ପହଞ୍ଚିଥିଲେ। ସେଠାରେ ସେ ଗାଡିବନ୍ଧ ଓ ଡନ୍ତୁରାଇ ଗାଁକୁ ମାଲକାନଗିରି ପ୍ରଶାସନ ପକ୍ଷରୁ ବିଦ୍ୟୁତ ଯୋଗାଇ ଦିଆଯାଇଥିବା ଦେଖିଥିଲେ। ସେହିପରି ସ୍ବାଭିମାନ ଅଞ୍ଚଳରେ ଜିଲ୍ଲା ପ୍ରଶାସନର ବିକାଶ କାର୍ଯ୍ୟକୁ ଦେଖି ଆନ୍ଧ୍ର ବାସିନ୍ଦା ବି ଓଡ଼ିଶାରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ତେଣୁ ପ୍ରଥମେ ଏହି ଗାଁ ଗୁଡିକୁ ଓଡ଼ିଶା ସହ ସଂଯୋଗ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଆନ୍ଧ୍ର ପ୍ରଶାସନ ଗାଡିବନ୍ଧ ଗ୍ରାମର ଛୋଟ ପିଲାଙ୍କ ଟିକାକରଣ କରି ନଥିବା ବେଳେ ଗାଁରେ ଜଣେ ବି କୋଭିଡ୍‌ ଟିକା ନେଇନାହାନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁ ପଛରେ ପଡ଼ି ଯାଇଛି ଏହି ଗାଁ। ଭଗବାନଙ୍କ ଭରସାରେ ରହିଥିବା ଗ୍ରାମବାସୀ ପାରମ୍ପରିକ ଚାଷ ସହ ଗଞ୍ଜେଇ ଚାଷ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଗ୍ରାମବାସୀ ତେଲୁଗୁ ଭାଷାରେ କଥାବର୍ତ୍ତା କରୁଛନ୍ତି। ଯଦି ଓଡ଼ିଶାରେ ମିଶିବେ ତେବେ ଓଡ଼ିଆ ପଢ଼ିବେ ବୋଲି ପ୍ରକାଶ କରିଛନ୍ତି।

ଧୂଳିପୁଟ ସୀମାରେ ଥିବା ଲିମାଟାଙ୍ଗ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ପ୍ରଶାନ୍ତ ବେହେରା ଗସ୍ତରେ ଯାଇଥିବା ବେଳେ ଆନ୍ଧ୍ରର ଗାଡିବନ୍ଧ ବାସିନ୍ଦା ତାଙ୍କୁ ଭେଟିଥିଲେ। ନିଜ ଗାଁର ଅବସ୍ଥା ଦେଖାଇ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ସେବା ଯଦି ଓଡ଼ିଶା ସରକାର ଦିଅନ୍ତି ତେବେ ଆମେ ଓଡ଼ିଶାରେ ମିଶିଯିବୁ ବୋଲି କହିଥିଲେ। ତେବେ ଯନ୍ତ୍ରୀ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର