କୋରାପୁଟ: ବାରମ୍ବାର ଅନୁପ୍ରବେଶ ପରେ କୋଟିଆରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି ଓଡ଼ିଶା। ସୀମାରେ ପୁଲିସ ଛାଉଣୀ ହେବାପରେ ଦୁଇ ଦିନ ମଧ୍ୟରେ ଦୁଇ ଥର ଆନ୍ଧ୍ରକୁ ଝଟ୍‌କା ଲାଗି ସାରିଲାଣି। ଗତକାଲି ଗର୍ଭବତୀ ଓ ଶିଶୁଙ୍କ ଟିକାକରଣ ଆଳରେ ଆନ୍ଧ୍ରର ସ୍ବାସ୍ଥ୍ୟ କର୍ମୀ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସୀମାରେ ହିଁ ସେମାନଙ୍କୁ ଅଟକାଇ ଫେରି ଯିବାକୁ ବାଧ୍ୟ କରିଥିଲେ ଓଡ଼ିଶା ପୁଲିସ। ଆଜି ପୁଣି ଜଣେ ଠିକାଦାର ଓଡ଼ିଶାରେ ପଶିବାକୁ ଉଦ୍ୟମ କରି ବିଫଳ ହୋଇଥିବା ସୂଚନା ମିଳିଛି।
ଓଡ଼ିଶା ଗାଁରେ ତେଲୁଗୁ ଫଳକ ଲଗାଇବାକୁ ପାର୍ବତୀପୁରମ ପ୍ରଶାସନ ପକ୍ଷରୁ ଠିକାଦାର ପି. ଶ୍ରୀନୁଙ୍କୁ ପଠାଯାଇଥିଲା। ଚାରୋଟି ଫଳକ ଧରି ଠିକାଦାର ଜଣକ କୋଟିଆ ସୀମାରେ ପହଞ୍ଚିଥିଲେ। ଏସ୍‌ଡିପିଓ, ପଟାଙ୍ଗି ଆଇଆଇସିଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ଟିମ୍‌ ସେଠାରେ ପୂର୍ବରୁ ହିଁ ଉପସ୍ଥିତ ରହିଥିବାରୁ ଠିକାଦାରଙ୍କୁ ଅଟକାଇଥିଲେ। ଓଡ଼ିଶାରେ ଆନ୍ଧ୍ରର ଫଳକ ଲାଗିପାରିବ ନାହିଁ ବୋଲି ସଫାସଫା ମନା କରି ଦେଇଥିଲେ। ଏପରିକି ଠିକାଦାର ଜଣକ ଆଣିଥିବା ତେଲୁଗୁରେ ବବନାଗୁଡା ଉଲ୍ଲେଖ ଥିବା ଦୁଇଟି, ଡୋଲିଆମ୍ବ ଓ ମାଡ଼କାର ଉଲ୍ଲେଖ ରହିଥିବା ଗୋଟିଏ ଲେଖାଏଁ ଫଳକକୁ ଜବତ କରାଯାଇଥିଲା। ଆଗକୁ ଏମିତି ନ କରିବାକୁ କହି ଠିକାଦାରଙ୍କୁ ଛାଡ଼ି ଦିଆଯାଇଥିଲା।

Advertisment

ଅନ୍ୟପକ୍ଷରେ, ଗତକାଲି ସ୍ବାସ୍ଥ୍ୟର୍କମୀ ତଳ ଗଞ୍ଜ‌େଇପଦର ଓ ଉପର ଗଞ୍ଜ‌େଇପଦର ଗାଁକୁ ଯିବା ପାଇଁ ବାହାରିଥିଲେ। ଉଭୟ ଗାଁରେ ୪ଜଣ ଗର୍ଭବତୀ ଏବଂ ୩ଜଣ ଶିଶୁଙ୍କୁ ଟିକା ଦେବାକୁ ଯାଉଥିବା କାରଣ ଦର୍ଶାଇଥିଲେ। କିନ୍ତୁ ଓଡ଼ିଶା ପୁଲିସ ପକ୍ଷରୁ ସେମାନଙ୍କୁ ଅଟକାଇ ପଛକୁ ଫେରିଯିବା ପାଇଁ ବାଧ୍ୟ କରାଯାଇଥିଲା। ଉଦ୍ୟମରେ ବିଫଳ ହେବା ପରେ ପାର୍ବତୀପୁରମ ପ୍ରଶାସନ ଅପପ୍ରଚାର ଆରମ୍ଭ କରିଥିଲା। ଓଡ଼ିଶା ପକ୍ଷରୁ ଗର୍ଭବତୀ ଏବଂ ଶିଶୁଙ୍କୁ ଟିକା ଦେବାରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଥିବା ପ୍ରଚାର କରାଗଲା। ଏ ନେଇ ଆନ୍ଧ୍ରର କିଛି ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଛି। କିନ୍ତୁ ଏହି ପ୍ରଚାରରେ ଆଦୌ ସତ୍ୟତା ନଥିବା ଜଣାପଡ଼ିଛି। କାରଣ ଉପରୋକ୍ତ ଦୁଇ ଗାଁରେ ୧୫ଜଣ ଗର୍ଭବତୀ ଏବଂ ୧୦ଜଣ ଶିଶୁ ରହିଛନ୍ତି। ସମସ୍ତଙ୍କୁ ଓଡ଼ିଶାର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ପଞ୍ଜିକୃତ କରାଯାଇଛି। ସେମାନଙ୍କୁ ଠିକ୍‌ ସମୟରେ ସ୍ବାସ୍ଥ୍ୟସେବା ବି ଓଡ଼ିଶା ପକ୍ଷରୁ ଯୋଗାଇ ଦିଆଯାଉଛି। ଆନ୍ଧ୍ର ମିଛ କହି ସମବେଦନା ସାଉଁଟିବାକୁ ଅପପ୍ରୟାସ କରିଥିବା ସ୍ପଷ୍ଟ ହୋଇଛି।