ପାରଳାଖେମୁଣ୍ତି : ଗତକାଲି ପଲାସା ବିଧାୟକ ତଥା ଆନ୍ଧ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ସିଦିରି ଆପ୍ପାଲାରାଜୁ ଶତାଧିକ ସମର୍ଥକଙ୍କ ସହ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗାଁରେ ପଶି ଯେଭଳି ଆତଙ୍କ ପରିସ୍ଥିତି ସୃଷ୍ଟି କଲେ, ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କୁ ଧମକ ମଧ୍ୟ ଦେଇଗଲେ, ଏଥିରୁ ଓଡ଼ିଶା ସରକାର ଚେତିବା ଓ ଆନ୍ଧ୍ର ସରକାରଙ୍କୁ କଡ଼ା ଜବାବ୍ ଦେବା ଉଚିତ ବୋଲି ଆଜି ଗଙ୍ଗାବାଡ଼ ପଞ୍ଚାୟତବାସୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଗତକାଲି ଆନ୍ଧ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିଲେ ଚାରି ପ୍ଲାଟୁନ୍ ସଶସ୍ତ୍ର ପୁଲିସ ଏବ˚ ମାଳମାଳ ସରକାରୀ ଅଧିକାରୀ। ସେଠାରେ ଉପସ୍ଥିତ ଥିବା ଗଜପତି ଅତିରିକ୍ତ ଜିଲ୍ଲାପାଳ ସ˚ଗ୍ରାମ ଶେଖର ପଣ୍ତାଙ୍କୁ ସର୍ବସାଧାରଣରେ ତମେ କିଏ, କୁଆଡ଼େ ଆସିଛ, ଅର୍ଡ଼ର କପି, ମ୍ୟାପ୍ କାହିଁ ବୋଲି ତାଗିଦ୍ କରିଥିଲେ ଓ ଓଡ଼ିଶା ସରକାରଙ୍କ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ରକୁ ମାଟିରେ ମିଶାଇ ଦେବାକୁ ଧମକ ଦେଇଥିଲେ। ପାଖରେ ଥିବା ଆନ୍ଧ୍ର ପୁଲିସ ଡିଏସ୍ପିଙ୍କୁ ଡାକି ମାମଲା ରୁଜୁ କରି ଗିରଫ କର ବୋଲି ନିର୍ଦ୍ଦେଶ ଦେବାର ନାଟକବାଜି ମଧ୍ୟ କଲେ। ଧମକାଇଲେ, ଏ ଜମି ଆମର, ଓଡ଼ିଶା ସରକାର ମିଛ କହୁଛନ୍ତି। ଜଣେ ମନ୍ତ୍ରୀ ଭାବେ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏପରି ଧମକ ଦେବା ଓ ଦୁର୍ବ୍ୟବହାର କରିବା କେତେଦୂର ଯଥାର୍ଥ ଥିଲା, ଏବେ ରାଜ୍ୟ ସରକାର କଠୋର ହୁଅନ୍ତୁ ବୋଲି ପଞ୍ଚାୟତବାସୀ, ଜନପ୍ରତିନିଧି ମତ ଦେଇଛନ୍ତି।
ମାଣିକପାଟଣା ଗ୍ରାମରେ ୪୪ ପରିବାର ବାସ କରନ୍ତି ଏବ˚ ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ସୀମା ମଧ୍ୟରେ। ବିଗତ ପ୍ରାୟ ୧୨ ବର୍ଷ ହେଲା ଏହି ଗ୍ରାମକୁ ଆନ୍ଧ୍ର ପ୍ରଶାସନ ଦଖଲ କରିବାକୁ ନାନା ଉଦ୍ୟମ, ହିଂସା ଘଟାଇ ଚାଲିଛି। ଓଡ଼ିଶା ସରକାର ସୁରକ୍ଷା ଦେଇପାରୁ ନାହାନ୍ତି। ଆନ୍ଧ୍ରର ଏହି ଷଡ଼ଯନ୍ତ୍ର ପଛରେ ରାଜନୈତିକ ଏବ˚ ବ୍ୟାବସାୟିକ ସ୍ବାର୍ଥ ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ରାୟଗଡ଼ ବ୍ଲକ୍ର ଗଙ୍ଗାବାଡ଼ ଏବ˚ କେରାଣ୍ତି ପଞ୍ଚାୟତ ଅତ୍ୟନ୍ତ ଦୁର୍ଗମ। ଲୋକଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ବ୍ଲକ୍ ସଦରମହକୁମା ରାୟଗଡ଼ ସହ ସିଧା ରାସ୍ତା ସ˚ଯୋଗ ନଥିବା ଯୋଗୁଁ ଗଙ୍ଗାବାଡ଼ ବାସିନ୍ଦା ନିୟମିତ ଭାବେ ପଡ଼ୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ମଞ୍ଜୁଷା ମଣ୍ତଳ ରାସ୍ତା ଦେଇ ଗାରାବନ୍ଧ ବାଟେ ଓଡ଼ିଶାକୁ ଆସନ୍ତି। ପଞ୍ଚାୟତ ଚାରିପାର୍ଶ୍ବରେ ମହେନ୍ଦ୍ରଗିରି ପର୍ବତମାଳା ଏବ˚ ଘଞ୍ଚ ଜଙ୍ଗଲ। ଗଜପତି ଜିଲ୍ଲା ସହ ସିଧାସଳଖ ରାସ୍ତା ସ˚ଯୋଗ ନଥିବାରୁ ବହୁ ବର୍ଷ ହେଲା ଏହି ପଞ୍ଚାୟତବାସୀ ଆନ୍ଧ୍ରବାସୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। ତେବେ ଏମାନେ କହିଛନ୍ତି, ଓଡ଼ିଶା ପାଇଁ ଆମର ସ୍ବାଭିମାନ ରହିଛି ଏବ˚ ଏଥି ଯୋଗୁଁ ବାରମ୍ବାର ଆନ୍ଧ୍ରର ଷଡ଼ଯନ୍ତ୍ର ସତ୍ତ୍ବେ ମଞ୍ଜୁଷା ମଣ୍ତଳ ରାଜସ୍ବ ଅଧିକାରୀମାନେ ଗଙ୍ଗାବାଡ଼ ପଞ୍ଚାୟତର ଇଞ୍ଚେ ଜମି ମଧ୍ୟ ଦଖଲ କରିପାରି ନାହାନ୍ତି।
ସେଠାକାର ଅଧିକାରୀ ଓ ନେତାଙ୍କ ଚାପରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ନିର୍ବାଚନରେ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ସହ ଅନ୍ୟ କେତେକ ଗ୍ରାମବାସୀ ନିୟମିତ ଭାବେ ଭୋଟଦାନ କରୁଥିଲେ। ଗତ ନିର୍ବାଚନ ଗୁଡ଼ିକରେ ସଚେତନତା ଏବ˚ ନିର୍ବାଚନ ଆଇନରେ କଡ଼ା ପରିବର୍ତ୍ତନ ପରେ ଏଠାକାର ଜନସାଧାରଣ ଆଉ ଆନ୍ଧ୍ର ନିର୍ବାଚନରେ ଅ˚ଶଗ୍ରହଣ କରିପାରୁ ନାହାନ୍ତି। ତେବେ ଗତ ପଞ୍ଚାୟତ ନିର୍ବାଚନରେ ପୁଣି ଭୋଟର ତାଲିକାରେ ଏହି ଅଞ୍ଚଳବାସୀଙ୍କୁ ଆନ୍ଧ୍ର ସାମିଲ୍ କରି ମତଦାନ ପାଇଁ ଷଡ଼ଯନ୍ତ୍ର କରିଥିଲା। ଏହି ରାଜନୀତି ଫେଲ୍ ହେବା କାରଣରୁ ମଞ୍ଜୁଷା ମଣ୍ତଳର ଶାସକ ଦଳ ନେତୃବୃନ୍ଦ କ୍ଷୁବ୍ଧ। ସୀମା ବିବାଦ ୧୨ ବର୍ଷ ହେଲା ଲାଗି ରହିଛି ଓ ଏହି କାରଣରୁ ଗଙ୍ଗାବାଡ଼ ପଞ୍ଚାୟତବାସୀ ବର୍ତ୍ତମାନ ଜଙ୍ଗଲଜାତ ଦ୍ରବ୍ୟ ଆଉ ଆନ୍ଧ୍ର ସାହୁକାର ମାନଙ୍କୁ ଦେବା ପାଇଁ ଇଚ୍ଛୁକ ନୁହନ୍ତି। କାରଣ, ଆନ୍ଧ୍ର ବ୍ୟବସାୟୀ ଠକୁଛନ୍ତି, ଓଡ଼ିଶାରେ ବିକିଲେ ଆଦିବାସୀମାନେ ଦୁଇ ପଇସା ଅଧିକ ରୋଜଗାର କରି ପାରୁଛନ୍ତି। ଏହା ଆନ୍ଧ୍ର ବ୍ୟବସାୟୀ ମାନଙ୍କ ପାଇଁ ଇର୍ଷାର କାରଣ ପାଲଟିଛି। ଏଥିରେ ସେମାନେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଛନ୍ତି ଓ ଅର୍ଥ ଓ ବାହୁବଳ ଦ୍ବାରା ସ୍ଥାନୀୟ ନେତା, ଅଧିକାରୀଙ୍କୁ ଅରାଜକତା ପାଇଁ ଉସୁକାଉଛନ୍ତି।
ଗଙ୍ଗାବାଡ଼ ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ କହିଛନ୍ତି ଯେ ଏପରି ଦାଦାଗିରି ଆମେ ବିଗତ ୧୨ ବର୍ଷ ହେଲା ଦେଖୁଛୁ, ଭୋଗୁଛୁ। ଆମ ପଞ୍ଚାୟତର ଲୋକଙ୍କୁ ପଡ଼ୋଶୀ ରାଜ୍ୟର ଗୁଣ୍ତାମାନେ ବହୁବାର ଆକ୍ରମଣ କରିଛନ୍ତି ଓ ଅନେକ ପୁଲିସ କେସ୍ ମଧ୍ୟ ଚାଲିଛି। ଜିଲ୍ଲା ପ୍ରଶାସନ ସେତେବେଳେ ନିରବ ରହିଥିଲା ଓ ବିଭିନ୍ନ ଜିଲ୍ଲାପାଳ ଆଜି ବଦଳି ଗଲେଣି, ସମସ୍ତେ ଗଙ୍ଗାବାଡ଼ ପଞ୍ଚାୟତ ପାଇଁ କେବଳ ପ୍ରତିଶ୍ରୁତି ହିଁ ଦେଇ ଭୁଲି ଯାଉଛନ୍ତି। ଗତକାଲି ଆନ୍ଧ୍ର ମନ୍ତ୍ରୀଙ୍କର ଧମକ ଓ ଦାଦାଗିରି ଗଜପତିର ସରକାରୀ ଅଧିକାରୀମାନଙ୍କ ଆଖି ଖୋଲି ଦେଇଥିବ ଓ ନିଶ୍ଚିତ ଭାବେ ସେମାନେ ବାସ୍ତବକୁ ବୁଝି ପାରିଥିବେ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/andra-1.jpg)