କୋଟିଆରେ ଓଡ଼ିଶାର ବିରୋଧକୁ ଆନ୍ଧ୍ରର ବେଖାତିର୍ : ଫୋର୍ସ ପୂରାଇ ଭୋଟ୍‌ କଲା ଆନ୍ଧ୍ର

ପଟାଙ୍ଗି : ପ୍ରବଳ ବିରୋଧ କି ଅନୁରୋଧ କିଛି କାଟୁ କଲାନି। ଏପରିକି ସୁପ୍ରିମକୋର୍ଟରେ ଅବମାନନା ମାମଲା ରୁଜୁ ହୋଇଥିଲେ ସୁଦ୍ଧା ବେଖାତିର୍ କରିବାକୁ ପଛାଇ ନଥିଲା। ଯାହା ଚାହୁଥିଲା ତାହା ହିଁ ଆଜି କଲା ଆନ୍ଧ୍ର। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ପ୍ରବଳ ଫୋର୍ସ ନେଇ ଓଡ଼ିଶାରେ ପଶିଲା। ଶାନ୍ତି ଶୃଙ୍ଖଳାର ସହ ପଞ୍ଚାୟତ ନିର୍ବାଚନ କରାଇ ଆଜି ସଂଧ୍ୟାରେ ଫଳାଫଳ ଘୋଷଣା କରିଛି। ଅନ୍ୟପକ୍ଷରେ ସକାଳୁ ଓଡ଼ିଶାର ପ୍ରଶାସନିକ ଅଧିକାରୀ କୋଟିଆରେ ପହଞ୍ଚିଥିଲେ। ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥି‌ଲେ କିମ୍ବା ଆଦୌ ହସ୍ତକ୍ଷେପ କରି ନଥିଲେ। ଆନ୍ଧ୍ରର ପୋଲିଂ ପାର୍ଟି ଚାଲିଯିବା ପରେ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଫେରି ଆସିଥିବା ସୂଚନା ମିଳିଛି।

ଆଜି ସକାଳେ ଆନ୍ଧ୍ରର ୮ଜଣିଆ ପୋଲିଂ ପାର୍ଟି କୋଟିଆ ପଞ୍ଚାୟତ ଫାଟୁସିନେରୀ ପହଞ୍ଚିଥିଲେ। ଏଠାରେ ଏକ ନିର୍ମାଣାଧୀନ ଚର୍ଚ୍ଚକୁ ମତଦାନ କେନ୍ଦ୍ରରେ ପରିଣତ କରି ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ କରିଥିଲେ। ଓଡ଼ିଶାର ବିରୋଧକୁ ଦୃଷ୍ଟିରେ ରଖି ଆନ୍ଧ୍ର ପକ୍ଷରୁ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। କୌଣସି ପରିସ୍ଥିତିରେ ବି ମତଦାନକୁ ସଫଳ କରିବାକୁ କିଛି ସ୍ବେଚ୍ଛାସେବୀ ସଂଗଠନକୁ ବି ଏଥିରେ ନିୟୋଜିତ କରିଥିଲେ ଆନ୍ଧ୍ର ସରକାର। ଉକ୍ତ ସଂଗଠନର ସ୍ବେଚ୍ଛାସେବୀ ମାନେ ଗାଁ ଗାଁ ବୁଲି ଭୋଟରଙ୍କୁ ଚିହ୍ନଟ କରି ମତଦାନ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଥିଲେ। ଓଡ଼ିଶାର ଡୋଲିଆମ୍ବ, ମାଡ଼କାର, କଣାଦୋରା, ଚିକାପାରୁ, ବର୍ଣ୍ଣାପାଡ଼ୁ ଓ ଫାଟୁସିନେରୀ ଗ୍ରାମବାସୀ ମତଦାନ କରିଥିଲେ। ସେହିପରି ଆନ୍ଧ୍ରର ବଲଗାନବଳସା, ଏଲେଙ୍ଗାପାଲାସା, କାତାମାଡ଼ା, ପାଂସୁଲବାଲାସା, ନିମାଲପାଡ଼ୁ ଆଦି ଗ୍ରାମବାସୀ ଏହି ବୁଥରେ ମତଦାନ କରିଥିଲେ। ସମୁଦାୟ ୧୦୨୫ ଜଣ ଭୋଟରଙ୍କ ମଧ୍ୟରୁ ୬୧୫ (୬୦ପ୍ରତିଶତ) ଜଣ ମତଦାନ କରିଥିବା ସୂଚନା ମିଳିଛି। ସଂଧ୍ୟା ସୁଦ୍ଧା ମତଗଣନା କରି ସିନ୍ଦେରୁପୁ କାମୀ ୪୪ଖଣ୍ଡ ଭୋଟ ବ୍ୟବଧାନରେ କଣ୍ଡାପାଲି ପାଇଡ଼ିଆମାଙ୍କୁ ପରାସ୍ତ ସରପଞ୍ଚ ନିର୍ବାଚିତ ହୋଇଥିବା ଆନ୍ଧ୍ର ପକ୍ଷରୁ ନିଯୁକ୍ତ ଫାଟୁସିନେରୀ ପଞ୍ଚାୟତ ସଂପାଦକ ଶ୍ରୀନିବାସ ରାଓ ସୂଚନା ଦେଇଥିଲେ।

ବଡ଼କଥା ହେଲା ଓଡ଼ିଶାର ବିରୋଧ ଯୋଗୁ ମତଦାତା ପ୍ରଭାବିତ ହେବାର ଆଶଙ୍କା କରି ପୂର୍ବରୁ ରଣନୀତି ପ୍ରସ୍ତୁତ କରାଯାଇଥିବା ଆଜି ଦିନ ତମାମ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ସେଥିରୁ ସ୍ପଷ୍ଟ ହୋଇଛି। କାରଣ ସମସ୍ତ ଭୋଟରଙ୍କୁ ସ୍ବତନ୍ତ୍ର ଗାଡ଼ିରେ ବୁଥ୍ ପର୍ଯ୍ୟନ୍ତ ନେବା ଏବଂ ପୁଣି ଗାଁରେ ପହଞ୍ଚାଇବା ବ୍ୟବସ୍ଥା ହୋଇଥିଲା। ଏପରିକି ବୁଥ୍ ନିକଟରେ ହିଁ ସମସ୍ତ ଭୋଟରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା। ସେହିପରି ପ୍ରତି ଗାଁକୁ ଗୋଟିଏ ବଳଦ ଏବଂ ଭୋଟ ପିଛା ୫ଶହ ଟଙ୍କା ଦେବାକୁ ପ୍ରଲୋଭିତ କରାଯାଇଥିଲା। ପାର୍ବତୀପୁରମ ଏଏସ୍‌ପି ବି. ରାଜ କୁମାରୀ ଏବଂ କିଛି ଜିଲ୍ଲାସ୍ତରୀୟ ଅଧିକାରୀ ଏହି ବୁଥରେ ପହଞ୍ଚି ଭୋଟରଙ୍କ ସହ କଥାବାର୍ତ୍ତା କରିଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା ପକ୍ଷରୁ କେବଳ ପଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ଡିପିଓ ସୁଦେଶ ପଟ୍ଟନାୟକ, ସୁନାବେଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରା, ଆଇଆଇସି ବିଜୟରାଜ ମାଝୀ ପ୍ରମୁଖ ଫାଟୁସିନେରୀ ଗାଁରେ ରହି ମତଦାନ ପ୍ରକ୍ରିୟା ଉପରେ ନଜର ରଖିଥିଲେ।

ନିର୍ବାଚନର ସରଗରମ ପରିବେଶ ମଧ୍ୟରେ ଫଗୁଣସିନେରୀ ଗାଁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭତ୍ତା ବଣ୍ଟନ କରାଯାଇଥିଲା। କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କଅଁର, ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାୟ, ଜିପିଇଓ ଦାୟିତ୍ୱରେ ରହିଥିବା ଦିବାକର ପୁରହିତ, ପିଇଓ ନବ କିଶୋର ହାନ୍ତାଳ, ପିଇଓ ଦାମୋଦର ଦିଶାରୀଙ୍କ ସମେତ କିଛି ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାପାଳ ମହମଦ ଅବଦାଲ୍ ଅଖତର ଏବଂ ଏସ୍‌ପି ବରୁଣ ଗୁଣ୍ଟପାଲ୍ଲୀ କୋଟିଆରେ ରହି ଉଭୟ ସ୍ଥାନର ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା, ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି, ବରିଷ୍ଠ ବିଜେପି ନେତା ଗୌତମ ସାମନ୍ତରାୟ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଫାଟୁସିନେରୀ ଗ୍ରାମରେ ପହଞ୍ଚି ଆନ୍ଧ୍ର ମନମୁଖୀ ଭାବେ ନିର୍ବାଚନ କରୁଥିଲେ ମଧ୍ୟ ଓଡ଼ିଶା ସରକାର ନିରବ ରହିବା ଏକ ଲଜ୍ଜାଜନକ ଓ ବିରୋଧ ନ କରି ପ୍ରଶ୍ରୟ ଦେଲା ଭଳି ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।

ସଂଧ୍ୟାରେ ଓଡ଼ିଶାର ପ୍ରଶାସନିକ ଏବଂ ପୁଲିସ ଅଧିକାରୀ ଫେରିବା ସମୟରେ କୁନ୍ଦୁଲି ଛକରେ ଉଭୟ ବିଜେପି ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ କଂଗ୍ରେସ ନେତମାନେ ଅଟକାଇ ଦେଇଥିଲେ। ଜିଲ୍ଲାପାଳଙ୍କ ଗାଡ଼ି ସମ୍ମୁଖରେ ବସି ଓଡ଼ିଶା ସରକାରଙ୍କ ବିରୋଧରେ ନାରା ଦେଇଥିଲେ। ଏ ନେଇ ଜିଲ୍ଲାପାଳଙ୍କ କହିବା ହେଲା, ସୁପ୍ରିମକୋର୍ଟରେ ଅବମାନନା ମାମଲା ରୁଜୁ ହୋଇଛି। କୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଥିବା କହିଥିଲେ।

ସମ୍ବନ୍ଧିତ ଖବର