ଓଡ଼ିଶାରେ ନିର୍ବାଚନ କରିବ ଆନ୍ଧ୍ର : କୋଟିଆରେ ନାମାଙ୍କନ ଦାଖଲ କଲେ ୨ ପ୍ରାର୍ଥୀ

୩ ଗାଁରେ ଅଛନ୍ତି ୧୦ହଜାର ଭୋଟର , ବିବାଦ ନେଇ ମୁହଁ ଖୋଲୁନି ପ୍ରଶାସନ

କୋରାପୁଟ : ଆନ୍ଧ୍ର ସରକାର ତ୍ରିସ୍ତରୀୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଏହାର ପ୍ରଭାବ ଓଡ଼ିଶା ଉପରେ ବି ପଡ଼ିଛି। କୋଟିଆ ପଞ୍ଚାୟତର ତିନୋଟି ଗାଁର ନାମ ପରିବର୍ତ୍ତନ କରି ନିର୍ବାଚନ ପାଇଁ ଦିନଧାର୍ଯ୍ୟ କରିଛି ପଡ଼ୋଶୀ ରାଜ୍ୟର ପ୍ରଶାସନ। ଆଜି ନାମାଙ୍କନ ଦାଖଲର ଶେଷଦିନ ହୋଇଥିବାବେଳେ ବିବାଦିୟ କୋଟିଆ ପଞ୍ଚାୟତରୁ ଦୁଇ ଜଣ ବିଜୟନଗରମ ଜିଲ୍ଲା ସାଲୁର ବ୍ଲକ ଅଧୀନସ୍ଥ କୁରକୁଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ତଳଗଞ୍ଜ‌େଇପଦର ବିଶ୍ବନାଥ ଗେମେଲ ଓ ସିଦ୍ଧେଶ୍ବର ଗେ‌ମେଲ।

ସିଦ୍ଧେଶ୍ବର ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅଧୀନସ୍ଥ କୋଟିଆ ପଞ୍ଚାୟତରୁ ନିର୍ବାଚନ ଲଢ଼ିଥିଲେ। ୨୦୧୭ ନିର୍ବାଚନ ପୂର୍ବରୁ ସେ ଏହି ପଞ୍ଚାୟତର ସରପଞ୍ଚ ଭାବେ ରହିଥିଲେ। ସେହିପରି ବିଶ୍ବନାଥ ଏବେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ପୂର୍ବରୁ ମଧ୍ୟ କୁରକୁଟି ପଞ୍ଚାୟତରେ ସରପଞ୍ଚ ଭାବେ ରହିଥିଲେ। ଏବେ ଆନ୍ଧ୍ର ସରକାର କେତୋଟି ଗାଁକୁ ମିଶାଇ ତଳଗଞ୍ଜ‌େଇପଦର (ନୂଆ ନାମ ଗଞ୍ଜ‌େଇବାଦରା)କୁ ପଞ୍ଚାୟତ ଭାବେ ଘୋଷଣା କରିଛି। ପୂର୍ବରୁ କୁରକୁଟି ପଞ୍ଚାୟତ ଅଧୀନରେ ଏହି ଗାଁକୁ ଆନ୍ଧ୍ର ସରକାର ରଖିଥିବାବେଳେ ନୂଆ ପଞ୍ଚାୟତ ଭାବେ ଘୋଷଣା କରିବାରୁ ବିଶ୍ବନାଥ ସରପଞ୍ଚ ଭାବେ ନିର୍ବାଚନ ଲଢ଼ୁଛନ୍ତି। ବଡ଼ କଥା ହେଲା ବିଶ୍ବନାଥଙ୍କ ମା ସନାଇ ଗେମେଲ ଏବେ କୋଟିଆର ସରପଞ୍ଚ ରହିଛନ୍ତି। ତେଣୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ପଟୁ ସୁବିଧା ପାଉଥିବାରୁ ଲୋଭରେ ପଡ଼ି ଲୋକେ ନିର୍ବାଚନ ଲଢ଼ୁଥିବା ଏଥିରୁ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଆସନ୍ତ ୧୩ ତାରିଖ ଦିନ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ମତଦାନ କରାଉଛନ୍ତି ଆନ୍ଧ୍ର ସରକାର। ଏଥିପାଇଁ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସିନେରୀ ଗାଁର ନାମକୁ ପରିବର୍ତ୍ତନ କରିଛନ୍ତି। ଏହି ତିନି ଗାଁର ନାମ ବଦଳାଇ ଗଞ୍ଜ‌େଇବାଦରା, ପଟ୍ଟୁଚେନ୍ନୁରୁ ଓ ପଗୁଲୁଚେନ୍ନରୁ ପଞ୍ଚାୟତ ଭାବେ ନାମକରଣ କରିଛି। ସେହିପରି ସାଲୁର ବ୍ଲକ ଅଧୀନସ୍ଥ କୁରୁକୁଟ୍ଟି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜ‌େଇବାଦରା ଲୋକେ ମତଦାନ କରିବାକୁ ରହିଥିବା ବେଳେ ପଟ୍ଟୁଚେନ୍ନୁରୁ ଓ ପଗୁଲୁଚେନ୍ନରୁ ଲୋକେ ଥୋନମ୍‌ ପଞ୍ଚାୟତ କାର୍ଯ୍ୟାଳୟରେ ମତଦାନ କରିବେ ବୋଲି ଜଣାପଡ଼ିଛି। ଏହି ତିନିଟି ଗାଁରେ ୧୦ହଜାରରୁ ଅଧିକ ଭୋଟର ରହିଥିବା ଜଣାପଡିଛି। ତେବେ ଆନ୍ଧ୍ର ସରକାର ତିନିଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଯୋଜନା କରି ବିଜ୍ଞାପ୍ତି ପ୍ରକାଶ କରିଛନ୍ତି। ଜାନୁଆରି ୨୧ ତାରିଖରୁ ନିର୍ବାଚନ ନେଇ ବିଜ୍ଞାପ୍ତି ପ୍ରକାଶ କରିଥିବାବେଳେ ଆଜି ପ୍ରାର୍ଥିପତ୍ର ଦଖଲ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତାକାଲି ଯାଞ୍ଚ ଏବଂ ୮ ତାରିଖରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି। ୧୩ ତାରିଖ ଦିନ ମଦତାନ ସହ ଫଳଫଳ ଘୋଷଣା ହେବ।

ଅପରପକ୍ଷେ, ଆସନ୍ତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଏବଂ ଭାଷଣକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ।

ସମ୍ବନ୍ଧିତ ଖବର