ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ ବଢିଛି ଆନ୍ଧ୍ରର ଅନୁପ୍ରବେଶ, ରୋକି ପାରୁନି ଓଡ଼ିଶା

କୋରାପୁଟ: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କୋଟିଆ ଗସ୍ତ ପରେ ଆନ୍ଧ୍ର ସରକାରଙ୍କ ମନମାନୀ ବୃଦ୍ଧି ପାଇଛି। ମାନ୍ୟମ ଜିଲ୍ଲା ମାନ୍ୟତା ପାଇବା ଓ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିବା ପରେ କୋଟିଆରେ ଆନ୍ଧ୍ରୀ ଅନୁପ୍ରବେଶ ଆଶାତିତ ଭାବେ ବୃଦ୍ଧି ପାଇଛି। ଗତ ତିନିଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରି ଔଷଧ ବିତରଣ କରିବା, ଓଡିଆ ଅଙ୍ଗନବାଡି କେନ୍ଦ୍ରରେ ମାନ୍ୟମ ଜିଲ୍ଲାର ମ୍ୟାପ୍‌ କାଟିବା ଓ ଘର ତିଆରି କରିବା ଇତ୍ୟାଦି ବୃଦ୍ଧି ପାଇଛି। କୋଟିଆରେ ଫାଣ୍ଡି ରହିଥିଲେ ବି ଆନ୍ଧ୍ର ଅନୁପ୍ରବେଶକୁ ରୋକି ପାରୁନି ଜିଲ୍ଲା ପୁଲିସ। ନାରେଡିବାଲସା ଓ ଫାଟୁସିନେରୀରେ ପୁଲିସ ଗେଟ୍‌ ସ୍ଥାପନ କରିବାକୁ ଦାବି ଉଠିଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନାହାନ୍ତି ଫଳରେ ଏହାର ସୁଯୋଗ ନେଇ ଆନ୍ଦ୍ରର ନେତାଠୁ ଆରମ୍ଭ କରି ପ୍ରଶାସକ ଯାଏ ସବୁ ଅନାୟସରେ ପ୍ରବେଶ ଜାରି ରଖିଛନ୍ତି।

ତେବେ ଏହାକୁ ନେଇ ରାଜନୀତି ପୁଣି ଥରେ ଗରମ ହେବାକୁ ଲାଗିଲାଣି। ସର୍ବଦଳୀୟ ନେତା ଆନ୍ଧ୍ରର ଆଭିମୁଖ୍ୟକୁ ତିବ୍ର ସମଲୋଚନା କରିଛନ୍ତି। ଏନେଇ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କହିଛନ୍ତି ଯେ ଓଡ଼ିଶା ସରକାର ଆନ୍ଧ୍ରକୁ ଚେକ୍‌ମେଟ ଦେବାକୁ ହେଲେ ଲୋକଙ୍କ ପାଖକୁ ପହଞ୍ଚିବାକୁ ହେବ। ଘରେ ଘରେ ସରକାରଙ୍କ ସୁବିଧା ପହଞ୍ଚାଇବାକୁ ପଡିବ। ଲୋକେଥରେ ଓଡ଼ିଶା ମୁହାଁ ହେଲେ ଆଉ ଆନ୍ଧ୍ର ସେମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ। ମୁଖ୍ୟଶାସନ ସଚିବ ଯେତ‌େବେଳେ ଆସିଥିଲେ ସେତେବଳେ ସ୍ଥାନୀୟ ନେତୃତ୍ବକୁ ଡାକି ଆଲୋଚନା କରିବାର ଥିଲା। ସ୍ଥାନୀୟ ଯୁବକଙ୍କୁ କିପରିକର୍ମସଂସ୍ଥାନ ଯୋଗାଇ ଦିଆଯିବ, କିପରି ସେମାନଙ୍କର ଜୀବନଧାରଣ ମାନ ବୃଦ୍ଧି ପାଇବ ସେନେଇ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି।

ଏନେଇ ପଟାଙ୍ଗୀ ବିଧାୟକ ପିତମ ପାଢୀ କହିଛନ୍ତି ଯେ ଓଡ଼ିଶା ସରକାର ଯେତିକି କୋଟିଆ ବାସୀଙ୍କ ଉପରେ ଓଜାଡିଛନ୍ତି କେଉଁ ସରକାର ବି ଏପରି କରି ପାରିବ ନାହିଁ। ଆନ୍ଧ୍ର ସରକାର ଖଣି ପାଇଁ ଲୋକଙ୍କୁ ପ୍ରଲୋଭିତ କରୁଛି। ଏହା ବିରୋଧରେ ସାଧାରଣରେ ସ୍ବାର ତୀବ୍ର ହେଲାଣି। ଆସନ୍ତାଦିନରେ ଏହାର ଜବାବ ମିଳିବ ‌ବୋଲି ସେ କହିଛନ୍ତି।

ଏନେଇ ଜିଲ୍ଲାପରିଷଦ ସଦସ୍ୟା ଟିକାଇ ଗେମେଲ କହିଛନ୍ତି ଯେ ଲୋକଙ୍କ ପାଖକୁ ସରକାର ଯାଉ ନାହାନ୍ତି। ଆନ୍ଧ୍ର ସରକାର କମ୍ ଦେଇ ମିଡିଆରେ ବେଶୀ ପ୍ରଚାର ପ୍ରସାର କରୁଛି। ଓଡ଼ିଶା ସରକାର ଆନ୍ଧ୍ରକୁ ଚେକ୍‌ ଦେବାକୁ ହେଲେ ଲୋକଙ୍କ ପାଖକୁ ସବୁ ସେବା ପ୍ରଦାନ କରିବାକୁ ହେବ। ଏନେଇ ଆସନ୍ତା ଜିଲ୍ଲା ପରିଷଦ ବୈଠକରେ କୋଟିଆରେ ରହୁଥିବା ୫୦୦୦ ଲୋକଙ୍କ ସ୍ବର ଉଠିବ। ସମାଧାନ ନ କଲେ ସ୍ବର ତୀବ୍ର ହେବ ବୋଲି ସେ କହିଛନ୍ତି।

ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର କହିଛନ୍ତି ଯେ କୋଟିଆବାସୀଙ୍କ ପାଇଁ ଆମେ ସବୁ ବ୍ୟବସ୍ଥା ଗ୍ରହଣ କରୁଛୁ। ସେମାନେ କିପରି ଭଲ ଭାବେ ଚଳିବେ ଓ ସସେମାନଙ୍କ ଜୀବନଧାରଣ ମାନ ବୃଦ୍ଧି କରିବାକୁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର