ଆନ୍ଧ୍ର ଅକ୍ତିଆରରେ ଓଡ଼ିଶାର ଭିତ୍ତିଭୂମି: କୋଟିଆ ପରେ ଏବେ ପଟାଙ୍ଗି, ଓଡ଼ିଶାର ୧୩ କିଲୋମିଟର ଭିତରେ ପଶିଲେ

ଲୋକଙ୍କୁ ଯୋଗାଉଛି ସରକାରୀ ସୁବିଧା, ଓଡ଼ିଶା ସ୍କୁଲକୁ ଯାଉନାହାନ୍ତି ଛାତ୍ରଛାତ୍ରୀ

କୋରାପୁଟ : ଓଡ଼ିଶାର ପ୍ରାୟ ୧୩ କିଲୋମିଟର ଭିତରକୁ ପଶି ଆସିଛି ଆନ୍ଧ୍ର। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ତଳଗୋଲୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗାରୁଗୁଡ଼ି ଗାଁକୁ ଅକ୍ତିଆର କରିବାକୁ କରିଛି ବଡ଼ ଷଡ଼୍‌ଯନ୍ତ୍ର। ଗ୍ରାମବାସୀଙ୍କୁ ପ୍ରଲୋଭିତ କରିବାକୁ ନିଜ ରାଜ୍ୟର ସୁବିଧା ସୁଯୋଗ ଯୋଗାଇ ଦେଇଛି। ଓଡ଼ିଶା ଭିତରେ ବିଦ୍ୟୁତ ସଂଯୋଗ ଦେଇଥିବା ବେଳେ ରାସନ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଯାହାର ଆଧାରକାର୍ଡ ରହିଛି ଭତ୍ତା ଦେଉଛି। ଏହାବ୍ୟତୀତ ବାସଗୃହ ସହ ପାନୀୟ ଜଳ ଯୋଗାଣ କରୁଛି। ସେହିପରି ଗାଁର ୩୫ଜଣ ଛାତ୍ରଛାତ୍ରୀଙ୍କୁ ପାଚିପେଣ୍ଟା ସ୍ଥିତ ବିଦ୍ୟାଳୟରେ ପଢ଼ାଉଛି। ତେଣୁ ଓଡ଼ିଆକୁ ଭୁଲି ଓଡ଼ିଶାର ପିଲା ଏବେ ତେଲୁଗୁ ପାଠ ପଢ଼ୁଛନ୍ତି।

ସୂଚନା ଅନୁସାରେ; ଏହି ସୀମାନ୍ତ ଗାଁକୁ ଆନ୍ଧ୍ର କେବଳ ଅନୁପ୍ରବେଶ କରିନାହିଁ, ଓଡ଼ିଶାର ଭିତ୍ତିଭୂମିକୁ ବି ଜବରଦଖଲ କରିଛି। ଓଡ଼ିଶାର ବିଦ୍ୟାଳୟକୁ ଏବେ ଆନ୍ଧ୍ର ଠିକାଦାର ଏବଂ ସରକାରୀ କର୍ମଚାରୀ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। କରୋନା ଯୋଗୁ ଓଡ଼ିଶାର ବିଦ୍ୟାଳୟ ବନ୍ଦ ରହିବାରୁ ପାଠପଢ଼ା ଠାରୁ ଦୂରେଇ ଯାଇଥିଲେ ଛାତ୍ରଛାତ୍ରୀ। ଯାହାର ସୁଯୋଗ ନେଇ ଆନ୍ଧ୍ର ମନଲୋଭା କଥା କହି ଓଡ଼ିଆ ପିଲାଙ୍କୁ ୧୩କିଲୋମିଟର ଦୂର ନିଜ ରାଜ୍ୟର ହଷ୍ଟେଲରେ ରଖି ପଢ଼ାଉଛି। ବିଡ଼ମ୍ବନା ହେଲା ଓଡ଼ିଶାର ବିଦ୍ୟାଳୟ ‌ଆଦୌ ଖୋଲୁ ନଥିବା ବେଳେ ଏବେ କେବଳ କାଗଜପତ୍ରରେ ବିଦ୍ୟାଳୟ ଚାଲିଛି। ସେହିପରି ତଳଗୋଲୁର ନିକଟରେ କୌଣସି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନଥିବାରୁ ଉଚ୍ଚଶିକ୍ଷା ପାଇଁ ଏଠାକାର ପିଲା ଆନ୍ଧ୍ର ଉପରେ ନିର୍ଭର କରିଥିବା ଦେଖିବାକୁ ମିଳିଛି।

ଓଡ଼ିଶାର ବିଦ୍ୟାଳୟର ତିନୋଟି ଶ୍ରେଣୀଗୃହ ରହିଛି। ଏହାର ଚାରିପାଖରେ ସ୍ଥାନୀୟ ଲୋକଙ୍କୁ ଘର କରିବାକୁ ଟଙ୍କା ଦେଇଛି ଆନ୍ଧ୍ର। ତେଣୁ ଲୋକେ ଟଙ୍କା ପାଇ ଘର କରିବାରୁ ଶ୍ରେଣୀଗୃହ ଗୁହାଳ ପାଲଟି ଗଲାଣି। ଅନ୍ୟପକ୍ଷରେ ଓଡ଼ିଶା ପକ୍ଷରୁ ଏଠାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଡିଆରଡିଏ ଦ୍ବାରା ଦୁଇ ଲକ୍ଷରୁ ଅଧିକ ଖର୍ଚ୍ଚ କରି ନୂଆ ଘର ନିର୍ମାଣ କରାଯାଇଛି। ପୁରୁଣା ଘର ଭଲ ରହିବା ସତ୍ତ୍ବେ ନୂଆ ଘର କାହିଁକି ନିର୍ମାଣ ହେଲା ବୋଲି ପ୍ରଶ୍ନ ଉଠିଛି। ସେହିପରି ସପ୍ତାହରେ ମାତ୍ର ଦୁଇ ଦିନ ଶିକ୍ଷକ ବିଦ୍ୟାଳୟକୁ ଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ଶିକ୍ଷକ ଜଣକ ସ୍ଥାନୀୟ ଲୋକପ୍ରତିନିଧି ଏବଂ ପ୍ରଶାସନର ପାଖଲୋକ ବୋଲି କହି ଓଲଟା ଧମକ ଦେଉଥିବା କହିଥିଲେ। ଓଡ଼ିଶାର ଏତେ ଭିତରକୁ ଆନ୍ଧ୍ର ଚାଲି ଆସିଥିଲେ ବି ପ୍ରଶାସନ କିମ୍ବା କୌଣସି ଲୋକ ପ୍ରତିନିଧି ମୁହଁ ଖୋଲୁନାହାନ୍ତି। ଯାହାଫଳରେ ପାଚିପେଣ୍ଟା ଓ ବୋରାମୁଠା ପରି ଏହି ପଞ୍ଚାୟତର ୪୩ ଗାଁରୁ ୪ ଗାଁରେ ଏବେ ଆନ୍ଧ୍ରର ଅବଧା ପ୍ରବେଶ ଜାରି ରହିଛି।

ବିଡ଼ମ୍ବନା ହେଲା ବାଙ୍ଗୁରୁଗୁଡି ଗାଁରେ ରହୁଥିବା ୩୪ ପରିବାର ଓଡ଼ିଆ ଜାଣିନାହାନ୍ତି। ସମସ୍ତେ ତେଲୁଗୁରେ କଥାବାର୍ତ୍ତା କରୁଛନ୍ତି। କିଛି ବୃଦ୍ଧ ଓଡ଼ିଆ ଜାଣିଥିଲେ ସୁଦ୍ଧା ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି। ପିଲାମାନେ ନା ଓଡ଼ିଆ ଜାଣିଛନ୍ତି ନା ଓଡ଼ିଆ କହୁଛନ୍ତି। କେବଳ ଏହି ଗାଁ ନୁହଁ କାପତିଗୁଡାର ୨୫ ପରିବାର, ଧରମାପାଡୁର ୧୫ ପରିବାର ଓ ବଣିକମେଟାର ୧୬ ପରିବାର ତେଲୁଗୁରେ କଥା ହେଉଛନ୍ତି ଏବଂ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ସମସ୍ତ ପରିବାର ନିକଟରେ ଦୁଇ ରାଜ୍ୟର ଭୋଟର, ଆଧାର ଏବଂ ରାସନକାର୍ଡ ରହିଛି। ପୂର୍ବରୁ ଆନ୍ଧ୍ର ପାଚିପେଣ୍ଟର ୧୪ରୁ ଅଧିକ ଗାଁକୁ ନିଜ ଅକ୍ତିଆରକୁ ନେଇ ସାରିଥିବାବେଳେ ଏବେ ପାଚିପେଣ୍ଟା ଠାରୁ ୧୩ କିଲୋମିଟର ଦୂର ବାଙ୍ଗାରୁଗୁଡିକୁ ସଂପୂର୍ଣ୍ଣ ଅକ୍ତିଆର କରିବାକୁ ପ୍ରୟାସ ଜାରି ରଖିଛି। ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେବା ପରେ ୧୯୩୬ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ପ୍ରିଭି କାଉନସିଲ (୧୯୩୪ ମସିହାରେ ପାଚିପେଣ୍ଟା ଓ ବୋରାମୁଠା ଓଡ଼ିଶା‌ର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଜୟପୁର ମହାରାଜାଙ୍କ ଅଧୀନରେ ପାଚିପେଣ୍ଟା ଓ ମଦଗୁଲ (ପାଚିପେଣ୍ଟା ଜମିଦାରୀ ଅନ୍ତର୍ଗତ) ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉପରୋକ୍ତ ଦୁଇ ଅଞ୍ଚଳ ସାଲୁର ମଣ୍ଡଳ ଅଧୀନକୁ ଚାଲିଗଲା। କେଉଁ ଆଦେଶ ଏବଂ କେଉଁ ଆଇନ ବଳରେ ଦୁଇଟି ଅଞ୍ଚଳ ଆନ୍ଧ୍ରରେ ମିଶିଲା ସ୍ପଷ୍ଟ ହୋଇପାରିନି। ଏମିତି ସ୍ଥିତିରେ ଆନ୍ଧ୍ର ନୂଆ ଜିଲ୍ଲା ଗଠନ କରି ନିଜ ସୀମାକୁ ବଢ଼ାଇବା ପାଇଁ ଓଡ଼ିଶା ଭିତରେ ଆଗକୁ ଆଗକୁ ମାଡ଼ି ଚାଲିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର