କୋଟିଆରେ ଆନ୍ଧ୍ରର ପ୍ରଲୋଭନ ଉଦ୍ୟମକୁ ମନ୍ତ୍ରୀ ଫାଙ୍କିଦେଲେ: ସମସ୍ତେ ଜାଣୁଛନ୍ତି, ସରକାର ଅଜ୍ଞ

ବିଧାନସଭାରେ ମନ୍ତ୍ରୀ କହିଲେ, ଆମର ଏକଥା ଦୃଷ୍ଟିଗୋଚର ହୋଇନାହିଁ

ଭୁବନେଶ୍ବର: ଆଜି ନୁହେଁ, ବର୍ଷାଧିକ ହେଲାଣି ଆନ୍ଧ୍ରପ୍ରଦେଶ ସରକାର କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ପଞ୍ଚାୟତରେ ପଶି ଲୋକଙ୍କୁ ଲୋଭ ଦେଖାଉଛନ୍ତି। ଏକଥା ଗଣମାଧ୍ୟମରେ ପ୍ରକାଶ ପାଇଛି ଓ ସ୍ଥାନୀୟ ଅଞ୍ଚଳବାସୀ କିଛି କ୍ଷେତ୍ରରେ ପ୍ରତିବାଦ କରିଛନ୍ତି। ଖୋଦ୍ ବିଧାୟକ ଓ ବିରୋଧୀ କଂଗ୍ରେସ ନେତାମାନେ ମଧ୍ୟ। ଅଥଚ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏଭଳି କାରନାମା ଓଡ଼ିଶା ଲୋକସେବା ଭବନର ପାଚେରି ଡେଇଁ ଭିତରକୁ ଯାଇପାରୁନି କି ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚୁନି। ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏ ସଂପର୍କରେ କିଛି ବି ଜାଣିନାହାନ୍ତି। ତାଙ୍କ ବିଭାଗର ସଚିବଙ୍କ ପାଖରେ ମଧ୍ୟ ଏମିତି କିଛି ଖବର ନାହିଁ।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଆଜି ଏଭଳି ଉତ୍ତର ଦେଇ ପୂରା ଓଡ଼ିଶାକୁ ଚିନ୍ତାରେ ପକାଇ ଦେଇଛନ୍ତି। ବିଧାୟକ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟାରେ ଆନ୍ଧ୍ର ସରକାର ଘୋଷଣା କରିଥିବା ନୂଆ ଜିଲ୍ଲା ‘ମଣ୍ୟମ୍’ ମାନଚିତ୍ରରେ ଓଡ଼ିଶାର ୨୮ଟି ସୀମାନ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହିତ କୋରାପୁଟ ଓ ଗଜପତି ଜିଲ୍ଲାର ପାଖାପାଖି ୧୦୦ରୁ ଅଧିକ ଗ୍ରାମର ଲୋକଙ୍କୁ ବିଭିନ୍ନ ଲୋଭନୀୟ ଯୋଜନା ଦ୍ବାରା ସେମାନେ ଆକର୍ଷିତ କରୁଥିବା ସରକାର ଜାଣନ୍ତି କି? ଯଦି ହଁ, ତେବେ ଆନ୍ଧ୍ରର ବିସ୍ତାରବାଦୀ ଅଭିସନ୍ଧି ତଥା ଅଯଥା ହସ୍ତକ୍ଷେପକୁ ପ୍ରତିହତ କରିବା ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି, ଜଣାଇବେ କି? ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଏହାର ଉତ୍ତରରେ କହିଛନ୍ତି, ‘ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟାରେ ଆନ୍ଧ୍ର ସରକାର ଘୋଷଣା କରିଥିବା ନୂଆ ଜିଲ୍ଲା ‘ମଣ୍ୟମ୍’ ମାନଚିତ୍ରରେ ଓଡ଼ିଶାର ୨୮ଟି ସୀମାନ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ସହିତ କୋରାପୁଟ ଓ ଗଜପତି ଜିଲ୍ଲାର ପାଖାପାଖି ୧୦୦ରୁ ଅଧିକ ଗ୍ରାମର ଲୋକଙ୍କୁ ବିଭିନ୍ନ ଲୋଭନୀୟ ଯୋଜନା ଦ୍ବାରା ଆକର୍ଷିତ କରୁଥିବା ସରକାରଙ୍କ ଦୃଷ୍ଟି ଗୋଚର ହୋଇନାହିଁ। ସେଭଳି କିଛି କାର୍ଯ୍ୟକଳାପ ଦୃଷ୍ଟି ଗୋଚର ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।’
ମନ୍ତ୍ରୀଙ୍କ ଏହି ଉତ୍ତର ସମସ୍ତଙ୍କୁ ଆଚମ୍ବିତ କରିଛି। ଏଇଥିପାଇଁ ଯେ କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ଯେଭଳି ଉତ୍ପାତ ଚଳାଇଛନ୍ତି ତାହା କାହାକୁ ଅଗୋଚର ନାହିଁ। ସାଧାରଣସେବୀଙ୍କ ଠାରୁ ରାଜନୈତିକ ଦଳ ନେତା ଏହାକୁ ନେଇ ତମ୍ବିତୋଫାନ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଶିରୋନାମା ପାଲଟିଛି। ଅଥଚ ସରକାର ଜାଣୁନାହାନ୍ତି ନା ଜାଣି ଅଜଣା ରହୁଛନ୍ତି?

କିଛି ଉଦାହରଣ ଦେଲେ ଏହି ପ୍ରସଙ୍ଗଟି ଆହୁରି ସ୍ପଷ୍ଟ ହେବ। ବେଶି ଦୂର ନୁହେଁ, ମଣ୍ୟମ୍ ଜିଲ୍ଲା ଗଠନ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଛି। କେଉଁ କେଉଁ ଅଞ୍ଚଳକୁ ନେଇ ଏହି ଜିଲ୍ଲା ଗଠନ ହୋଇଛି, ଏ ତାଲିକା ବି ଆନ୍ଧ୍ରପ୍ରଦେଶ ଲୁଚାଇ ରଖିନି। ସେମିତି ଗତ ଜୁଲାଇ ୮ ତାରିଖ ଦିନ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ବିବାଦୀୟ କୋଟିଆ ଅଞ୍ଚଳକୁ ଗସ୍ତ କରିଥିଲେ। କୋଟିଆର ତାଡିୱ୍ବାଲସା, ନେରେଡ଼ି ବାଲସାକୁ ତାଙ୍କର ଏହି ଗସ୍ତ ସମୟରେ ସେ ଲୋକଙ୍କୁ ଲୁଗା ବଣ୍ଟନ କରିଥିଲେ। ଏହି ଘଟଣାକୁ ସ୍ଥାନୀୟ ବିଧାୟକ ପ୍ରୀତମ୍ ପାଢ଼ୀ ନିନ୍ଦା କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଲା। ଗତ ଏପ୍ରିଲ ମାସରେ ଫଗୁଣସିନେରୀ ଗ୍ରାମରେ ଆନ୍ଧ୍ର ସରକାରଙ୍କ ପ୍ରୋତ୍ସାହନରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣକୁ ଓଡ଼ିଶା ପ୍ରଶାସନ ବନ୍ଦ କରିଥିଲା। ଏହି ଗୃହଟି ଛାତପଡିବା ପର୍ଯ୍ୟନ୍ତ ପହଞ୍ଚିଥିଲା। ସେବେ ଖବରପାଇ ପଟ୍ଟାଙ୍ଗି ବିଡ଼ିଓ ସମ୍ୟ ସାର୍ଥକ ମିଶ୍ର, କୋଟିଆ ଏଏସଆଇ ପି କେ ଦଣ୍ଡସେନା, କୋଟିଆ ସରପଂଚ ଲିଉ ଗେମେଲଙ୍କ ସମେତ କିଛି ଅଧିକାରୀ ପହଞ୍ଚି ଏହାକୁ ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ।
କେବଳ ସେତିକି ନୁହେଁ, ଗତ ନଭେମ୍ବର ୨୮ ତାରିଖ ଦିନ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ଆନ୍ଧ୍ର ପ୍ରଶାସନ ପ୍ରବେଶ କରି ଖେଳ ସାମଗ୍ରୀ ବାଣ୍ଟିଲା। ପାର୍ବତୀପୁରମ୍‌ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ବି.ବିକ୍ରମାଦିତ୍ୟ ଓ ପିଓ ଆଇଟିଡିଏ ଆର.କୁର୍ମାନାଥ ଦୁଇ ଗାଁର ଯୁବକମାନଙ୍କୁ ଭଲିବଲ୍, କାର୍ଡ ବୋର୍ଡ, ଫୁଟବଲ୍ ଏବଂ ଅନ୍ୟାନ୍ୟ ଖେଳ ସାମଗ୍ରୀ ଯୋଗାଇଥିଲେ।

ଠିକ୍ ବର୍ଷକ ତଳେ ଜୁଲାଇ ୧୩ ତାରିଖରେ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ଆସି ଲୋକଙ୍କୁ ଜଙ୍ଗଲ ପଟ୍ଟା ବଣ୍ଟନ କରିବାର ନିଷ୍ପତ୍ତି ନେଲେ। ସେଦିନ କୋଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପର ସେମ୍ବିରେ ଆନ୍ଧ୍ର ସଚିବାଳୟ କର୍ମଚାରୀ, ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପାର୍ବତୀପୂରମ ଡିଏସପି, ସାଲୁର ସିଆଇ, ଆଦିବାସୀ ଉନ୍ନୟନ ଡିଇ ପ୍ରମୁଖ ଗ୍ରାମ ସଭା କରିଥିଲେ। ସେଠାରେ କୋଟିଆରେ ଏକ ସ୍କୁଲ କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା ଏବଂ ସେମ୍ବୀ, ତଳ ସେମ୍ବୀ, ଗଞ୍ଚେଇ ପଦର, ତଳ ଗଞ୍ଚେଇ ପଦର, ଧୂଳି ପଦର ଗାଁରେ ରହିଥିବା ୪୦୦ରୁ ଅଧିକ ଲୋକଙ୍କୁ ମାସେ ମଧ୍ୟରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନେଲେ। ଆନ୍ଧ୍ର ଅନୁପ୍ରବେଶ ଓ ପ୍ରଲୋଭନ ଉଦ୍ୟମର ଏହି ତାଲିକା ଏମିତି ଲମ୍ବୁଥିବ। ତଥାପି ରାଜ୍ୟ ସରକାର ଜାଣିପାରୁନାହାନ୍ତି। ଇତିମଧ୍ୟରେ ମୁଖ୍ୟଶାସନ ସଚିବ କୋଟିଆ ଯାଇ ଫେରିଛନ୍ତି। ପୂର୍ବତନ ରାଜସ୍ବ ସଚିବ ଏବଂ ବର୍ତ୍ତମାନର ରାଜସ୍ବ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ବି। କେବିକେ ପ୍ରଶାସକ ସେଠାରେ ଅଛନ୍ତି ଏବଂ ଜିଲ୍ଲା ପ୍ରଶାସନ ବି କୋରାପୁଟରେ ସକ୍ରିୟ ଅଛନ୍ତି। ଆନ୍ଧ୍ର ସରକାରଙ୍କ କାର୍ଯ୍ୟକ୍ରମ କିନ୍ତୁ କାହା ଆଖିରେ ନ ପଡ଼ିବା ଆଶ୍ଚର୍ଯ୍ୟଜନକ ବୋଲି କୁହାଯିବନି ତ ଆଉ କ’ଣ?

ସମ୍ବନ୍ଧିତ ଖବର