ଓଡ଼ିଶା ମାଟିରେ ସୁନା ଫଳାଇଲେ ଆନ୍ଧ୍ର ଚାଷୀ: ପଡ଼ିଆ ଜମିରୁ ଦିନକୁ ଉତ୍ପାଦନ ୨ କୁଇଣ୍ଟାଲ ପିଜୁଳି

ଲକଡାଉନ୍ ଫେରନ୍ତାଙ୍କୁ ଯୋଗାଇଛନ୍ତି କର୍ମ ନିଯୁକ୍ତି, ପଡୋଶୀ ରାଜ୍ୟରେ ବଢ଼ୁଛି ସ୍ବାଦିଷ୍ଟ ପିଜୁଳିର ଚାହିଦା

ରାୟଗଡ଼ା: ଚାଷୀଙ୍କ ଲାଗି ଅଲୋଡ଼ା ହୋଇ ପଡ଼ିଆ ପଡ଼ିଥିଲା ଜମି। ଏବେ ଏହି ଅବ୍ୟବହୃତ ଜମିରେ ସୁନା ଫଳାଇବାରେ ସକ୍ଷମ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ଯୁବ ଚାଷୀ। ୧୦ ଏକର ଜମିରେ ଚାଷ କରି ଦିନକୁ ୨ କୁଇଣ୍ଟାଲ ସ୍ବାଦିଷ୍ଟ ପିଜୁଳି ଉତ୍ପାଦନ କରି ରାୟଗଡ଼ା ସମେତ ରାଜ୍ୟ ବାହାରକୁ ରପ୍ତାନି କରି ରାୟଗଡ଼ାର ଟେକ ବଢ଼ାଇଛନ୍ତି। ଓଡ଼ିଶା ମାଟିରେ ଆନ୍ଧ୍ର ଚାଷୀଙ୍କ ଏପରି ସଫଳତା ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀ ଓ ଯୁବପିଢ଼ିଙ୍କ ପାଇଁ ପାଲଟିଛି ଉଦାହରଣ।

ରାମନାଗୁଡା ବ୍ଲକର ତୁମ୍ବାକଣା ଗାଁ। ଗାଁକୁ ଲାଗି ୧୦ ଏକର ପରିମିତ ଜମିରେ ହୋଇଛି ପିଜୁଳି ଚାଷ। ଆନ୍ଧ୍ରପ୍ରଦେଶ ରାଜ୍ୟ ଇଷ୍ଟ ଗୋଦାବରୀ ଜିଲ୍ଲାର ଯୁବ ଚାଷୀ ଶିବା ରେଡ୍ଡୀ କର୍ମଭୂମି ଭାବେ ତୁମ୍ବାକଣା ଗାଁକୁ ବାଛିନେଇ ୨ ବର୍ଷ ତଳେ ଆରମ୍ଭ କରିଥିଲେ ଚାଷ। ଆନ୍ଧ୍ର ଜଳବାୟୁ ପରି ଓଡ଼ିଶାର ଜଳବାୟୁ ମଧ୍ୟ ପିଜୁଳି ଚାଷ ପାଇଁ ଅନୁକୂଳ ଥିବାରୁ ନିଜ ଅଭିଜ୍ଞତାକୁ ପ୍ରୟୋଗ କରି ଆରମ୍ଭ କରିଥିଲେ ଚାଷ। ଯାହାର ସୁଫଳ ଏବେ ଶିବାଙ୍କୁ ମିଳିଛି। ଦିନକୁ ୨ କୁଇଣ୍ଟାଲରୁ ଉର୍ଧ୍ବ ପିଜୁଳି ଉତ୍ପାଦନ ହେଉଥିବାରୁ ରାତି ପାହିବା କ୍ଷଣି ଆଖପାଖ ଚାଷୀଙ୍କ ଭିଡ଼ ଲାଗୁଛି ପିଜୁଳି ନେବା ପାଇଁ। ଖୁବ୍ କମ ଦରରେ ମିଳୁଥିବା ସ୍ବାଦିଷ୍ଟ ପିଜୁଳିକୁ ବିକ୍ରି କରି ଗୁଣପୁର, ପଦ୍ମପୁର, ରାୟଗଡ଼ା ଅଞ୍ଚଳର ଚାଷୀ ବେଶ୍ ଲାଭବାନ ହେଉଛନ୍ତି। ପୂର୍ବରୁ ବିଶାଖାପାଟଣା, ରାଜମ୍, ଶ୍ରୀକାକୁଲମରୁ ଆମଦାନୀ ହେଉଥିବା ପିଜୁଳି ରାୟଗଡ଼ାରେ ପହଞ୍ଚିବା ବେଳକୁ ନଷ୍ଟ ହେବା ସହ ସ୍ବାଦ କମି ଯାଉଥିଲା।

ଏବେ ତଟକା ପିଜୁଳି ମିଳୁଥିବାରୁ ଚାଷୀ ବାହାର ମାର୍କେଟ୍ ଉପରେ ଆଉ ନିର୍ଭର କରୁନାହାନ୍ତି। ଉତ୍ପାଦିତ ପିଜୁଳି ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ବ୍ରହ୍ମପୁର, ଭବାନୀପାଟଣା ଓ ଆନ୍ଧ୍ରପ୍ରଦେଶକୁ ରପ୍ତାନି ହେଉଛି। କେବଳ ଏତିକି ନୁହେଁ, କରୋନା ମହାମାରୀ ପାଇଁ ଗାଁ ମୁହାଁ ହୋଇଥିବା ୧୫ରୁ ଉର୍ଧ୍ବ ଯୁବକ ଏହି ପିଜୁଳି ବାଡ଼ରେ ନିୟୋଜିତ ହୋଇ ଦୈନିକ ମଜୁରି ପାଇ ନିଜ ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି। ନିଆରା ସ୍ବାଦ ଲାଗି ଧୀରେ ଧୀରେ ତୁମ୍ବାକଣା ପିଜୁଳିର ଚାହିଦା ବଢ଼ୁଥିବାରୁ ଆଗକୁ ଅଧିକ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ଯୁବ ଚାଷୀ ଶିବା ରେଡ୍ଡୀ।

ରାୟଗଡ଼ାର ଚାଷୀ ବିଶେଷତଃ ଧାନ, କପା, ପନିପରିବା ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ପିଜୁଳି ଚାଷ ପ୍ରତି ରାୟଗଡ଼ାର ଚାଷୀ ଇଚ୍ଛୁକ ନଥିବା ବେଳେ ଉଦ୍ୟାନ ବିଭାଗର ପ୍ରୋତ୍ସାହନରେ କାଁ ଭାଁ କିଛି ଚାଷୀ ପିଜୁଳି ଚାଷ କରିଥାନ୍ତି। ଏଠାକାର ଜଳବାୟୁ କେବଳ କପା, ଧାନ ଓ ପନିପରିବା ଉର୍ଦ୍ଧିଷ୍ଟ ଭାବି ଚାଷୀ ଫଳ ଚାଷ ଆଡ଼କୁ ମୁହାଁଉ ନାହାନ୍ତି। କିନ୍ତୁ ଧାନ, କପା, ପନିପରିବା ସହ ରାୟଗଡ଼ାର ଜଳବାୟୁ ଫଳ ଚାଷ ପ୍ରତି ମଧ୍ୟ ଅନୁକୂଳ ତାହା ପ୍ରମାଣ କରି ଦେଖାଇଛନ୍ତି ଆନ୍ଧ୍ରର ଯୁବ ଚାଷୀ ଶିବା ରେଡ୍ଡୀ। ରାମନାଗୁଡ଼ା ବ୍ଲକକୁ ଆନ୍ଧ୍ର ସୀମାନ୍ତ ଲାଗିଥିବାରୁ ଓଡ଼ିଶାରେ ପଡ଼ିଆ ପଡିଥିବା ଜମିକୁ ବ୍ୟବହାର କରିବା ପାଇଁ ଯୋଜନା କରିଥିଲେ ଶିବା ରେଡ୍ଡୀ। ଜମି ମାଲିକଙ୍କ ସହ ଆଲୋଚନା ପରେ ୧୦ ଏକର ଜମିକୁ କିଣି ପିଜୁଳି ଚାଷ ଆରମ୍ଭ କରିଥିଲେ। ଯାହା ଏବେ ଓଡ଼ିଶା ସମେତ ବାହାର ରାଜ୍ୟର ପିଜୁଳି ଚାହିଦା ମେଣ୍ଟାଇବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର