ସେମିଳିଗୁଡ଼ା: ଓଡ଼ିଶାରେ ଘର। ଲୋକେ କିନ୍ତୁ ପାଣି ପିଉଛନ୍ତି ପଡ଼ିଶାର। ବିବାଦୀୟ କୋଟିଆ ପରେ ଆନ୍ଧ୍ରର ଦବ୍‌ଦବା କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ସାଡାମ ପଞ୍ଚାୟତ କେ. ଆମ୍ବାଗୁଡ଼ାରେ ଦେଖିବାକୁ ମିଳିଛି। ପାହାଡ଼ ଉପରେ ଥିବା ଏହି ଗାଁକୁ ୫ ବର୍ଷ ହେଲା ଆନ୍ଧ୍ର ସରକାର ପାନୀୟ ଜଳ ଯୋଗାଇ ଆସୁଛି। ଓଡ଼ିଶା ପକ୍ଷରୁ ଚାଲିଥିବା ପ୍ରକଳ୍ପ ଅଚଳ ସହ ଅସମ୍ପୂର୍ଣ୍ଣ ହୋଇପଡ଼ିଥିବାରୁ ଜଳଯୋଗାଣ ମାଧ୍ୟମରେ ନିଜ ପ୍ରତି ସମର୍ଥନ ଗୋଟାଇ ଚାଲିଛି ଆନ୍ଧ୍ର।

ପ୍ରତି ଘରକୁ ଆନ୍ଧ୍ରର ଜଳ ଯୋଗାଣ
ଓଡ଼ିଶା ପ୍ରକଳ୍ପ ଅଚଳ, ଅସମ୍ପୂର୍ଣ୍ଣ

Advertisment

ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି ଓଡ଼ିଶାର ଦୁଇ ଗାଁ କେ. ଆମ୍ବାଗୁଡା ଓ ଟି. ଅମ୍ବାଗୁଡା। ପାହାଡ଼ ଶିଖରରେ ଥିବା ଏହି ଦୁଇ ଗ୍ରାମବାସୀ ଦୀର୍ଘଦିନରୁ ପାନୀୟ ଜଳ କଷ୍ଟ ଭୋଗି ଆସୁଛନ୍ତି। ଉଭୟ ଗ୍ରାମରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ଗ୍ରାମରେ ଥିବା ଏକମାତ୍ର ନଳକୂପ ଓ ଝରଣା ଉପରେ ସିଭଁଏ ନିର୍ଭର କରୁଛନ୍ତି। ବାରମ୍ବାର ଗୁହାରି ସତ୍ତ୍ବେ ପ୍ରଶାସନ ପାନୀୟ ଜଳ ଯୋଗାଣରେ ବିଫଳ ହେବାପରେ ଗୋଟି ଚଳାଇଥିଲା ଆନ୍ଧ୍ର। ଆନ୍ଧ୍ର ସରକାର ବିଶାଖାପାଟଣା ସମାଜ କଲ୍ୟାଣ ସଂସ୍ଥା ନବ ନିର୍ମାଣ ସମିତି-ବେଙ୍ଗାଲୁରୁସ୍ଥିତ ଇନଫୋସିସ୍‌ ଫାଉଣ୍ଡେସନ ସହାୟତାରେ ୨୦୧୮ ମସିହାରେ କେ. ଅମ୍ବାଗୁଡାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ। ଗାଁ ନିକଟରେ ଥିବା ଏକ ପୋଖରୀରୁ ପାଣି ଉଠାଇ ଷ୍ଟାଣ୍ଡ ପୋଷ୍ଟ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଛି।

କିନ୍ତୁ, ବିଡ଼ମ୍ବନାର ବିଷୟ ଆନ୍ଧ୍ର ପାଣି ଯୋଗାଇବାର ପ୍ରାୟ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାବତ୍ ଓଡ଼ିଶା ପକ୍ଷରୁ ନିର୍ମାଣ ଚାଲିଥିବା ପାନୀୟ ଜଳ ପ୍ରକଳ୍ପର ଅଧପନ୍ତରିଆ ହୋଇ ପଡ଼ିରହିଛି। କେ. ଆମ୍ବଗୁଡାରେ ବ୍ଲକ୍ ପ୍ରଶାସନ ୬ ମାସ ତଳେ ସୌରଚାଳିତ ନଳକୂପ ବସାଇ ଥିବା ବେଳେ ଟି. ଅମ୍ବାଗୁଡ଼ାରେ ନଳକୂପ ଖନନ ସରିଛି। ଟାଙ୍କି କାମ ସରିନଥିବାରୁ ଜଳ ଯୋଗାଣ ହୋଇପାରୁନି। ପାହାଡ଼ିଆ ଗ୍ରାମରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାକୁ ଆନ୍ଧ୍ର ହୃଦୟଙ୍ଗମ କରିଥିବା ବେଳେ ଓଡ଼ିଶା ପଛରେ ପଡ଼ିଛି। ପ୍ରଶାସନିକ ଅବହେଳା ଯୋଗୁ ବ୍ଲକ୍‌ ସଦର ମହାକୁମାରୁ ୩୦ କିମି ଦୂରରେ ଥିବା ଦୁଇ ସୀମାନ୍ତ ଗାଁକୁ ଆନ୍ଧ୍ର ଆପଣାଇ ନେଇଥିବା ବେଳେ ଓଡ଼ିଶା ପାଇଁ ଏହି ଦୁଇ ଗାଁ ଅପହଞ୍ଚ ସଦୃଶ୍ୟ ହୋଇଛି।

ଏ ସଂପର୍କରେ ସେମିଳିଗୁଡା ବିଡ଼ିଓଙ୍କୁ ପଚାରିବାରୁ ଦୁଇ ବର୍ଷ ତଳେ କେ. ଆମ୍ବାଗୁଡାରେ ୨ ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ କରାଯାଇଛି। ଆଉ ତିନୋଟି ସୌରଚାଳିତ ନଳକୂପ ବସାଯିବା ପାଇଁ ଅର୍ଥ ମଞ୍ଜୁର ହୋଇଛି।