କୋରାପୁଟ: କୋଟିଆ ହେଉଛି ଓଡ଼ିଶାର। କିନ୍ତୁ ଏହି ବାସ୍ତବତାକୁ ଗ୍ରହଣ କରିବାକୁ ଆନ୍ଧ୍ର ନାରାଜ। ଓଡ଼ିଶାର ବିରୋଧ ସତ୍ତ୍ବେ କୋଟିଆରେ ନିଜର କର୍ତ୍ତୃତ୍ବ ଜାହିର କରିବାକୁ ଚକ୍ରାନ୍ତ ଚଳାଇଛି। ଏବେ ନିର୍ବାଚନ ଆସିଥିବାରୁ ଯେନତେନ ପ୍ରକାରେଣ କୋଟିଆରୁ ଭୋଟ୍ ହାଇଜାକ୍ ପାଇଁ ଚଳାଇଛି ଷଡ଼୍ଯନ୍ତ୍ର। ପ୍ରଥମେ ଅନୁପ୍ରବେଶ କରି ଭୋଟରଙ୍କୁ ପ୍ରଭାବିତ ଏବଂ ପ୍ରଲୋଭିତ କଲା। ତଥାପି କୌଣସି ଫରକ୍ ପଡ଼ିଲା ନାହିଁ। ଏହାପରେ ସମବେଦନା ଜୁଟାଇବାକୁ ବିଳାପ କଲା। କିନ୍ତୁ ତାହା ବି ପ୍ରଭାବଶୂନ୍ୟ ହେଲା। ଶେଷରେ କ୍ରୋଧରେ ଛଟପଟ ହୋଇ ନାଲିଆଖି ଦେଖାଉଛି ଆନ୍ଧ୍ର। ଓଡ଼ିଶା ସରକାର ଏବଂ କୋରାପୁଟ ପ୍ରଶାସନକୁ କାଠଗଡ଼ାକୁ ଟାଣିବା ପାଇଁ ଓଲଟା ଧମକ ଦେଇଛି। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନା ଦୋରା ଗତକାଲି ଭିଡିଓ ଜାରି କରି ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେବେ ବୋଲି ଧମକ ଦେଇଛନ୍ତି। ଓଡ଼ିଶା ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ସେ ଅଭିଯୋଗ କରିଛନ୍ତି।
ଧମକ ପଛର ପ୍ରକରଣ ସପ୍ତାହ ତଳେ ଆରମ୍ଭ ହୋଇଥିଲା। ଓଡ଼ିଶା ପକ୍ଷରୁ ସୀମାନ୍ତ ଗାଁରେ ବିଦ୍ୟୁତ ଯୋଗାଣ ନିମନ୍ତେ କାମ ଚାଲିଥିଲା। ଖବର ପାଇ ଆନ୍ଧ୍ରର ଦରମାପ୍ରାପ୍ତ ଏଜେଣ୍ଟ ପହଞ୍ଚି ଯାଇଥିଲେ। କର୍ମଚାରୀଙ୍କୁ କାମ କରିବାକୁ ସୁଯୋଗ ନଦେଇ ପ୍ରବଳ ପାଟିତୁଣ୍ଡ କରିଥିଲେ। ବିରୋଧ ଦେଖି କର୍ମଚାରୀମାନେ ଫେରି ଆସିଥିଲେ। ଏହାପରେ ଆନ୍ଧ୍ର ଏଜେଣ୍ଟ ଘଟଣା ସଂପର୍କରେ ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନା ଦୋରାଙ୍କୁ ଜଣାଇଥିଲେ। ନିର୍ବାଚନ ସମୟ ହୋଇଥିବାରୁ ଏହାକୁ ପ୍ରସଙ୍ଗ କରିବାକୁ ରାଜନ୍ନା ସୋସିଆଲ ମିଡିଆର ସାହାରା ନେଇଛନ୍ତି। ଭିଡିଓ ଜାରି କରି କହିଛନ୍ତି, ଆନ୍ଧ୍ରର କର୍ମଚାରୀ ଯୋଜନା ନେଇ କୋଟିଆରେ ପହଞ୍ଚିଲେ ଓଡ଼ିଶା ବିରୋଧ କରୁଛି। ଏହି ବିଷୟରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦେଇ ସ୍ଥିତାବସ୍ଥାର ଉଲ୍ଲଂଘନ ହେଉଥିବା ଦର୍ଶାଇ ପକ୍ଷ ମଜଭୁତ କରିବାକୁ ଉଦ୍ୟମ କରୁଛନ୍ତି। କହୁଛନ୍ତି ଯେ ଓଡ଼ିଶା ପ୍ରଶାସନ ନିଜେ କୋଟିଆରେ ସ୍ଥିତାବସ୍ଥାକୁ ଉଲ୍ଲଂଘନ କରୁଛନ୍ତି। ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ଆଳରେ ଅସୁବିଧାରେ ପକାଉଛନ୍ତି। ଏପରିକି ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିବାକୁ ଭୟ ଦେଖାଉଛନ୍ତି। ଏଥିପାଇଁ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ, ଏସ୍ପି ଏବଂ ପିଓ ଆଇଟିଡିଏ ଦୃଷ୍ଟି ଦେବା ଆବଶ୍ୟକ। ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ମୁଖ୍ୟ ଶାସନ ସଚିବଙ୍କ ସହ ଜିଲ୍ଲାପାଳ ଏହି ବିଷୟରେ ଆଲୋଚନା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ଏହି ଭିଡିଓରେ ଆହୁରି ଗୋଟିଏ ବ୍ୟତିକ୍ରମ ସାମ୍ନାକୁ ଆସିଛି। ରାଜନ୍ନା ଦୋରା ଯେତିକି ଥର କୋଟିଆ ନାଁ ନେଇଛନ୍ତି, ପ୍ରତ୍ୟେକ ଥର କହିଛନ୍ତି ‘ଆମ କୋଟିଆ’। ଯେମିତି ଓଡ଼ିଶା ସରକାର ଆମ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ଅଧିକାରୀ ଏବଂ ନେତାଙ୍କ ଦ୍ବାରା ଆମ କୋଟିଆବାସୀ ହଇରାଣ ହେଉଛନ୍ତି। ସେହିପରି ଆନ୍ଧ୍ର ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ବିଷୟରେ ଓଡ଼ିଶା ସହ ଆଲୋଚନା କରିବାର ଆବଶ୍ୟକତା ରହିଛି। ଆବଶ୍ୟକ ପଡ଼ିଲେ ଓଡ଼ିଶା ବିରୋଧରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ପାଇଁ ଆହ୍ବାନ ଦେଇଛନ୍ତି। କୋଟିଆରେ ମୁକ୍ତ, ସ୍ବଚ୍ଛ ଏବଂ ଅବାଧ ନିର୍ବାଚନ କରିବା ଆନ୍ଧ୍ର ଅଧିକାରୀଙ୍କ ଦାୟିତ୍ବ। ଯଦି ଏଥିରେ ଓଡ଼ିଶାର ପ୍ରଶାସନିକ ଅଧିକାରୀ କିମ୍ବା ରାଜନତୋ ହସ୍ତକ୍ଷେପ କରନ୍ତି, କୋର୍ଟରେ ମକଦ୍ଦମା ହେବା ଦରକାର ବୋଲି ରାଜନ୍ନା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fshfhfsfhsfhth.jpg)