ତଳ ଗଂଜେଇ ପଦରରେ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର

କୋଟିଆରେ ଦାଦାଗିରି

କୋରାପୁଟ/ପଟାଙ୍ଗୀ: ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ମାସରେ ଆନ୍ଧ୍ରର ଅନୁପ୍ରବେଶ ପରେ ଓଡ଼ିଶା ସରକାର ହଠାତ ଚେତି ଉଠିଥିଲାବେଳେ ଏହାକୁ ଖାତିର କରିନି ପଡୋଶୀ ଆନ୍ଧ୍ର। ବରଂ ଓଡ଼ିଶାକୁ ହିସାବକୁ ନ ନେଇ ଆମ ରାଜ୍ୟ ଭିତରେ ଗୋଟିଏ ପରେ ଗୋଟିଏ ନିର୍ମାଣ କାମ ଆରମ୍ଭ କରି ଦେଇଛି। ତାଡିବାଲ୍‌ସାରୁ ଆରଜୁ ବାଲସା ପର୍ଯ୍ୟନ୍ତ ମେଟାଲ ରାସ୍ତା ନିର୍ମାଣ କରିବା ପରେ ଏବେ ତଳ ଗଂଜେଇ ପଦରରେ ରାସ୍ତା ନିର୍ମାଣ ଆରମ୍ଭ କରିଛି। ତେବେ ଏଥିନେଇ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ପାଖରେ ଖବର ବି ନାହିଁ।
କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଚାଲିଥିଲାବେଳେ ବିଭିନ୍ନ ସମୟରେ ଆନ୍ଧ୍ର ଅଧିକାରୀମାନେ ଓଡ଼ିଶାରେ ପଶି ସରକାରୀ ସହାୟତା ବାଣ୍ଟୁଛନ୍ତି। ଗତ ମାସରେ ଆନ୍ଧ୍ରର ଡଜନେ ଅଧିକାରୀ କୋଟିଆର ତଳ ଗଂଜେଇ ପଦରକୁ ଆସି ସୋଲାର ଲାଇଟ ଓ କମ୍ବଳ ବାଣ୍ଟିଥିଲେ। ଏହା ସହିତ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ବି ପ୍ରଦାନ କରିଥିଲେ। ଏହା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା। ଓଡ଼ିଶା ଅଧିକାରୀମାନେ କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ଓଡ଼ିଶା ସରକାରଙ୍କୁ ବେଖାତିର କରି ସପ୍ତାହେ ହେଲା କୋଟିଆ ପଞ୍ଚାୟତର ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛି। ତାଡିବାଲସାରୁ ଆରଜୁବାଲସା ପର୍ଯ୍ୟନ୍ତ ରାସ୍ତାରେ ମେଟାଲ ପକାଇ ମରାମତି କରାଯିବା ପରେ ଏବେ ତଳ ଗଂଜେଇ ପଦରରେ ରାସ୍ତା କାମ ଆରମ୍ଭ କରିଛି ଆନ୍ଧ୍ର। ସୂଚନା ଅନୁସାରେ, ତଳଗଂଜେଇ ପଦର ସହ ଗଂଜେଇ ପଦରକୁ ଯୋଡିବା ପାଇଁ ତିଆରି ହେଉଥିବା ଏହି ରାସ୍ତା ପାଇଁ ଆନ୍ଧ୍ର ସରକାର ୫୨ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି। ସ୍ଥାନୀୟ ନାଏବ ସରପଞ୍ଚ ବିଶୁ ଗେମେଲ ଠିକାଦାର ଭାବେ ଏହି ରାସ୍ତା ତିଆରି କରୁଛନ୍ତି।

ଆନ୍ଧ୍ରରେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ କୋଟିଆରେ ନିର୍ମାଣ କାମକୁ ପ୍ରାଧାନ୍ୟ ଦେଇଛନ୍ତି ଆନ୍ଧ୍ର ସରକାର। କୋଟିଆ ପଞ୍ଚାୟତକୁ ଆନ୍ଧ୍ର ୪ଟି ପଞ୍ଚାୟତରେ ଭାଗ କରି ନିର୍ବାଚନ କରାଉଛି। ଏଥିପାଇଁ ଭୋଟର କାର୍ଡ ଲୋକଙ୍କୁ ପ୍ରଦାନ କରାଯାଇଛି। ଏପରିକି ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଧାର କାର୍ଡକୁ ମଧ୍ୟ ବଦଳାଇ ତେଲଗୁ ଭାଷାରେ କରିବା ପାଇଁ ଲାଗି ପଡିଛନ୍ତି ସରକାର। ତେବେ ଏଥିନେଇ ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ କହିଛନ୍ତି ଯେ, ଆନ୍ଧ୍ରର ଏମିତି ନିର୍ମାଣ ଉପରେ ରୋକ ଲଗା ଯାଇ ପାରିବ ନାହିଁ। ଆନ୍ଧ୍ର ଅଳ୍ପ କିଛି କାମ କରିଥିଲାବେଳେ ଓଡ଼ିଶା ସରକାର ତା’ଠାରୁ ୧୦ଗୁଣ ଅଧିକ କାମ କରୁଛନ୍ତି। ତେଣୁ ଏଥିରେ ଏତେ ବ୍ୟସ୍ତ ହେବାରେ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷରେ ଆସନ୍ତାକାଲି କୋଟିଆରେ ଆମ କୋଟିଆ ସଂଗଠନ ପକ୍ଷରୁ ସର୍ବ ଦଳୀୟ ବୈଠକ ଡକାଯାଇଛି। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

କୋଟିଆକୁ ପଠାଯିବ ଉଚ୍ଚସ୍ତରୀୟ ଦଳ
ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତ କୋଟିଆ ଗ୍ରାମକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀମାନେ ଅନୁପ୍ରବେଶ କରି ବିଭିନ୍ନ ଯୋଜନାରେ ଗ୍ରାମବାସୀମାନଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏ ନେଇ ଅନୁଧ୍ୟାନ ପାଇଁ କୋଟିଆକୁ ଖୁବଶୀଘ୍ର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦଳକୁ ପଠାଯିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତିି। ଆଜି ଏ ନେଇ ମନ୍ତ୍ରୀ ଶ୍ରୀ ମହାନ୍ତି ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ ସେ କହିଥିଲେ, କୋଟିଆ ନେଇ କୌଣସି ବିବାଦ ନାହିଁ। ଏହା ସଂପୂର୍ଣ୍ଣ ରୂପେ ଓଡ଼ିଶାର। ତେବେ କାହିଁକି ବାରମ୍ବାର ଆନ୍ଧ୍ର ପ୍ରଦେଶରୁ ଅଧିକାରୀମାନେ ସେଠାକୁ ଆସୁଛନ୍ତି, କି କି କାର୍ଯ୍ୟକ୍ରମ କରୁଛନ୍ତି ସେ ସଂପର୍କରେ ଅନୁଧ୍ୟାନ କରାଯିବ। କୋଟିଆକୁ ନେଇ ରହିଥିବା ମାମଲା ନେଇ ଆଇନ ବିଭାଗର ପରାମର୍ଶ ଲୋଡ଼ାଯାଇଥିବା ସେ କହିଥିଲେ। ସୂଚନାଯୋଗ୍ୟ, ଗତ କିଛିଦିନ ପୂର୍ବରୁ ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ ଜିଲ୍ଲାପାଳ ଏବଂ ବିଧାୟକ କୋଟିଆ ଗ୍ରାମକୁ ଆସିଥିଲେ। ସେଠାରେ ସେମାନେ ଜନ୍ମଭୂମି ଯୋଜନାରେ ସହାୟତା ବଣ୍ଟନ କରିଥିଲେ। ପରେ ଓଡ଼ିଶା ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ ଓ ପଟ୍ଟାଙ୍ଗି ବିଧାୟକ କୋଟିଆ ଗ୍ରାମକୁ ଯାଇ ଗ୍ରାମବାସୀମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ।

ସମ୍ବନ୍ଧିତ ଖବର