କୋଟିଆରେ ଆନ୍ଧ୍ରର ରାସ୍ତା ନିର୍ମାଣ

ଭୋଟର ଓ ଆଧାର କାର୍ଡ ସଂଶୋଧନ ବି ଚାଲିଛି

କୋରାପୁଟ/ପଟାଙ୍ଗୀ : ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ବନ୍ଦ ହେଉନି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିଲାବେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଆନ୍ଧ୍ର। ଯୁଦ୍ଧକାଳୀନ ଭିତ୍ତିରେ ଭୋଟର କାର୍ଡ ଓ ଆଧାର କାର୍ଡ ସଂଶୋଧନ ଚାଲିଥିଲା ବେଳେ ତାଡିବାଲ୍‌ସାରୁ ଆରଜୁ ବାଲସା ପର୍ଯ୍ୟନ୍ତ ମେଟାଲ ରାସ୍ତା ନିର୍ମାଣ କରୁଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଚାଲିଥିଲାବେଳେ ବିଭିନ୍ନ ସମୟରେ ଆନ୍ଧ୍ର ଅଧିକାରୀମାନେ ଓଡ଼ିଶାରେ ପଶି ସରକାରୀ ସହାୟତା ବାଣ୍ଟୁଛନ୍ତି। ଓଡ଼ିଶା ଲୋକଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ବିଭିନ୍ନ ସମୟରେ ଚେଷ୍ଟା ଚଳାଇଥିଲାବେଳେ ଏବେ ରାସ୍ତା ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି। ତାଡିବାଲସାରୁ ଆରଜୁବାଲସା ପର୍ଯ୍ୟନ୍ତ ରାସ୍ତାରେ ମେଟାଲ ପକାଇ ମରାମତି କରାଯାଉଛି। ସାଲୁରର ଡେପୁଟି ତହସିଲଦାର କ୍ରିଷ୍ଣା ରାଜୁ ଓ ନିର୍ବାଚନ ଅଧିକାରୀ ନାଗେଶ୍ୱର ରାଓ ସେଠାରେ ରହି ସମସ୍ତ କାମ ତଦାରଖ କରୁଛନ୍ତି। ଏପଟେ ସେଠାରେ ଲୋକମାନଙ୍କ ଭୋଟର କାର୍ଡ ସଂଶୋଧନ କରାଯାଉଛି। ଓଡ଼ିଆରେ ଥିବା ଭୋଟର କାର୍ଡକୁ ତେଲଗୁରେ କରାଯାଉଛି। ସେହିପରି ଯାହାପାଖରେ ଭୋଟର କାର୍ଡ ନାହିଁ, ସେମାନଙ୍କୁ ନୂତନ ଭୋଟର କାର୍ଡପ୍ରଦାନ କରାଯାଉଛି। କେବଳ ଏତିକି ନୁହେଁ, ଓଡ଼ିଆରେ ଥିବା ଆଧାର କାର୍ଡକୁ ତେଲଗୁରେ ବଦଳାଇବାରେ ଲାଗିଛନ୍ତି ଅଧିକାରୀ।

ଏପଟେ ଓଡ଼ିଶା ଅଧିକାରୀଙ୍କ ଦେଖା ନାହିଁ। ଆସନ୍ତା ୭ତାରିଖରେ କୋଟିଆରେ ଆମ କୋଟିଆ ସଂଗଠନ ପକ୍ଷରୁ ସର୍ବ ଦଳୀୟ ବୈଠକ ଡକାଯାଇଥିଲା ବେଳେ ସେଠାରେ କୋଟିଆ ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ସରକାରଙ୍କୁ ଜଣାଇ ଦିଆଯିବ ସହ କୋଟିଆକୁ ଓଡ଼ିଶାରେ ରଖିବା ପାଇଁ ଯୋଜନା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର