କୋରାପୁଟ/ପଟାଙ୍ଗୀ: ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକ ନିମନ୍ତେ ରାସ୍ତା ଖୋଲିବାକୁ ଯାଉଛି ଆନ୍ଧ୍ର। ଏଥିପାଇଁ ବଡ଼ଧରଣର ଯୋଜନା ପ୍ରସ୍ତୁତ କରିସାରିଛି। ଏପରିକି ବିବାଦୀୟ କୋଟିଆ ଭୂଖଣ୍ଡରେ ପ୍ରାରମ୍ଭିକ ସର୍ଭେ ଘରୋଇ ସଂସ୍ଥା ଦ୍ବାରା କରାଇଛି। ପ୍ରକଳ୍ପ ଫାଇଲ୍‌ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ ଅନୁମୋଦନ ଅପେକ୍ଷାରେ ରହିଛି। ପ୍ରଶାସନ ମଞ୍ଜୁରି ଦେଲେ ଖୁବଶୀଘ୍ର ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସୂଚନା ମିଳିଛି।

Advertisment

କୋଟିଆ ପଞ୍ଚାୟତରେ ସୁଉଚ୍ଚ ପର୍ବତମାଳା ସହ ଜଳପ୍ରପାତ ଆଗନ୍ତୁକଙ୍କୁ ସବୁବେଳେ ଆକର୍ଷିତ କରେ। ତେବେ ଏଠାରେ ରାତି ବିତାଇବା ପାଇଁ ବିଶେଷ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରିନି। ପର୍ଯ୍ୟଟନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ସୁଦ୍ଧା ଏଥିପ୍ରତି ଓଡ଼ିଶା ସରକାର ବିଶେଷ ଧ୍ୟାନ ଦେଇନଥିଲେ। ତେବେ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ବଢ଼ିବା ତଥା ବାରମ୍ବାର ଓଡ଼ିଶାର ପ୍ରତିବାଦ ଯୋଗୁଁ କୋଟିଆରେ ନିରଙ୍କୁଶ ଅନୁପ୍ରବେଶ ପାଇଁ ଆନ୍ଧ୍ର ନୂଆ ଯୋଜନା କାର୍ଯ୍ୟକାରୀ କରୁଛି। ଏହିକ୍ରମରେ କୋଟିଆରେ ଇକୋ-ରିସର୍ଟ ମାଧ୍ୟମରେ ପର୍ଯ୍ୟଟକଙ୍କ ଜରିଆରେ ଓଡ଼ିଶାରେ ଅନୁପ୍ରବେଶ ଯୋଜନା କରିଛି। ତେଣୁ ବହୁ ପୂର୍ବରୁ ଷଡ଼୍‌ଯନ୍ତ୍ର କରି ଫଗୁଣସି‌ନେରୀ-ଫାଟୁସିନେରୀ ମଧ୍ୟରେ ପକ୍କା ରାସ୍ତା କରି ସାରିଥିଲା। ସେହିପରି ଫ୍ଲଡ୍‌ ୱାଲ୍‌ ସହ ଡ୍ରେନ୍‌ ନିର୍ମାଣ କରିଛି। ଆଗକୁ ପର୍ଯ୍ୟଟକ ଏଠାରେ ରାତି ବିତାଇବା ନିମନ୍ତେ ଗୃହ ନିର୍ମାଣ କରିବାକୁ ବ୍ଲପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଗୋଟିଏ ଘରୋଇ ସଂସ୍ଥା ଦ୍ବାରା ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ସର୍ଭେ ସହ ଭିତ୍ତିଭୂମି ନିର୍ମାଣ ନିମନ୍ତେ ସର୍ଭେ କରାଇଥିବା ଜଣାପଡ଼ିଛି।

ପର୍ଯ୍ୟଟକଙ୍କ ନିମନ୍ତେ ଝରଣା ପାଣିକୁ ଉପଯୋଗ କରିବା ସହ ନିରନ୍ତର ବିଦ୍ୟୁତ ଯୋଗାଣ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଆନ୍ଧ୍ର ପ୍ରକ୍ରିୟା ଚଲାଇଥିବା ସୂଚନା ମିଳିଛି। ବିନା ପ୍ରତିବନ୍ଧକରେ ଯେମିତି ସମସ୍ତ କାମ ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ ହେବ ସେଥିପାଇଁ ଓଡ଼ିଶାରେ ନିଜ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବ ଆନ୍ଧ୍ର। ଫଗୁଣସିନେରିରେ ପଞ୍ଚାୟତ କାର୍ଯ୍ୟାଳୟ ଲାଗି ଜମି ଚିହ୍ନଟ କରିଛି ଏବଂ ୧୫ଲକ୍ଷ ଟଙ୍କା ବ୍ୟୟବରାଦ କରିଛି। ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳଙ୍କ ନିକଟରେ ପଞ୍ଚାୟତ କାର୍ଯ୍ୟାଳୟ ଫାଇଲ୍‌ ଅନୁମୋଦନ ନିମନ୍ତେ ରହିଛି। ଥରେ ପର୍ଯ୍ୟଟନ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ହୋଇଗଲେ ପର୍ଯ୍ୟଟକଙ୍କୁ ଅଟକାଇବା ଓଡ଼ିଶା ପାଇଁ ସମ୍ଭବ ନହୋଇପାରେ। ଆନ୍ଧ୍ର ପର୍ଯ୍ୟଟନ ବିଭାଗ ବର୍ଷ ତମାମ ବେଧଡ଼କ କୋଟିଆରେ ପଶିବାକୁ ସୁଯୋଗ ପାଇବ। ପର୍ଯ୍ୟଟକଙ୍କ ଦ୍ବାହି ଦେଇ ଆନ୍ଧ୍ର ଅଧିକାରୀଙ୍କୁ ଅନୁପ୍ରବେଶ କରିବା ସହଜ ହୋଇଯିବ। ସେହିପରି ପର୍ଯ୍ୟଟନ କ୍ଷେତ୍ରକୁ ଆଧାର କରି କୋଟିଆରେ ଅନ୍ୟ ଭିତ୍ତିଭୂମିକୁ ସୁଦୃ୍ଢ଼ କରିବାକୁ ବିଶେଷ କଟକଣାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ଆନ୍ଧ୍ର ଅନୁମାନ କରୁଛି। ତେଣୁ ଇକୋ-ରିସର୍ଟ ପ୍ରକଳ୍ପକୁ ସାଲୁର ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ବିଭିନ୍ନ ବିଭାଗର ଅନୁଦାନକୁ ଏହି ପ୍ରକଳ୍ପରେ ବିନିଯୋଗ ନିମନ୍ତେ ବ୍ୟକ୍ତିଗତ ଉଦ୍ୟମ କରୁଛନ୍ତି। ବିଶ୍ବସ୍ତ ସୂତ୍ର ଅନୁସାରେ ୫ଟି ଗୃହ ନିର୍ମାଣ କରାଯିବ। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲେ ଗୃହ ସଂଖ୍ୟା ୧୨କୁ ବୃଦ୍ଧି କରାଯିବ। ୫ତାରକା ହୋଟେଲ ଭଳି ସମସ୍ତ ସୁବିଧା ଏହି ରିସର୍ଟରେ ମିଳିବ ବୋଲି ଜଣାପଡ଼ିଛି।