କୋରାପୁଟ: କୋଟିଆ ବିବାଦ ପୁଣି ନୂଆ ମୋଡ଼ ନେଇଛି। କୋଟିଆବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ଆନ୍ଧ୍ର ସରକାରଙ୍କ ନିକଟରେ ହାତ ପତାଇଛି ଆନ୍ଧ୍ର ଆଦିବାସୀ ସଂଗଠନ। ସାଲୁର ତହସିଲ କାର୍ଯ୍ୟାଳୟରେ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛି। ତେବେ ଆନ୍ଧ୍ର ଆଦିବାସୀ ସଂଗଠନର ଏମିତି ଦରଦ ସନ୍ଦେହକୁ ବଢ଼ାଇଛି। ନିଶ୍ଚିତ ରୂପେ କିଛି ଷଡ଼୍ଯନ୍ତ୍ର ରହିଛି ବୋଲି ଆଶଙ୍କା ହେଉଛି।
କୋଟିଆ ସୀମା ବିବାଦ ଦୁଇ ରାଜ୍ୟ ମଧ୍ୟରେ ଆଉ ସୀମିତ ନାହିଁ। ବିଭିନ୍ନ ସଂଗଠନ ଏଥିରେ ବାରମ୍ବାର ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି। ତେଣୁ କୋଟିଆରେ ଅବାଧ ପ୍ରବେଶ କରି ଲୋକଙ୍କୁ ପ୍ରଭାବିତ ଏବଂ ପ୍ରଲୋଭିତ କରୁଛନ୍ତି। କୌଣସି ପ୍ରକାର ଅଙ୍କୁଶ ନଥିବାରୁ ଏହି ତଥାକଥିତ ସଂଗଠନ ସରକାରୀ ସୁବିଧା ଆଳରେ ଲୋକଙ୍କ ମନ ପରିବର୍ତ୍ତନ କରିବାକୁ ଭରପୂର ପ୍ରୟାସ କରୁଛନ୍ତି। ଯାହାର ସଦ୍ୟତମ ଉଦାହରଣ ହେଲା ଆନ୍ଧ୍ରର ଆଦିବାସୀ ସଂଘର ଦାବି।
ପୂର୍ବରୁ ଆନ୍ଧ୍ର ୱାଇଏସ୍ଆର କଂଗ୍ରେସ ସରକାର କୋଟିଆ ଅଞ୍ଚଳରେ ସର୍ଭେ କରାଇଥିଲେ। କିଛି ପରିବାରକୁ ସେହି ସମୟରେ ଜଙ୍ଗଲ ଜମି ପଟ୍ଟା ମଧ୍ୟ ପ୍ରଦାନ କରିଥିଲେ। ସର୍ଭେରୁ ଅନ୍ତର୍ଭୁକ୍ତ କିଛି ପରିବାର ପଟ୍ଟା ପାଇନଥିଲେ। ସେହି ପରିବାର ପାଇଁ ସଂଗଠନ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ସାଲୁର ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଅତୀତରେ ବଞ୍ଚିତ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ନୂଆ ସରକାର ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ। ଯାହାକୁ ବର୍ତ୍ତମାନ ପୂରଣ କରି କୋଟିଆବାସୀଙ୍କୁ ଉପକୃତ କରିବାକୁ ସଂଗଠନ ଦାବି କରିଛି। ନଚେତ ସାଲୁର ପ୍ରଶାସନ ବିରୋଧରେ ଆଗାମୀ ଦିନରେ ଆଦିବାସୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ବିକ୍ଷୋଭରେ ଜିଲ୍ଲା ସଭାପତି ଏସ୍. ଆପା ରାଓ, ଜି. ଜାନକୀ ରାଓ, ଭି. ସୁନ୍ଦର ରାଓ, ଏମ୍. ଗିଟୁଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ। ସଂଗଠନର ଏଭଳି ଆଭିମୁଖ୍ୟ ପଛରେ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ସରକାର ତଥା ପ୍ରଶାସନର ଭୂମିକା ରହିଥିବା ଶୁଣିବାକୁ ମିଳୁଛି। କାରଣ ପୂର୍ବ ସରକାର ମଧ୍ୟ ଓଡ଼ିଶାର ପ୍ରବଳ ବିରୋଧର ସମ୍ମୁଖୀନ ହେଲେ ଲୋକଙ୍କୁ ମତାଉଥିଲେ। ବିବାଦୀୟ ପରିସ୍ଥିତି କରି ଅସ୍ଥିରତା ସୃଷ୍ଟି କରୁଥିଲେ। ଯାହାଫଳରେ ଲୋକେ ଆନ୍ଧ୍ର ସରକାରଙ୍କ ନିକଟରେ ଦାବି କରୁଥିଲେ। ତେଣୁ ଆଦିବାସୀ ସଂଗଠନ ଜରିଆରେ ଆନ୍ଧ୍ର ସରକାର ଏମିତି ଦାବିକୁ ବଳ ଦେଉଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/HS0CxLZxu8PagiLhDjrr.jpg)