କୋରାପୁଟ / ପଟାଙ୍ଗି: କୋଟିଆରେ ନିର୍ବାଚନ ପ୍ରଭାବିତ କରିବାକୁ ପୁଣି ରଣନୀତିରେ ପରିବର୍ତ୍ତନ କରିଛି ଆନ୍ଧ୍ର। ପୂର୍ବରୁ ୮୦ ପ୍ରତିଶତ ମତଦାନ ପାଇଁ ଲକ୍ଷ୍ୟ ରଖିଥିଲା। ତେବେ ଏହି ଯୋଜନାରେ ଓଡ଼ିଶା ଅଙ୍କୁଶ ଲଗାଇବା ଆରମ୍ଭ କରିବାରୁ ସିଂହଭାଗ ଭୋଟରଙ୍କୁ ନିର୍ବାଚନର ଦିନକ ପୂର୍ବରୁ କିମ୍ବା ନିର୍ବାଚନ ଦିନ ସକାଳୁ ସକାଳୁ ନେଇଯିବାକୁ ଆନ୍ଧ୍ର ଯୋଜନା କରିଛି। ଏଥିପାଇଁ ରାଜନୈତିକ ଦଳ ଆଗକୁ ଆସି କୋଟିଆରେ ମିଛ ପ୍ରଚାର ଆରମ୍ଭ କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ପୂର୍ବରୁ ହିଁ ଶାସକ ଦଳ ୱାଇଏସ୍‌ଆର୍‌ କଂଗ୍ରେସ କୋଟିଆରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିସାରିଥିଲା। ଆଜି ଆଦିବାସୀ ସଙ୍ଗଠନ ଆଳରେ ଆନ୍ଧ୍ର ନେତା କୋଟିଆରେ ଅନୁପ୍ରବେଶ କରିଛନ୍ତି। ମଣ୍ଡଳ ସଭାପତି ଭାଣ୍ଟାଲା ସୁନ୍ଦର ରାଓ ଓ ମଣ୍ଡଳ କମିଟି ସଦସ୍ୟ ତାଡ଼ଙ୍ଗି ସନ୍ନମ ଓଡ଼ିଶା ସରକାର ଆଦିବାସୀ ଚାଷ କରିଥିବା ଜମି ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରୁନାହାନ୍ତି। ଆଦିବାସୀଙ୍କ ବିନା ଅନୁମତିରେ ଖଣି ଲିଜ୍‌ ଦେବାକୁ ବି ଯୋଜନା କରିଛନ୍ତି। ସମସ୍ତ ଆଦିବାସୀ ଏକଜୁଟ ହୋଇ ଏହାର ଜବାବ ଦେବେ। ଆନ୍ଧ୍ର ସରକାର ଆଦିବାସୀ ସଂଗଠନର ଦାବିକୁ ସମର୍ଥନ କରୁଛନ୍ତି ବୋଲି ଏମାନେ କହିଥିଲେ। ମଣ୍ଡଳ ସଚିବ ମାରି ଶ୍ରୀନିବାସ ରାଓ କହିଥିଲେ, ସିପିଏମ୍‌ ପାର୍ଟି ମଣ୍ଡଳ କମିଟି ସେମାନଙ୍କ ସଂଗ୍ରାମକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି।

Advertisment

ଆନ୍ଧ୍ରରୁ ଆସିଥିବା ଏହି ତଥାକଥିତ ନେତାଙ୍କ ସ୍ବର ସେମାନଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଆନ୍ଧ୍ର ପାଇଁ ଏହି ନେତା ଓକିଲାତି କରିବା ସହ ଓଡ଼ିଶା ସଂପର୍କରେ ନକରାତ୍ମକ ବାର୍ତ୍ତା ଦେବା ସେମାନଙ୍କ ମୂଳ ଉଦ୍ଦେଶ୍ୟ ଥିଲା। ଅନ୍ୟପଟେ କୋଟିଆରେ ମତଦାନ ହାର ବଢ଼ାଇବା ଓ ଭୋଟରଙ୍କୁ କାବୁ କରିବା ପାଇଁ ବହୁତ ବଡ଼ ଷଡ଼୍‌ଯନ୍ତ୍ର ହୋଇଥିବା ଜଣାପଡ଼ିଛି। ଦୁଇ ବର୍ଷ ମଧ୍ୟରେ ଭୋଟର ସଂଖ୍ୟା ୧୬ଗୁଣ ବଢ଼ାଇଥିବା ଆନ୍ଧ୍ର କୋଟିଆ ଭୋଟରଙ୍କ ପାଇଁ ୧୦ଟି ବୁଥ୍‌ କରିବ। ସେଥିରୁ ୫ଟି ବୁଥ୍‌ କୋଟିଆର ଫାଟୁସିନେରି, ଫଗୁଣସିନେରି, ଗଞ୍ଜେଇପଦର, ସାରିକି ଓ କୁରୁକୁଟିରେ ହେବ। ଏହି ବୁଥ୍‌ଗୁଡ଼ିକରେ କୋଟିଆର ମୋଟ ୨୫୫୪ ଭୋଟର ମତଦାନ ନିମନ୍ତେ ଆନ୍ଧ୍ର ବ୍ୟବସ୍ଥା କରିଛି। ସେହିପରି ବାକି ୫ଟି ବୁଥ୍‌ ଆନ୍ଧ୍ର ନିଜ ଅଞ୍ଚଳରେ କରିବ। ସେହି ବୁଥ୍‌କୁ କୋଟିଆ ଅଞ୍ଚଳର ଭୋଟର ଯାଇ ମତଦାନ କରିବାକୁ ଯୋଜନା ହୋଇଛି। ଆନ୍ଧ୍ରରେ ହେବାକୁ ଥିବା ବୁଥ୍‌ଗୁଡ଼ିକରେ ୩୬୬୪ ଭୋଟରଙ୍କ ମତଦାନ ନିମନ୍ତେ ବ୍ୟବସ୍ଥା ହୋଇଛି। ଆନ୍ଧ୍ରର ଏହି ଷଡ଼୍‌ଯନ୍ତ୍ରକୁ ଚେକ୍‌ ଦେବା ପାଇଁ ଓଡ଼ିଶା ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। କୋଟିଆ ପାଇଁ ଯେଉଁ ରଣନୀତି ହୋଇଛି ତାହାର ଖୁଲାସ କରିହେବ ନାହିଁ। କିନ୍ତୁ ଗୋଟିଏ ବି ଭୋଟ ଯେମିତି ଏପଟସେପଟ ହେବ ନାହିଁ ସେଥିପାଇଁ ଠୋସ୍‌ ପଦକ୍ଷେପ ନିଆଯାଉଛି ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି।