ଆନ୍ଧ୍ର ଜିଲ୍ଲା ପରିଷଦ ଭୋଟ ୮ରେ, ଗଞ୍ଜାମ ସୀମାନ୍ତ ଚଳଚଞ୍ଚଳ

ପାତ୍ରପୁର : ଆସନ୍ତା ୮ ତାରିଖରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ପୁଣି ଭୋଟ। ଜେଡିଟିସି (ଜିଲ୍ଲାପରିଷଦ) ଏବଂ ଏମ୍‌ଟିସି (ମଣ୍ତଳ) ପଦବି ଲାଗି ଏହି ନିର୍ବାଚନ ହେବ। ପଡ଼ିଶା ରାଜ୍ୟରେ ଭୋଟ ଲାଗି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ସୀମାନ୍ତ ଗ୍ରାମ ଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ସୀମାନ୍ତ ଗାଁ ଗୁଡ଼ିକରେ ଆନ୍ଧ୍ର ପୁଣି ନିର୍ବାଚନୀ ପୋଷ୍ଟର ମାରି ପ୍ରଚାର ଚଳାଇଛି। ପାତ୍ରପୁର ସୀମାନ୍ତ ଗାଁ ଗୁଡ଼ିକର ଲୋକମାନେ ପୁଣି ଆନ୍ଧ୍ରରେ ଭୋଟ ଦେବା ଆଶଙ୍କା ସୃଷ୍ଟି ହୋଇଛି।
ଗଞ୍ଜାମ ସୀମାନ୍ତ ଗ୍ରାମ ଗୁଡ଼ିକରେ ଆନ୍ଧ୍ର ଅନୁପ୍ରବେଶ କରି ବିଭିନ୍ନ ଯୋଜନାର ସୁବିଧା ଦେଉଛି। ସୀମାନ୍ତ ଗ୍ରାମର ଲୋକମାନଙ୍କୁ ଆନ୍ଧ୍ର ଭୋଟର କାର୍ଡ଼, ରାସନ କାର୍ଡ଼ ଓ ବିଭିନ୍ନ ଭତ୍ତା ମଧ୍ୟ ଯୋଗାଉଛି। ଏଥିସହ ସୀମାନ୍ତ ଆଦିବାସୀ ଇଲାକାରେ ସ୍ବାସ୍ଥ୍ୟସେବା, ମାଗଣା ବିଦ୍ୟୁତ୍, ପକ୍କା ରାସ୍ତା, ଜମିପଟ୍ଟା, ରାସନ, ଆବାସ ମଧ୍ୟ ଯୋଗାଉଥିବା ଅଭିଯୋଗ ରହିଛି। ଗତ ‌‌ଫେବ୍ରୁଆରି ୧୩ତାରିଖରେ ଆନ୍ଧ୍ର ପଞ୍ଚାୟତ ଭୋଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଜୟପୁର, ଟି. ବ୍ରହ୍ମପୁର, ବଳରାମପୁର, ଏ. ଶରଧାପୁର, କୁଲାଡ଼ି, ସାତପୁରି, ଗୁଡ଼ିଖଳା, ବାବନାସାହି ପ୍ରମୁଖ ଗ୍ରାମର ଲୋକ ଆନ୍ଧ୍ରରେ ଭୋଟ ଦେଇଥିଲେ। ଏବେ ପୁଣି ଆନ୍ଧ୍ରର ଉଭୟ ଜିଲ୍ଲାପରିଷଦ ଓ ମଣ୍ତଳ ପରିଷଦ ପଦବି ଲାଗି ଭୋଟ ହେବାକୁ ଯାଉଛି।   ଆଜି ଆନ୍ଧ୍ରର ବିଭିନ୍ନ ଗ୍ରାମ ସମେତ ଗଞ୍ଜାମର ଏ.ଶରଧାପୁର, ଜଗନ୍ନାଥପୁର ଗ୍ରାମରେ ଆନ୍ଧ୍ରର ପ୍ରଚାର ଗାଡ଼ି ବୁଲି ପ୍ରଚାର କରିଛି।  ଏହି ସବୁ ଗାଁ ଗୁଡ଼ିକରେ ଆନ୍ଧ୍ର ପୋଷ୍ଟର ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି।  ଆନ୍ଧ୍ରରେ ଆସନ୍ତା ୮ ତାରିଖରେ ଭୋଟ ହେବାକୁ ଥିବା ବେଳେ ଗତ ୪ ତାରିଖ ଠାରୁ ପ୍ରଚାର ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଏବେ ଠାରୁ ସତର୍କ ନ ରହିଲେ ପୁଣି ସୀମାନ୍ତବାସୀ ଆନ୍ଧ୍ରରେ ଭୋଟ ଦେବା ଥୟ ବୋଲି କୁହାଯାଉଛି।
ସମ୍ବନ୍ଧିତ ଖବର