ପଟ୍ଟାମୁଣ୍ଡାଇ/ଆଳି: ଆନ୍ଧ୍ରପ୍ରଦେଶର ଚିତ୍ତୋରଠାରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଡ଼ିଶାରୁ ରୋଗୀ ନେଇ ଯାଇଥିବା ଆମ୍ବୁଲାନ୍ସ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ତେଲ ଟ୍ୟାଙ୍କରକୁ ଧକ୍କା ଦେବାରୁ ଆମ୍ବୁଲାନ୍ସରେ ଥିବା ୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ନୀଳକଣ୍ଠପୁର ପଞ୍ଚାୟତ ଗୋବିନ୍ଦପୁର ଗାଁର ବିଜୟ ନାୟକ(୫୪), ତାଙ୍କ ଭାଇ ତ୍ରିଲୋଚନ ନାୟକ (୫୫), ଆଳି ବ୍ଲକ୍ ଅଙ୍ଗାରଖ ଗ୍ରାମର ଉମେଶ ଚନ୍ଦ୍ର ସାହୁ(୪୫) ଓ ପତ୍ନୀ ସସ୍ମିତା ସାହୁ(୩୭)। ଆହତଙ୍କ ମଧ୍ୟରେ ଦୁଇ ଜଣ ଆମ୍ବୁଲାନ୍ସ ଚାଳକ ଓ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ର ଜଣେ ନର୍ସ ରହିଛନ୍ତି। ସେମାନେ ସ୍ଥାନୀୟ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ମୃତକଙ୍କ ପରିବାର ଲୋକେ ଚିତ୍ତୋର ଯାଇଛନ୍ତି। ଏହି ଘଟଣା ପଟ୍ଟାମୁଣ୍ଡାଇ ଓ ଆଳି ଅଞ୍ଚଳରେ ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଗୋବିନ୍ଦପୁର ଗ୍ରାମର ସସ୍ମିତା ଆଳି ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଖ ଗ୍ରାମର ଉମେଶ ସାହୁଙ୍କୁ ବିବାହ କରିଥିଲେ। ଉମେଶ ପାଣି ପାଇପ୍ କାରିଗର ଭାବେ ଦୁବାଇରେ କାମ କରୁଥିଲେ। କିଛିଦିନ ହେବ ସେ ଘରକୁ ଆସିଥିଲେ। ଦେହ ଖରାପ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେ ବ୍ରେନ୍ ଟ୍ୟୁମର୍ରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବାଙ୍ଗାଲୁରୁ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତିନି ଦିନ ତଳେ ଉମେଶଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବରରୁ ବାଙ୍ଗାଲୁରୁ ନିଆଯାଇଥିଲା। ସାଙ୍ଗରେ ପତ୍ନୀ ସସ୍ମିତା ଓ ଦାଦା ବିଜୟ ନାୟକ ଓ ତ୍ରିଲୋଚନ ନାୟକ ମଧ୍ୟ ଯାଇଥିଲେ। ବାଙ୍ଗାଲୁରୁରେ ପହଞ୍ଚିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ଡାକ୍ତର ସେଠାରୁ ତାଙ୍କୁ ଫେରାଇ ଦେଇଥିଲେ। ସେହି ଆମ୍ବୁଲାନ୍ସରେ ଗତକାଲି ରାତିରେ ସେମାନେ ଭୁବନେଶ୍ବରକୁ ଫେରୁଥିଲେ। ବାଙ୍ଗାଲୁରୁରୁ ପ୍ରାୟ ଦେଢ଼ ଶହ କିଲୋମିଟର ଆସିବା ପରେ ଆଜି ଭୋର ପ୍ରାୟ ୪ଟାରେ ଆନ୍ଧ୍ରପ୍ରଦେଶର ଚିତ୍ତୋରଠାରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ତେଲ ଟ୍ୟାଙ୍କର୍କୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉମେଶ, ସସ୍ମିତା, ବିଜୟ ଓ ତ୍ରିଲୋଚନଙ୍କର ମୃତ୍ୟୁ ଘଟିଥିଲା। ଦୁଇ ଆମ୍ବୁଲାନ୍ସ ଚାଳକଙ୍କ ସମେତ ନର୍ସ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ମୃତ ଉମେଶ ଓ ସସ୍ମିତାଙ୍କ ଗୋଟିଏ ପୁଅ ଓ ଝିଅ ଥିବା ବେଳେ ସେମାନେ ଅସହାୟ ହୋଇ ପଡ଼ିଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।