କୋରାପୁଟ: ଓଡ଼ିଶା ଓ ଆନ୍ଧ୍ରରେ ଶାସନ ପରିବର୍ତ୍ତନ ପରେ କୋଟିଆ ବିବାଦର ସ୍ଥାୟୀ ସମାଧାନ ପାଇଁ ଆଶା ଉଜ୍ଜୀବିତ ହୋଇଥିଲା। କିନ୍ତୁ ତେଲୁଗୁ ଦେଶମ ପାର୍ଟି କ୍ଷମତା ଡୋରି ହାତକୁ ନେଇ ସମାଧାନ ରାସ୍ତା ବନ୍ଦ କରିଥିବା ସଂକେତ ଦେଇଛି। ନୂଆ ସରକାର କୋଟିଆ ଦଖଲ ଲାଗି ପୁଣି ଆରମ୍ଭ କରିଛନ୍ତି ଅନୁପ୍ରବେଶ। ନେରେଡ଼ିବାଲସାରେ ଆଜି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଆୟୋଜନ କରି ଆନ୍ଧ୍ର ସରକାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଓଡ଼ିଆ ଅସ୍ମିତାକୁ ଶକ୍ତ ଧକ୍କା ଲାଗିଛି।

Advertisment

ଆନ୍ଧ୍ର ପକ୍ଷରୁ ଆଜି କୋଟିଆ ଗ୍ରାମପୁଞ୍ଜରେ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ୫ ଗାଁର ଲୋକ ଏକାଠି ହୋଇଥିଲେ। ଆର୍ଥିକ ସାକ୍ଷରତା ଶିବିର ମାଧ୍ୟମରେ ଆନ୍ଧ୍ର ସରକାରଙ୍କ ଗୁଣଗାନ କରିଛନ୍ତି ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କ ଅଧିକାରୀ। ମୁଖ୍ୟଅତିଥି ଭାବେ ନ୍ୟାସନାଲ ସିଡ୍ୟୁଲ୍ ଟ୍ରାଇବାଲ୍‌ ଫାଇନାନସିଆଲ୍ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ କନଫରେନସ୍‌ ଜୋନାଲ୍‌ ପ୍ରବନ୍ଧକ କ୍ରିଷ୍ଣାବେଣୀ, ଅନ୍ୟତମ ଅତିଥି ଭାବେ ଆଞ୍ଚଳିକ ପ୍ରବନ୍ଧକ ୟୁ. ସୁନୀଲ କୁମାର, କ୍ଷେତ୍ର ଅଧିକାରୀ କିଶୋର, ଶାଖା ପରିଚାଳକ ୱାଇ. ମଧୁସୂଦନ ରାଓ, ସଭାପତି ଜି. ରାଜା ରାଓ, ଜି. ସୁଭର୍ଥ ରାଓ, ବି. ପ୍ରସାଦ ରାଓ, ଏମ୍‌ପିଟିସି ରାମବାବୁ ଯୋଗଦେଇ ବ୍ୟାଙ୍କର ବିଭିନ୍ନ ଯୋଜନାରେ ଗ୍ରାମବାସୀ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଆନ୍ଧ୍ର ଦ୍ବାରା ନିୟୋଜିତ ଏଜେଣ୍ଟ୍‌ ବିଶୁ ଗେମେଲ, ଚୋଡ଼ିପାଲି ବିଶୁ ଓ ଦିବାକର ଗେମେଲ ମିଳିତ ଭାବେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗଞ୍ଜେଇପଦର, ଧୂଳିପଦର, ସେମ୍ବି, କୋଟିଆରୁ ଲୋକଙ୍କୁ ଗାଡ଼ିରେ ବୋହିଥିଲେ। ସେହିପରି ଆନ୍ଧ୍ର ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଜନପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସରକାରୀ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ।

ଅପରାହ୍ନ ପ୍ରାୟ ଦୁଇଟାରେ କାର୍ଯ୍ୟକ୍ରମ ‌ଆୟୋଜିତ ହୋଇଥିଲେ ସୁଦ୍ଧା କୋଟିଆ ପୁଲିସ କିମ୍ବା ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା। ନିଜ ରାଜ୍ୟ ସୀମା ଅତିକ୍ରମ କରି ଆନ୍ଧ୍ର ଅଧିକାରୀ କୋଟିଆରେ ପଶିଥିବା ବେଳେ ଗୁଇନ୍ଦା ବିଫଳତା ଯୋଗୁ ସୀମା ଦାୟିତ୍ବରେ ଥିବା ଓଡ଼ିଶା ଅଧିକାରୀ ଏ ସମ୍ପର୍କରେ ଜାଣିପାରିଲେ ନାହିଁ। ଉଭୟ ଆନ୍ଧ୍ର ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଚାଲିଥିବା ବେଳେ ଆନ୍ଧ୍ରର ଅନୁପ୍ରବେଶ ଥଣ୍ଡା ପଡ଼ିଥିବା ବିବାଦକୁ ପୁଣି ବଢ଼ାଇଛି।