କୋରାପୁଟ : ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଚାଲିଛି ଆନ୍ଧ୍ରର ବିଜୟ ଉତ୍ସବ। କମ୍ ଭୋଟ ପାଇଥିଲେ ମଧ୍ୟ ଦଲାଲଙ୍କ ସହ ବିଜୟ ପାଳୁଛନ୍ତି ସ୍ଥାନୀୟ ପ୍ରଶାସନ। ଗାଁ ଗାଁରେ ଏବେ ଭୋଜି ଭାତର ଆସର ଚାଲିଥିବାବେଳେ ନାଚଗୀତରେ କମ୍ପୁଛି ନରେଡିବାଲସା। ସ୍ଥାନୀୟ ଆଦିବାସୀ ଓ ଦଲାଲ ମିଶି ନାଚଗୀତ କରୁଥିବା ଜଣାପଡିଛି। ଖାଲି ସେତିକି ନୁହେଁ ମାଂସ ଭୋଜି ଚାଲିଥିବା ଜଣାପଡିଛି। ସକାଳୁ ବିଳମ୍ବିତ ରାତିଯାଏ ମାଂସଭୋଜି ଚାଲିଥିବା ଜଣାପଡିଛି।
ଅନ୍ୟପକ୍ଷରେ ସୀମା ବିବାଦକୁ ନେଇ ଖଡ୍ଗହସ୍ତ ହୋଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଏହି ମାମଲାକୁ ନେଇ ଓଡିଶା ସରକାର ସୁପ୍ରିମ କୋର୍ଟକୁ ଯାଇଥିବାବେଳେ ଆସନ୍ତାକାଲି ଏନେଇ ଶୁଣାଣି ହେବାକୁ ରହିଛି। ଓଡିଶା ମାଟିରେ ରହି କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ପାଇଁ କାର୍ଯ୍ୟ ସମ୍ପାଦିତ କରୁଥିବା ଓ ଜନସାଧାରଣଙ୍କୁ ଆନ୍ଧ୍ର ପ୍ରଦେଶ ଆଡକୁ ଆକର୍ଷିତ କରାଯାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବା ଥୟ ହୋଇଛି। ଆନ୍ଧ୍ରକୁ ଗତକାଲି ସହଯୋଗ କରୁଥିବା ରାଜ୍ୟଦ୍ରୋହୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କୁ ରାଜ୍ୟରୁ ବହିଷ୍କାର କରାଯିବା ସହ ଓଡ଼ିଶା ପକ୍ଷରୁ ପାଉଥିବା ସୁବିଧା ସୁଯୋଗକୁ ମଧ୍ୟ ଅପସାରଣ କରାଯିବ। ଓଡ଼ିଶାକୁ ବିଶ୍ବାସଘାତ କରୁଥିବାରୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ. ଅଖତର କହିଛନ୍ତି ।
ଓଡ଼ିଶା ରାଜ୍ୟ ସମେତ କୋରାପୁଟ ଜିଲ୍ଲା ପ୍ରଶାସନ ଅନ୍ୟ ରାଜ୍ୟର ସମ୍ପତି ଉପରେ ଲୋଲୁପ ଦୃଷ୍ଟି ପକାଇ ଅକ୍ତିଆର କରିବା ପାଇଁ ଚାହେଁ ନାହିଁ ଓ ପଡୋଶୀ ରାଜ୍ୟ ଗୁଡିକ ଠାରୁ ମଧ୍ୟ ଅନୁରୂପ ଭାବନା ଆଶା କରାଯାଉଛି ବୋଲି ସେ କହିଛନ୍ତି । ଗତ ୮ ତାରିଖରେ ଆନ୍ଧ୍ର ପ୍ରଦେଶର ଜିଲ୍ଲା ପରିଷଦ ଓ ସମିତିସଭ୍ୟ ନିର୍ବାଚନରେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀର ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ନେଇ ନେରେଡିବାଲାସାରେ ଖୋଲାଯାଇଥିବା ଭୋଟିଂ କେନ୍ଦ୍ରକୁ ମତଦାନ ପ୍ରଦାନ କରାଇବା ରେ ବିଫଳ ହୋଇଥିଲେ ।ଏହି ବୁଥରେ କୋଟିଆ ପଞ୍ଚୟାତର ସମୁଦାୟ ୧୨୯୧ ଭୋଟରଙ୍କ ମଧ୍ୟରୁ କେବଳ ୩୦୩ ଜଣ ମତଦାନ କରିଛନ୍ତି। ଆନ୍ଧ୍ର ପ୍ରଦେଶର ଥୋନମ ଠାରେ ଫାଟୁସିନେରୀର ୧୦୨୫ ଜଣ ଭୋଟରଙ୍କ ମଧ୍ୟରୁ ୩୮୨ ଜଣ ଓ ଫଗୁଣସିନେରିରୁ ୫୦୨ ଜଣ ଭୋଟରଙ୍କ ମଧ୍ୟରୁ କେବଳ ୨୧୭ ଜଣ ମତଦାନ ଦେଇଥିବା ଜଣାପଡିଛି । ଗତ ଫେବ୍ରୁଆରି ୧୩ ତାରିଖରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ କୋଟିଆ ଅଞ୍ଚଳରରୁ ଭୋଟ ଦେଇଥିବା ଲୋକଙ୍କ ସଂଖ୍ୟା ଠାରୁ ଆଜିର ଭୋଟଦାତାଙ୍କ ସଂଖ୍ୟା ବହୁତ କମ ଥିବା ଯୋଗୁଁ ଲକ୍ଷ୍ୟ କରାଯାଇଛି ।ଗତ ଦିନ ମାନଙ୍କରେ କୋରାପୁଟ ଜିଲ୍ଲା ପ୍ରଶାସନର ଯୋଜନା ଓ ଲକ୍ଷ୍ୟ ଫଳପ୍ରଦ ହୋଇଥିବା ସେ ଜଣାଇଛନ୍ତି । ସର୍ବଦଳୀୟ ନେତା ମାନଙ୍କର ସହଯୋଗକୁ ଜିଲ୍ଲାପାଳ ଭୂୟସୀ ପ୍ରଶଂସା କରିଥିଲେ ।
କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ବାସୀଙ୍କୁ କୋରୋନାର ଦାଉରୁ ମୁକ୍ତ ରଖିବା ପାଇଁ କୋଟିଆରେ ୧୪୪ ଧାରା ଲାଗୁ କରିବା ଓ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଇଥିବା ବେଳେ ଆନ୍ଧ୍ର ପ୍ରଦେଶର ଅଧିକାରୀ ଓ ପୋଲିସ୍ ବେନିୟମ ଭାବେ ଭୋଟରଙ୍କୁ ଟ୍ରକରେ ବୋହିନେବା ପାଇଁ ଚେଷ୍ଟା କରିଥିଲେ । ଏହିପରି କାର୍ଯ୍ୟ ଘୋର ନିନ୍ଦନୀୟ ବୋଲି ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡା ମତ ରଖିଛନ୍ତି । ତେବେ ଆନ୍ଧ୍ରର ଏପରି ମନମୁଖୀ ଆଚରଣ ଓ ଅପଚେଷ୍ଟ। କୁ ସମସ୍ତ ରାଜନୈତିକ ଦଳ ଘୋର ନିନ୍ଦା କରି କରିବା ସହ ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।