କୋରାପୁଟ/ପଟାଙ୍ଗି : ଓଡ଼ିଶାର କଡ଼ା ପ୍ରତିବାଦ ପରେ କିଛି ଦିନ ଧରି କୋଟିଆରେ ଅନୁପ୍ରବେଶ ବନ୍ଦ କରିଥିଲା ଆନ୍ଧ୍ର। କିନ୍ତୁ ଆଜି ଚୁପ୍‌ଚାପ୍‌ ପୁଣି କୋଟିଆରେ ପଶିଛି। ନାରେଡ଼ିବାଲସାରେ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରି ୫ଟି ଗାଁର ଲୋକଙ୍କୁ ଏକାଠି କରିଥିଲା। ଲୋକଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ ‘ଜଗନ୍ନା ସୁରକ୍ଷା’ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ସୁରକ୍ଷା କିଟ୍‌ ବଣ୍ଟନ କରିଛି। ନିଜେ ସାଲୁରୁ ବିଡିଓ ରାମାଦେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Advertisment

ଆନ୍ଧ୍ର ଦ୍ବାରା ନିୟୋଜିତ ଏଜେଣ୍ଟ ବିଶୁ ଗେମେଲ, ଚୋଡ଼ିପାଲି ବିଶୁ ଏବଂ ଦିବାକର ଗେମେଲ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତେଣୁ କାର୍ଯ୍ୟକ୍ରମକୁ ସଫଳ କରି ନିଜ ପ୍ରଭାବ ଦେଖାଇବା ପାଇଁ ଗଞ୍ଜେଇପଦର, ଧୂଳିପଦର, ସେମ୍ବି, କୋଟିଆ ଗାଁରୁ ଲୋକଙ୍କୁ ଗାଡ଼ିରେ କାର୍ଯ୍ୟକ୍ରମକୁ ସ୍ଥଳକୁ ଆଣିଥିଲେ। ସେହିପରି ଆନ୍ଧ୍ର ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଜନପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସରକାରୀ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ ଅପରାହ୍ନ ପ୍ରାୟ ଦୁଇଟାରେ ଏହି କାର୍ଯ୍ୟକ୍ରମ ‌ଆୟୋଜିତ ହୋଇଥିଲେ ସୁଦ୍ଧା କୋଟିଆ ପୁଲିସ କିମ୍ବା ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା। ନିଜ ରାଜ୍ୟ ସୀମା ଅତିକ୍ରମ କରି ଆନ୍ଧ୍ର ଅଧିକାରୀ ପଶିଥିବା ବେଳେ ଓଡ଼ିଶାର ଗୁଇନ୍ଦା ବିଫଳତା ଯୋଗୁ କୌଣସି ସୂଚନା ମିଳିଲା ନାହିଁ ବୋଲି ମତପ୍ରକାଶ ପାଇଛି। ରାଇପାହାଡ଼ ବିବାଦ ଥମିବା ପୂର୍ବରୁ ପୁଣି‌ କୋଟିଆରେ ଅନୁପ୍ରବେଶ ଯୋଗୁ ଆଗକୁ ଚକାପଞ୍ଝା ବଢ଼ିବ ବୋଲି ଅନୁମାନ କରାଯାଉଛି।