କୋରାପୁଟ : କଟକଣା ଓ ବିରୋଧ ‌ସତ୍ତ୍ବେ କୋଟିଆରେ ବାରମ୍ବାର ଅନୁପ୍ରବେଶ ପଛର ସାଂଘାତିକ ସତ ପଦାକୁ ଆସିଛି। ନିଜ ଏଜେଣ୍ଟଙ୍କ ଜରିଆରେ ଆନ୍ଧ୍ର କୋଟିଆବାସୀଙ୍କ ଠାରୁ ଲେଖାଇ ନେଇଛି ସମର୍ଥନ ପତ୍ର। ଯେଉଁଥିରେ କୋଟିଆର ଶତାଧିକ ପରିବାର ଆନ୍ଧ୍ର ସପକ୍ଷରେ ମତ ଦେଇଛନ୍ତି। ଏପରିକି ଆନ୍ଧ୍ରରେ ମିଶିବାକୁ ସେମାନେ ଚାହୁଁଥିବା ନେଇ ଦାବି ଜଣାଇଛନ୍ତି। ସାଲୁର ବିଧାୟକଙ୍କ ଇଙ୍ଗିତରେ ଏତେବଡ଼ ଷଡ଼୍‌ଯନ୍ତ୍ର ରଚନା କରାଯାଇଥିଲା ବୋଲି ସ୍ପଷ୍ଟ ପ୍ରମାଣ ମିଳିଛି। ଯାହାକୁ ସୁପ୍ରିମକୋର୍ଟରେ ପ୍ରମାଣସ୍ବରୂପ ଆନ୍ଧ୍ର ବ୍ୟବହାର କରିବ ବୋଲି କୁହାଯାଉଛି। ବିବାଦର ସମାଧାନ ବଦଳରେ ଅଧିକ ଜଟିଳ ହେବା ନିଶ୍ଚିତ।

Advertisment

ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ପରେ କୋଟିଆକୁ ନେଇ ଲାଗି ରହିଥିବା ଛକାପଞ୍ଝା ଉପରୁ ସମସ୍ତଙ୍କ ଦୃଷ୍ଟି ହଟିଯାଇଥିଲା। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କ’ଣ ଆଲୋଚନା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା। ଏହି ଆଲୋଚନାକୁ ଦୃଷ୍ଟିରେ ରଖି ଓଡ଼ିଶା ପକ୍ଷରୁ ମଧ୍ୟ ଅପେକ୍ଷାକୃତ କୋହଳ ମନୋଭାବ ପୋଷଣ କରାଯାଇଥିଲା। ଯାହାର ସୁଯୋଗ ନେଇଥିଲେ ସାଲୁର୍‌ ବିଧାୟକ ଓ ସେଠାକାର ପ୍ରଶାସନିକ ଅଧିକାରୀ। ଆନ୍ଧ୍ର ଦ୍ବାରା ନିଯୁକ୍ତ ଏଜେଣ୍ଟଙ୍କ ଜରିଆରେ ଏହିଭଳି ସମର୍ଥପତ୍ର ସଂଗ୍ରହ କରାଯାଇଛି। ଏଥିପାଇଁ କୋଟିଆର ଲୋକଙ୍କୁ ପ୍ରଲୋଭିତ ଓ ଭୟଭୀତ କରାଯାଇଛି। ଗତ ୯ତାରିଖ ଦିନ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନାରେ ବ୍ୟସ୍ତଥିବା ସମୟରେ ହିଁ ଏହି ସମର୍ଥନ ପତ୍ର ସଂଗ୍ରହ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

publive-image newindianexpress.com

ମିଳିଥିବା ସୂଚନା ଅନୁସାରେ, ସମର୍ଥନ ପତ୍ରରେ କୋଟିଆବାସୀ ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ଭାଗ ନେବେ, ଏହାପରେ ସେମାନେ ସ୍ବଇଚ୍ଛାରେ ଆନ୍ଧ୍ରରେ ମିଶିବେ ଏବଂ ଆନ୍ଧ୍ର ସରକାର ଯାହା ବି ସହାୟତା ଦେବେ, ସେଥିରେ ସେମାନେ ଚଳିବେ ବୋଲି ଉଲ୍ଲେଖ କରିଛନ୍ତି। କୋଟିଆ ଗ୍ରାମପୁଞ୍ଜର ୨୨ଗାଁର ଲୋକଙ୍କ ଠାରୁ ଏଭଳି ସମର୍ଥନପତ୍ର ଆନ୍ଧ୍ର ସଂଗ୍ରହ କରିଥିବା ଜଣାପଡ଼ିଛି। ବିଜୟନଗର ଜିଲ୍ଲାପାଳ, ସାଲୁର ମଣ୍ଡଳ ଅଧିକାରୀ ଓ ପିଓ ଆଇଟିଡିଏଙ୍କ ଉଦ୍ଦେଶ୍ୟରେ କୋଟିଆବାସୀ ଏହି ସମର୍ଥନ ପତ୍ର ଲେଖିଥିବା ଜଣାପଡ଼ିଛି। ଓଡ଼ିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଲୋଚନାର ଠିକ୍‌ ୪୮ଘଣ୍ଟା ପରେ ସମର୍ଥନ ପତ୍ର ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ସାଲୁର ବିଧାୟକ ପିଡ୍ଡିକା ରାଜନ୍ନା ଦୋରା। କୋଟିଆବାସୀ ଆନ୍ଧ୍ରକୁ ସମର୍ଥନ କରୁଥିବା ବିଧାୟକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଯୋଜନାରେ ଅନୁପ୍ରାଣିତ ହୋଇ ଆନ୍ଧ୍ରରେ ମିଶିବାକୁ କୋଟିଆବାସୀ ଚାହୁଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ୱାଇଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ଜଣାଇଛନ୍ତି।

ତେବେ କେଉଁ ପରିସ୍ଥିତିରେ କୋଟିଆବାସୀ ସମର୍ଥନ ପତ୍ର ଆନ୍ଧ୍ରକୁ ଦେଲେ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ସାଲୁର ବିଧାୟକଙ୍କ ଘୋଷଣାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇ ରାଜ୍ୟର ମୁଖ୍ୟଶାସନ ସଚିବ ସ୍ତରୀୟ କମିଟି ଗଠନ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଜଣେ ବିଧାୟକଙ୍କ ସ୍ବୀକାରୋକ୍ତି ନୂଆ ବିବାଦ ସୃଷ୍ଟି କରିଛି। ଗତକାଲି କୋରାପୁଟରେ ସର୍ବଦଳୀୟ ବୈଠକରେ ବି ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆଜି ସାଲୁର ବିଧାୟକଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଓଡ଼ିଶାର ସର୍ବଦଳୀୟ ନେତା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ କୋଟିଆ ପଞ୍ଚାୟତରେ ୨୮ ରାଜସ୍ବ ଗାଁ ଓ ୧୨ ପଡ଼ାଗ୍ରାମ ରହିଛି। ପଞ୍ଚାୟତରେ ୮୭୬୪ଜଣ ବସବାସ କରୁଛନ୍ତି। ୨୧ଟି ରାଜସ୍ବ ଓ ୬ଟି ପଡ଼ାଗ୍ରାମକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। କୋଟିଆ, ଗଞ୍ଜେଇପଦର, ମାଡ଼କାର, ବାର୍ଣ୍ଣପାଡୁ, ଡୋଲିଆମ୍ବା, ଫଗୁଣସିନେରୀ, ଫାଟୁସିନେରୀ, ସଲପଗୁଡା, କନାଦୋରା, ହରମାଣ୍ତିଙ୍ଗି, ସିଡିବାଲସା, ମହିପାଣି, ଉପରସେମ୍ଭି, ତଳସେମ୍ଭି, ଧୂଳିପଦର, ଆରଜୁବାଲସା, ତାଡିବାଲସା, ନାରେଡିବାଲସା, ପନିକି, ରଣାସି˚ ଓ ସୀମାଗାଡା ଭଳି ରାଜସ୍ବ ଗାଁରେ ବିବାଦୀୟ ସ୍ଥିତି ରହିଛି। ସେହିପରି ତଳଗଞ୍ଜେଇପଦର, କୁରୁଡିପଦର, ଜାନିଗୁଡା, ପାନକୁବାଲସା, ଟାଙ୍କରବାଲସା ଓ ଉପରପନିକି ପଡ଼ାଗ୍ରାମକୁ ନିଜର ବୋଲି ଦାବି କରୁଛି ଆନ୍ଧ୍ର। ତେବେ କୋଟିଆ ପଞ୍ଚାୟତର ବରାବନ୍ଧ, ଥୁରିଆ, ମାଥଲାମ୍ବ, ଗୁମେଲପଦର, ତଳକାଣ୍ଟି, କାଟ୍ରାଗୁଡା ଓ ସୁଳିଆମାରୀ ଗ୍ରାମକୁ ନେଇ କୌଣସି ବିବାଦ ନାହିଁ। ସେହିପରି ଉପରବରାବନ୍ଧ, କରଞ୍ଜଗୁଡା, ଟାଉପଦର, ଫୁଲପଦର, କୋଡିଆମ୍ବ ଓ ସାଲେମପଦର ଭଳି ୬ଟି ପଡାଗ୍ରାମ ଉପରେ ଆନ୍ଧ୍ର ଏପର୍ଯ୍ୟନ୍ତ ଅଧିକାର ସାବ୍ୟସ୍ତ କରିନାହିଁ। ୧୯୬୮ ମସିହାରୁ ସୀମାନ୍ତରେ ଥିବା ୨୨ ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧୢରେ ବିବାଦ ଲାଗି ରହିଛି।